ଜାତୀୟ ଖାଦ୍ୟ ସୁରକ୍ଷା ରୢାଙ୍କିଙ୍ଗ୍‌: ପ୍ରଥମ ସ୍ଥାନରେ ଓଡ଼ିଶା, ଓଡ଼ିଶା ପଛକୁ ଉତ୍ତରପ୍ରଦେଶ ଓ ଆନ୍ଧ୍ର

ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜନେସ୍ ରୢାଙ୍କିଙ୍ଗ୍‌‌ରେ ଓଡ଼ିଶା ‘ଆଚିଭର୍ସ’ ବର୍ଗରେ ଥିଲା, ଷ୍ଟାର୍ଟଅପ୍ ରୢାଙ୍କିଙ୍ଗ୍‌ରେ ଓଡ଼ିଶା ଟପ୍ ପରଫରମର୍‌ ବର୍ଗରେ

ଭୁବନେଶ୍ବର: ଓଡ଼ିଶାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସବୁଠୁ ଉତ୍କୃଷ୍ଟ। ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଦେଶବ୍ୟାପୀ ଏହା ସବୁଠୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍ଏସ୍‌ଏ)ରେ ସାଧାରଣ ବର୍ଗର ରାଜ୍ୟମାନଙ୍କ ରୢାଙ୍କିଙ୍ଗ୍‌ରେ ୦.୮୩୬ ଇଣ୍ଡେକ୍ସ ସ୍କୋର ସହ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଗତ ଏକ ସପ୍ତାହ ଭିତରେ ଜାରି ହୋଇଥିବା ତିନିଟି ରିପୋର୍ଟରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଏହାର ଉପସ୍ଥିତିକୁ ଦୃଢ଼ ଭାବେ ଜାହିର କରିଛି। ଜୁନ୍‌ ୩୦ରେ ଜାରି ହୋଇଥିବା ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜନେସ୍ ରୢାଙ୍କିଙ୍ଗ୍‌‌ରେ ଓଡ଼ିଶା ‘ଆଚିଭର୍ସ’ ବର୍ଗରେ ରହିଥିଲା ଓ ଗତକାଲି ଜାରି ହୋଇଥିବା ଷ୍ଟାର୍ଟଅପ୍ ରୢାଙ୍କିଙ୍ଗ୍‌ରେ ଓଡ଼ିଶା ଟପ୍ ପରଫରମର୍‌ ବର୍ଗରେ ରହିଥିଲା।

ଆଜି ଜାରି ହୋଇଥିବା ଏନ୍ଏଫ୍‌ଏସ୍‌ଏ ରୢାଙ୍କିଙ୍ଗ୍‌ରେ ଓଡ଼ିଶା ପଛକୁ ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଉଛନ୍ତି ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଝାଡ଼ଖଣ୍ଡ। ସ୍ବତନ୍ତ୍ର ବର୍ଗର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ତ୍ରିପୁରା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପଛକୁ ରହିଛନ୍ତି ହିମାଚଳପ୍ରଦେଶ, ସିକିମ୍, ନାଗାଲାଣ୍ଡ୍, ଉତ୍ତରାଖଣ୍ଡ ଓ ମିଜୋରାମ। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାଦର ଆଣ୍ଡ ନଗର ହାଭେଲି ଏବଂ ଡାମନ୍ ଡିଉ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛନ୍ତି ପୁଡୁଚେରି ଓ ଚଣ୍ଡିଗଡ଼। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ସମ୍ପର୍କିତ ଖାଦ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏନ୍ଏଫ୍ଏସ୍‌ଏ ପାଇଁ ରୢଜ୍ୟମାନଙ୍କ ରୢାଙ୍କିଙ୍ଗ୍‌ ଜାରି କରିଛନ୍ତି। ତିନିଟି ପ୍ରମୁଖ ସ୍ତମ୍ଭ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରୢାଙ୍କିଙ୍ଗ୍‌ ନିର୍ଧାରଣ କରାଯାଇଛି। ତାହା ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କେତେ ଅଧିକ ଲୋକ ଓ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିଛି ଏବଂ ନିୟମରେ କି କି ବ୍ୟବସ୍ଥା ରହିଛି? ଦ୍ବିତୀୟଟି ହେଉଛି ହିତାଧିକାରୀଙ୍କୁ କେଉଁ ମାଧ୍ୟମରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି? ତୃତୀୟଟି ହେଉଛି ପୁଷ୍ଟି ଅଭିଯାନ। ପ୍ରଥମ ସ୍ତମ୍ଭରେ ୦.୮୭୦ ଇଣ୍ଡେକ୍ସ ସ୍କୋର ସହ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଦ୍ବିତୀୟ ସ୍ତମ୍ଭରେ ୦.୭୯୦ ଇଣ୍ଡେକ୍ସ ସ୍କୋର ସହ ଓଡ଼ିଶା ଚତୁର୍ଥ ସ୍ଥ‌ାନରେ ରହିଛି।

ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସାମିଲ ହୋଇଥିବା ପରିବାର, ଯୋଡ଼ି ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା, ରାସନ କାର୍ଡ ସହ ଆଧାର ସିଡିଂ, ରାସନ କାର୍ଡ ସହ ମୋବାଇଲ୍‌ ନମ୍ବର ସିଡିଂ, ମହିଳା ମୁଖ୍ୟ ଥିବା ପରିବାର ସଂଖ୍ୟା, ସବୁ ସ୍ତରରେ ସତର୍କତା କମିଟି ଗଠନ, ସାମାଜିକ ଅଡିଟ୍, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଭଣ୍ଡାର ଘର ଭିତ୍ତିଭୂମି ବ୍ୟବସ୍ଥା, ଅନଲାଇନ ଗୋଦାମ ଘର/ ଇନଭେଣ୍ଟୋରି ପରିଚାଳନା ବ୍ୟବସ୍ଥା, ରାଜ୍ୟ ଖାଦ୍ୟ କମିସନ ଗଠନ କରିବା, ଡିଜିଆର୍‌ଓ ନିଯୁକ୍ତି, ଅଭିଯୋଗ ପଞ୍ଜୀକରଣ ପାଇଁ ଅନଲାଇନ୍ ବ୍ୟବସ୍ଥା, ଦେୟମୁକ୍ତ ନମ୍ବର ୧୯୬୭/୧୮୦୦ ସିରିଜ୍‌କୁ କାର୍ଯ୍ୟକାରୀ କରିବା, ମତାମତ ସଂଗ୍ରହ ବ୍ୟବସ୍ଥା, ଆବଣ୍ଟିତ ଖାଦ୍ୟଶସ୍ୟର ଅନଲାଇନ୍ ପ୍ରୋ‌ସେସିଂ, ସୁଲଭ ମୂଲ୍ୟ ଦୋକାନ ଡିଲରଙ୍କୁ ଅନଲାଇନ୍ ପେମେଣ୍ଟ୍‌ ବିକଳ୍ପ ପ୍ରଦାନ କରିବା, ହିତାଧିକାରୀଙ୍କ ଘରେ ଖାଦ୍ୟଶସ୍ୟ ପହଞ୍ଚାଇବା ସୁବିଧା, ଦୋକାନରେ ଇଲେକ୍ଟ୍ରୋନିକ୍ସ ପିଓଏସ୍ ବ୍ୟବସ୍ଥା ଓ ଆଧାର ଭିତ୍ତିକ ଓଟିପି ସ୍ବୀକୃତି ବ୍ୟବସ୍ଥା ଆଦିକୁ ରୢାଙ୍କିଙ୍ଗ୍‌ ପ୍ରଦାନ କରିବା ବେଳେ ବିଚାରକୁ ନିଆଯାଇଥିଲା।

୨୦୧୫ରୁ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଥିଲା। ରାଜ୍ୟ ସରକାର ଟାର୍ଗେଟେଡ୍‌ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡିଏସ୍‌)ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତର ସବୁ ପ୍ରକ୍ରିୟାର କମ୍ପ୍ୟୁଟରୀକରଣ କରିଥିଲେ। ସାର୍ବଜନୀନ ପ୍ଲାଟ୍‌ଫର୍ମରେ ୩.୨୫ କୋଟି ହିତାଧିକାରୀଙ୍କ ଡାଟା ବେସ୍ ରହିଛି ଏବଂ ଅତି ଚମତ୍କାର ଢଙ୍ଗରେ ୩୭୮ ରାସନ କାର୍ଡ ପରିଚାଳନା ବ୍ୟବସ୍ଥା (ଆର୍‌ସିଏମ୍‌ଏସ୍‌) କେନ୍ଦ୍ରରେ ତାହାକୁ ଅପ୍‌ଡେଟ୍‌ କରି ରଖାଯାଇଛି । ଏହି କେନ୍ଦ୍ରଗୁଡ଼ିକ ୩୧୪ଟି ବ୍ଲକ୍ ଓ ୬୪ଟି ପୌରାଞ୍ଚଳରେ ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଭାଗ ଅଧୀନରେ ଥିବା ସମସ୍ତ ୧୫୨ଟି ଖାଦ୍ୟ ଭଣ୍ଡାର ଡିପୋକୁ ସମ୍ପୂର୍ଣ୍ଣ ସ୍ବୟଂକ୍ରିୟ କରାଯାଇଛି ଯେଉଁଥିରେ ପ୍ରତି ମାସରେ ରାଜ୍ୟରେ ଥିବା ୧୨,୧୩୩ ସୁଲଭ ମୂଲ୍ୟ ଦୋକାନ ଜରିଆରେ ହିତ‌ାଧିକାରୀମାନଙ୍କ ଘରେ ପହଞ୍ଚୁଥିବା ୧.୮୭ ଲକ୍ଷ ଟନ୍‌ ଖାଦ୍ୟଶସ୍ୟର ବାସ୍ତବ ସମୟ ରେକର୍ଡିଂ ବ୍ୟବସ୍ଥା ରହିଛି। ସବୁ ସୁଲଭ ମୂଲ୍ୟ ଦୋକାନରେ ଇଲେକ୍ଟ୍ରୋନିକ୍‌ ପଏଣ୍ଟ୍ ଅଫ୍ ସେଲ୍‌ ଡିଭାଇସ୍ ରହିଛି ଯାହା ସ୍ବୟଂକ୍ରିୟ ମାଧ୍ୟମରେ ପିଡିଏସ୍ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରିବାକୁ ନିଶ୍ଚିତ କରୁଛି।

୨୦୨୧ରେ ରାଜ୍ୟ ସରକାର ୱାନ୍ ନେସନ୍ ୱାନ୍ ରାସନ କାର୍ଡ (ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ) ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ଫଳରେ ରାଜ୍ୟର ପିଡିଏସ୍ ହିତାଧିକାରୀମାନେ ଦେଶର ଯେକୌଣସି କୋଣରେ ରହି ନିଜ ଭାଗର ଖାଦ୍ୟଶସ୍ୟ ପାଇପାରୁଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ପ୍ରାୟ ୧.୧୦ ଲକ୍ଷ ପରିବାର ଉପକୃତ ହୋଇଛନ୍ତି। ରାଜ୍ୟ ଭିତରେ ଅଲଗା ସ୍ଥାନରେ ଥିବା ୫୩୩ ପରିବାର ନିଜ ଭାଗର ଖାଦ୍ୟଶସ୍ୟ ପାଇଛନ୍ତି। ରାଜ୍ୟରେ ଥିବା ୧୨,୨୦୬ଟି ସୁଲଭ ମୂଲ୍ୟ ଦୋକାନ ମଧ୍ୟରୁ ୧୦୫୭୮ଟି ଦୋକାନକୁ ଓଏନ୍‌ଓଆର୍‌ସି ସୁବିଧା ସକ୍ରିୟ ଥିବା ଦୋକାନରେ ପରିଣତ କରାଯାଇଛି। ନେଟ୍‌ୱର୍କ ସଂଯୋଗରେ ଉନ୍ନତି ହେବା ପରେ ଅନ୍ୟ ଦୋକାନଗୁଡ଼ିକୁ ମଧ୍ୟ ଓଏନ୍‌ଓଆର୍‌ସିରେ ଯୋଡ଼ାଯିବ। ୨୦୨୧ ଜୁଲାଇ ପରଠାରୁ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ପିଡିଏସ୍ ବ୍ୟବସ୍ଥା ଅଧୀନରେ ଫୋର୍ଟିଫାଏଡ୍ ଚାଉଳ ଯୋଗାଣର ପରୀକ୍ଷାମୂଳକ ସ୍କିମ୍ ଆରମ୍ଭ କରିଥିଲେ। ଏନ୍‌ଏସ୍‌ଏଫ୍‌ଏ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ ଅଧୀନରେ ଥିବା ୪.୬୬ ସଦସ୍ୟଙ୍କୁ ନେଇ ଗଠିତ ୧.୨୯ ଲକ୍ଷ ପରିବାରକୁ ପ୍ରତି ମାସରେ ୩,୧୩୮ ଟନ୍ ‌ଫୋର୍ଟିଫାଏଡ୍‌ ଚାଉଳ ଦିଆଯାଉଛି। ପିଏମ୍-ପୋଷଣ କାର୍ଯ୍ୟକ୍ରମରେ ଗଣ ଶିକ୍ଷା ବିଭାଗକୁ ଓ ଏସ୍‌ଏନ୍‌ପି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଫୋର୍ଟିଫାଏଡ୍‌ ଚାଉଳ ଯୋଗାଣ ଆରମ୍ଭ କରାଯାଇଛି।

ସାରା ଦେଶରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିବାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସଂଯୋଜନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ସଫଳତା ପାଇଁ ସେ ନିଜ ବିଭାଗର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମ୍ମିଳନୀରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ସୁଭମ ସକ୍ସେନା ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣକାରୀ ବିଭାଗର ଅତିରିକ୍ତ ସଚିବ କମରୁଲ ହକ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର