ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ଉଡ଼ିବ ଜାତୀୟ ପତାକା

ଭୁବନେଶ୍ୱର : ଏବର୍ଷ ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପାଳିତ ହେବ ସ୍ବାଧୀନତା ଦିବସ। କୌଣସି ବି ପରିସ୍ଥିତିରେ ପିଲାମାନେ ବିଦ୍ୟାଳୟକୁ ଆସିବେ ନାହିଁ। କେବଳ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଆସିବେ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ପାଳନ କରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରଖି ଜାତୀୟ ପତାକା ଉତ୍ତୋଳନ କରିବେ। ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଭାପତି ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଅତିଥି କରି ଡକାଯାଇପାରିବ। ଏହି ଉତ୍ସବରେ ୧୦ ଜଣରୁ ଅଧିକ ଲୋକ ସାମିଲ ହେବେ ନାହିଁ। କୌଣସି ପ୍ରକାର ଖାଦ୍ୟ ସାମଗ୍ରୀ ବଣ୍ଟନ ଉପରେ ରୋକ ଲଗାଯାଇଛି। ପୂର୍ବାହ୍ନ ୯ଟାରୁ ୧୧ଟା ମଧ୍ୟରେ ପତାକା ଉତ୍ତୋଳନର ସମସ୍ତ ପ୍ରକ୍ରିୟା ଶେଷ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀ ଯେପରି ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ରାଜ୍ୟରେ ଥିବ‌ା ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଘରୋଇ ସ୍କୁଲ, ମଦ୍ରାସା, ସଂସ୍କୃତ ଟୋଲ୍‌, ଡିଆଇଇଟି ଓ ବିଭାଗ ଅଧୀନରେ ଥିବା ସମସ୍ତ ତାଲିମ ଅନୁଷ୍ଠାନରେ ଏହି ନିୟମ ପାଳନ କରିବାକୁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ କରିଛନ୍ତି। ତେଣୁ କେବଳ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଏସ୍‌ଏମ୍‌ସି ସଦସ୍ୟଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ। ୧୦ ଜଣରୁ ଯେପରି ଅଧିକ ଲୋକ ଏଥିରେ ଅଂଶଗ୍ରହଣ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର