ଷଷ୍ଠ ଜାତୀୟ ହସ୍ତତନ୍ତ ଦିବସ : ୪ ହସ୍ତତନ୍ତ କମ୍ପାନିକୁ ପ୍ରମାଣପତ୍ର ପ୍ରଦାନ

ଭୁବନେଶ୍ବର : ବୁଣାକାର ସେବାକେନ୍ଦ୍ରରେ ଷଷ୍ଠ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ବୟନଶିଳ୍ପ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ବୁଣାକାରଙ୍କ ଉଦ୍ଦେଶ୍ୟରେ ନିଆଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଭବିଷ୍ୟତରେ ଇ-ମାର୍କେଟିଂର ଉପାଦେୟତା, ହସ୍ତତନ୍ତ ବୁଣାକାରମାନଙ୍କୁ ନେଇ କମ୍ପାନି ପ୍ରତିଷ୍ଠା, ହ୍ୟାଣ୍ଡ୍‌ଲୁମ୍‌ ମାର୍କ, ଭାରତୀୟ ହସ୍ତତନ୍ତ ବ୍ରାଣ୍ଡ୍‌, ବୁଣାକାରଙ୍କୁ ଯୋଗାଇ ଦିଆଯାଉଥିବା କଞ୍ଚାମାଲ୍‌ ଭଳି ପ୍ରସଙ୍ଗରେ ଶ୍ରୀ ଦାସ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୪ଟି ତାଲିକାଭୁକ୍ତ ଉତ୍ପାଦ କମ୍ପାନି ମେସର୍ସ ତରାବୋଇ ହ୍ୟାଣ୍ଡ୍‌ଲୁମ ପ୍ରଡ୍ୟୁସର କମ୍ପାନି ଲିମିଟେଡ୍‌, ମେସର୍ସ ଶୁଭଶ୍ରୀ ହ୍ୟାଣ୍ଡ୍‌ଲୁମ ପ୍ରଡ୍ୟୁସର କମ୍ପାନି ଲିମିଟେଡ୍‌, ମେସର୍ସ ନୂଆପାଟଣା ଇକତ୍‌ ହ୍ୟାଣ୍ଡ୍‌ଲୁମ କମ୍ପାନି ଲିମିଟେଡ୍‌, ମେସର୍ସ ଝିଲିମିଣ୍ଡା ଟ୍ରାଡିସନାଲ ହ୍ୟାଣ୍ଡ୍‌ଲୁମ ପ୍ରଡ୍ୟୁସର କମ୍ପାନି ଲିମିଟେଡ୍‌କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ବୁଣାକାର ସେବାକେନ୍ଦ୍ରର ନିର୍ଦେଶକ ମନୋଜ ଜୈନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉତ୍ସବରେ ମେସର୍ସ ଆମାଜନର ଦୁର୍ଗାମାଧବ ନାହାକ, ମେସର୍ସ ଜିଇଏମ୍‌ର ସୁଧାଂଶୁ ପ୍ରଧାନ, ବୁଣାକାର ସେବାକେନ୍ଦ୍ର ଭୁବନେଶ୍ବରର କେ.ବେହେରା, ବୟନଶିଳ୍ପ ନିର୍ଦେଶାଳୟର ଉପନିର୍ଦେଶକ ଦେବଜିତ୍‌ ନନ୍ଦୀ, ଟେକ୍ସଟାଇଲ୍‌ କମିଟିର ପ୍ରଦୀପ କୁମାର ଦାଶ, ବୁଣାକାର ସେବାକେନ୍ଦ୍ରର ଉପନିର୍ଦେଶକ ସୁରେନ୍ଦ୍ର କୁମାର ପାତ୍ର, ଏନ୍‌ଏଚ୍‌ଡିସିର ଆଞ୍ଚଳିକ ପ୍ରବନ୍ଧକ ଏ.କେ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବୁଣାକାର ସେବା କେନ୍ଦ୍ରର ଟେକ୍ସଟାଇଲ୍‌ ଡିଜାଇନର ବିଉଟି ମିଲି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର