ଜାତୀୟ ଲୋକକଳା ମହୋତ୍ସବ: ମନମୋହିଲା ଯୋଡ଼ିଶଙ୍ଖ, ବିହୁ

ପୁରୀ : ଜାତୀୟ ଲୋକକଳା ମହୋତ୍ସବ ଓ କୃଷି ମେଳାର ବୁଧବାର ଦିନ ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ଯୋଡ଼ିଶଙ୍ଖ ସହ ଆସାମର ବିହୁ ନୃତ୍ୟ ଦର୍ଶକକୁ ବାନ୍ଧି ରଖିବାରେ ସମର୍ଥ ହୋଇଛି। ଏହା ସହ ପଶ୍ଚିମବଙ୍ଗର ରାଏ ବେଁ ସେଁ, ମଧ୍ୟପ୍ରଦେଶର ସୈଲା, ଛତିଶଗଡ଼ର ପନ୍ଥୀ, ଝାରଖଣ୍ଡର ମାନଭଞ୍ଜ, ମହାରାଷ୍ଟ୍ରର କୋଲି, ଓଡ଼ିଶାର ଚୁଟ୍‌କୁଚୁଟା, ହରିଆଣାର ଛୋଟିସି ବନ୍ଦଡୀ, ମେଘାଳୟର ଲାହୁଃ ନୃତ୍ୟ, ରାଜସ୍ଥାନର ଚକ୍ରି, ଆସାମର ବାଗୁରୁମ୍ବା, ଓଡ଼ିଶାର ରଙ୍ଗବତୀ ଡୁଏଟ୍‌, ମିଜୋରାମର ଚେରୋ, ଛତିଶଗଡ଼ର ଦ୍ରୌପଦୀ ହରଣ, ଆନ୍ଧ୍ରପ୍ରଦେଶର ତାପ୍ପିଟେ ଗୁଲୁ ନୃତ୍ୟ ବି ଦର୍ଶକୁ ନୃତ୍ୟ, ଗୀତର ତାଳେ ତାଳେ ଝୁମାଇଛି। ଭଳି କି ଭଳି ଆଖି ଝଲସାଇଲା ଭଳି ନୃତ୍ୟଗୀତର କାର୍ଯ୍ୟକ୍ରମ ବୁଧବାରର ସନ୍ଧ୍ୟାକୁ ବେଶ ମତୁଆଲା କରିଛି।

ବୁଧବାରର ଏହି ସନ୍ଧ୍ୟାରେ ପୂର୍ବତନ ସାଂସଦ ତଥା ଧରିତ୍ରୀର ସଂପାଦକ ତଥାଗତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ଲୋକକଳାକୁ ଲୋକଲୋଚନକୁ ଆଣିବାର ଏହି ପ୍ରୟାସକୁ ଭୂୟସୀ ପ୍ରଂଶସା କରିଥିଲେ। ପୁରୀ ସଦର ବ୍ଲକ୍‌ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ, ଏ ‌କେ ହୋତା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ମଦର୍ସ ସ୍କୁଲ ମୁଖ୍ୟ ପରିଚାଳକ ପଲ୍ଲୀ ପଟ୍ଟନାୟକ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର କାର୍ଯ୍ୟକ୍ରମ ଅଧିକାରୀ ଅମର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବାହାର ରାଜ୍ୟରୁ ଆସିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ‌ଶ୍ରୀକ୍ଷେତ୍ର ସୂଚନାର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, ମହୋତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର, ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ସାଧାରଣ ସଂପାଦକ ରାଜେଶ କୁମାର ମହାନ୍ତି, ଲୋକମେଳାର ମୁଖ୍ୟ ସଂଯୋଜକ ହେକ୍ଟର ମିଶ୍ର, କାର୍ଯ୍ୟକ୍ରମ ସଂଯୋଜକ ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର