୨୬ଟି ରେଳଷ୍ଟେସନରେ ଉଡ଼ିବ ଜାତୀୟ ପତାକା

ଭୁବ‌ନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନଗୁଡ଼ିକରେ ମନୁମେଣ୍ଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି। ରେଳଯାତ୍ରୀଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ସୃଷ୍ଟି କରିବା ଏବଂ ରେଳ ଷ୍ଟେସନଗୁଡ଼ିକର ସୌନ୍ଦର୍ଯ୍ୟୀକରଣ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ରେଳ ମନ୍ତ୍ରଣାଳୟ ନିର୍ଦେଶକ୍ରମେ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୨୬ଟି ଷ୍ଟେସନରେ ୧୦୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଖମ୍ବରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଛି। ଏହି ଷ୍ଟେସନଗୁଡିକ ଜିଲ୍ଲା ସଦର ମହକୁମା, ଐତିହାସିକ ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ରହିଛି।

ରାଜଧାନୀ ଭୁବନେଶ୍ୱର ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ଏହି ମନୁମେଣ୍ଟାଲ ତ୍ରିରଙ୍ଗା ପୂର୍ବରୁ ସ୍ଥାପନ କରାଯାଇ ସାରିଛି। ଏବେ ପ୍ରସ୍ତାବିତ ଷ୍ଟେସନଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ୧୩ଟି ଷ୍ଟେସନ, ୱାଲଟିୟର ରେଳମଣ୍ଡଳର ୭ଟି ଷ୍ଟେସନ ଓ ସମ୍ବଲପୁର ରେଳମଣ୍ଡଳର ୬ଟି ଷ୍ଟେସନଠାରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ କରାଯିବ। ଭଲ ଦୃଶ୍ୟମାନ ହେଉଥିବା ପରି ଖୋଲା ସ୍ଥାନକୁ ଧ୍ୟାନରେ ରଖି ଏସବୁକୁ ପ୍ରତିଷ୍ଠା କରାଯିବ। ଖୋର୍ଧା ରୋଡ ରେଳମଣ୍ଡଳର ପୁରୀ, କଟକ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ନୟାଗଡ଼ ଟାଉନ, ବ୍ରହ୍ମପୁର, ଛତ୍ରପୁର ଓ ପାରାଦୀପ, ସମ୍ବଲପୁର ରେଳମଣ୍ଡଳର ସମ୍ବଲପୁର, ବରଗଡ଼ ରୋଡ, ବଲାଙ୍ଗୀର, ନୂଆପଡ଼ା ରୋଡ, ଭବାନୀପାଟଣା ଓ ମହାସମୁନ୍ଦ, ୱାଲଟିୟର ରେଳମଣ୍ଡଳର କୋରାପୁଟ, ରାୟଗଡା, ପାରଳାଖେମୁଣ୍ଡି, ଶ୍ରୀକାକୁଲମ ରୋଡ, ବିଜୟନଗରମ୍‌, ଜଗଦଳପୁର ଓ ଦନ୍ତେୱାଡା ଷ୍ଟେସନରେ ଏହି ସବୁ ମନୁମେଣ୍ଟାଲ ତ୍ରିରଙ୍ଗା ପତାକା ପ୍ରତିଷ୍ଠା କରାଯିବ। ଭଲ ଦୃଶ୍ୟମାନ ପାଇଁ ଫୋକସ୍‌ ଲାଇଟ ମଧ୍ୟ ବ୍ୟବହାର କରାଯିବ। ଷ୍ଟେସନ ପ୍ରଶାସନ ଓ ରେଳବାଇ ସୁରକ୍ଷା ବଳ ଦ୍ୱାରା ଏହି ମନୁମେଣ୍ଟାଲ ତ୍ରିରଙ୍ଗା ପତାକାଗୁଡିକର ରକ୍ଷଣାବେକ୍ଷଣ ହେବ।

ସମ୍ବନ୍ଧିତ ଖବର