ବିଲରେ କାମ କରୁଛନ୍ତି ଜାତୀୟ ଫୁଟବଲ୍ ଖେଳାଳି ଲକ୍ଷ୍ମୀ

ଭୁବନ : ସରକାର ଖେଳର ବିକାଶ ପାଇଁ ନାନା ଯୋଜନା କରୁଛନ୍ତି। ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ନାନା ପଦକ୍ଷେପ ନେଉଛନ୍ତି। ଏହାସତ୍ତ୍ବେ ଅନେକ ପ୍ରତିଭାବାନ ଖେଳାଳି ଦୁର୍ଦ୍ଦଶାରେ ଦିନ କାଟୁଥିବା ଦେଖାଯାଉଛି। ସେଥିରୁ ବାଦ୍‌ ପଡ଼ିନାହାନ୍ତି ଜାତୀୟ ଫୁଟବଲ୍ ଖେଳାଳି ଲକ୍ଷ୍ମୀ ମୁଣ୍ଡା (୨୦)। ନିଜର ପେଟ ପୋଷିବା ପାଇଁ ସେ ଏବେ ଧାନବିଲରେ କାମ କରୁଛନ୍ତି। ସେ ବର୍ତ୍ତମାନ ଭୁବନ ମହିଳା ମହାବିଦ୍ୟାଳୟର ଅର୍ଥନୀତି ବିଭାଗ(ସମ୍ମାନ)ର ଶେଷ ବର୍ଷର ଛାତ୍ରୀ। ସେ ପାଠ ପଢିବା ସହ ୧୦ ବର୍ଷ ଧରି ଫୁଟବଲ ଖେଳକୁ ଆଦରି ନେଇଥିବାବେଳେ କରୋନା ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଫୁଟବଲ୍ ଖେଳ ଅଭ୍ୟାସ ହୋଇପାରୁନାହିଁ। ତାଙ୍କ ଘରେ ଫୁଟବଲ୍‌ଟିଏ ନଥିବା ଜଣାପଡ଼ିବା ପରେ ଭୁବନ ତୃପ୍ତି ପାଠାଗାର ପକ୍ଷରୁ ଗତକାଲି ତାଙ୍କୁ ଏକ ଫୁଟବଲ୍ ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମଙ୍ଗଳପୁର ଗ୍ରାମର ବାଲାତି ମୁଣ୍ଡାଙ୍କର ସବା ସାନ ଝିଅ ଲକ୍ଷ୍ମୀ ମୁଣ୍ଡା ନିଜ ଗାଁ ସ୍କୁଲରେ ପଞ୍ଚମ ପର୍ଯ୍ୟନ୍ତ ପଢିଥିଲେ। ୨୦୧୦ ମସିହାରେ ଷଷ୍ଠ ଶ୍ରେଣୀରେ ମହାମାୟୀ ଉଚ୍ଚବିଦ୍ୟାଳୟରେ ପଢିବା ପରେ ସେ ଫୁଟବଲ୍‌ ସହ ଜଡ଼ିତ ହୋଇଥିଲେ। ପ୍ରଥମେ ବ୍ଲକ୍‌ ପରେ ଜିଲ୍ଲାସ୍ତରୀୟ ଖେଳାଳି ଭାବେ ନିଜକୁ ପ୍ରତିପାଦନ କରିପାରିଥିଲେ। ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଭୁବନେଶ୍ୱରସ୍ଥିତ ଦେବରାୟ କଲେଜରେ ପାଠ ପଢିବା ସହ ଫୁଟବଲ ଖେଳିବା ନିମନ୍ତେ ସୁଯୋଗ ପାଇଥିଲେ । ପରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସିର ଯୁକ୍ତ ତିନି ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନିରେ ଅର୍ଥନୀତି ସମ୍ମାନରେ ପାଠ ପଢିବାକୁ ନାମ ଲେଖାଇବା ସହ ଫୁଟବଲ ଖେଳକୁ ଆହୁରି ଆଗେଇ ନେଇଥିଲେ। ସେ ‌ଓଡ଼ିଶାରୁ ମନୋନୀତ ହେବା ପରେ ଦେଶର ଗୋଆ, ମଧ୍ୟପ୍ରଦେଶ ଆଦି ୧୦ରୁ ଅଧିକ ରାଜ୍ୟକୁ ଯାଇ ଫୁଟବଲ୍ ଖେଳିଛନ୍ତି। ଅଧିକ ଅଭ୍ୟାସ ନିମନ୍ତେ ଭୁବନେଶ୍ବରସ୍ଥିତ ନିତ୍ୟା ଆମ୍ବାନି କ୍ରୀଡ଼ା ଏକାଡେମୀ ଓ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ମହିଳା ଫୁଟବଲ ଏକାଡେମୀରେ ୫ ମାସ ପ୍ରଶିକ୍ଷଣ ନେଇଛନ୍ତି । ପରେ କରୋନା ଯୋଗୁ ପ୍ରଶିକ୍ଷଣ ବନ୍ଦ ରହିଛି । ଇତିମଧ୍ୟରେ ଲକ୍ଷ୍ମୀଙ୍କ ଭଉଣୀମାନଙ୍କର ବାହାଘର ହୋଇସାରିଛି। ଅନ୍ୟପକ୍ଷରେ ତାଙ୍କ ମାଆଙ୍କ ପରଲୋକ ହୋଇଯାଇଛି। ବୟସାଧିକ କାରଣରୁ ତାଙ୍କ ବାପା ବି ଚାଲି ପାରୁନାହନ୍ତି। ପେଟ ପୋଷିବା ପାଇଁ ଲକ୍ଷ୍ମୀ ନିଜ ଓ ଅନ୍ୟ ଧାନ ବିଲରେ କାମ କରୁଛନ୍ତି ।

ଏ ସଂପର୍କରେ ଭୁବନ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଡିଗ୍ରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କୁହନ୍ତି ଯେ, ଲକ୍ଷ୍ମୀ ମୁଣ୍ଡା ଜଣେ ଗରିବ, ମେଧାବୀ ଛାତ୍ରୀ। ଅନେକ ସମୟରେ ମହାବିଦ୍ୟାଳୟର ବିଭିନ୍ନ ଫି ଭରଣା କରିବାରେ ସମୟ ନିଅନ୍ତି। ତାଙ୍କ ପରିବାରରେ ମଧ୍ୟ ଅନେକ ଅସୁବିଧା ରହିଛି । ଫୁଲବଲ୍ ଖେଳ ପାଇଁ ତାଙ୍କର ଆଗ୍ରହ ରହିଛି। ବନବାସୀ ଛାତ୍ରୀ ଭାବରେ ସେ ବହୁ କଷ୍ଟସହ୍ୟ କରି ପାଠପଢା ସହିତ ଖେଳକୁ ନିଜର ସାଥୀ କରିପାରିଛନ୍ତି। ସେହିପରି ତୃପ୍ତି ପାଠାଗାର ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି ଯେ, କରୋନା ଲକ୍‌ଡାଉନ୍‌ ସମୟରେ ଲକ୍ଷ୍ମୀ ଫୁଟବଲ୍ ଖେଳ ଅଭ୍ୟାସ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ଆଦିବାସୀ ଭଉଣୀ ନିଜର ଘରର ସମସ୍ତ ଅସୁବିଧା ସତ୍ତ୍ବେ ଖେଳକୁ ଜୀବନ ଧାରଣର ମାଧ୍ୟମ କରିବାକୁ ଆଗ୍ରହ କରିଥିବା ବିଷୟ ଜାଣିବା ପରେ ତୃପ୍ତି ପାଠାଗାର ପକ୍ଷରୁ ଫୁଟବଲ୍ କ୍ରୀଡ଼ା ପ୍ରଶିକ୍ଷକ ଗଦାଧର ସାହୁଙ୍କ ଜରିଆରେ ତାଙ୍କୁ ଏକ ଫୁଟବଲ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର