ଭୁବନେଶ୍ୱର : ଆସନ୍ତାକାଲି (ଶୁକ୍ରବାର) ଜାତୀୟ ହସ୍ତତନ୍ତ ଦିବସ। ଏହି ଦିନ ଆସିଲେ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରଚଳନ କରିଥିବା ବିଭିନ୍ନ ଯୋଜନାର ଡିଣ୍ଡିମ ପିଟନ୍ତି। ସଫଳତାର ଲମ୍ବା କାହାଣୀ ବଖାଣନ୍ତି। ମାତ୍ର କୋରେଇ ବ୍ଲକ୍‌ର ଜହ୍ନାରେ ୨୫ଟି ତନ୍ତ ସବୁଦିନ ପାଇଁ ବନ୍ଦ ହୋଇଯିବା ପଛରେ ଥିବା କାରଣ କେବେ ଖୋଜିନାହାନ୍ତି କି ରାଜ୍ୟରେ ବୃତ୍ତି ହରାଇଥିବା ୩୦ପ୍ରତିଶତ ବୁଣାକାରଙ୍କୁ ସେମାନଙ୍କ କୌଳିକ ବୃତ୍ତିକୁ ଫେରିବା ପାଇଁ କେବେ ବାଟ କାଢ଼ିନାହାନ୍ତି। ଫଳରେ ଆଜି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଲକ୍ଷଲକ୍ଷ ବୁଣାକାର।

Advertisment

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ହିସାବ ମୁତାବକ, ରାଜ୍ୟରେ ୧ ଲକ୍ଷ ୩୦ ହଜାର ବୁଣାକାର ଅଛନ୍ତି। ମାତ୍ର ଓଡ଼ିଶା ଶିଳ୍ପୀ ମହାସଂଘର ସୂଚନା ମୁତାବକ, ରାଜ୍ୟରେ ଏବେ ବି ୫ଲକ୍ଷ ବୁଣାକାର ଅଛନ୍ତି। ସରକାରୀ ହିସାବରେ ଥିବା ବୁଣାକାରମାନେ ସିନା ବିଭିନ୍ନ ସମବାୟ ସମିତି ଜରିଆର ନିଜର ବୁଣା ହସ୍ତତନ୍ତକୁ ବିକ୍ରି କରି ଦେଉଛନ୍ତି କିନ୍ତୁ ସାଧାରଣ ବୁଣାକାରମାନଙ୍କ ପାଇଁ ବଜାର ନାହିଁ। ପଶ୍ଚିମାଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳମାନଙ୍କରେ ଯେଉଁ ବୁଣାକାରମାନେ ଅଛନ୍ତି ଏବଂ ସମବାୟ ସମିତି ଅଧୀନରେ ନାହାନ୍ତି, ସେମାନେ ନିଜର ବୁଣା ସାମଗ୍ରୀଗୁଡ଼ିକ ବିକ୍ରି କରିବା ବେ‌ଳେ ଉଚିତ ମୂଲ୍ୟ ପାଆନ୍ତି ନାହିଁ। ଏହି କାରଣ ଯୋଗୁଁ ସେମାନେ ବାହାରେ ମୂଲ ଲାଗିବାକୁ ପସନ୍ଦ କରୁଛନ୍ତି ସିନା କିନ୍ତୁ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି ବୋଲି କହିଛନ୍ତି ଓଡ଼ିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଂଜନ କର।

publive-image Millennium Post

ସେ କହିଛନ୍ତି, ୯୦ ପ୍ରତିଶତ ବୁଣାକାରଙ୍କର ନିଜସ୍ବ ଜମି ବାଡ଼ି ନାହିଁ। ତେଣୁ ତନ୍ତ ଯୋଗୁଁ ସେମାନଙ୍କ ଚୁଲି ଜଳେ। ମାତ୍ର ସେମାନେ ବୁଣା ସାମଗ୍ରୀର ଉଚିତ ମୂଲ୍ୟ ପାଆନ୍ତି ନାହିଁ। ବିଡ଼ମ୍ବନା ଏହି ଯେ ସରକାର ଶ୍ରମିକ, ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ, ବେସାହାରାଙ୍କୁ ଦୃଷ୍ଟିରେ ରଖି ୨୨ଶହ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ। ଅଥଚ ସେଥିରେ ବୁଣାକାରଙ୍କ ପାଇଁ କିଛି ରଖିଲେ ନାହିଁ। କରୋନା ଭଳି ବିପତ୍ତି ସମୟରେ ବୁଣାକାରମାନଙ୍କୁ ପ୍ୟାକେଜ୍‌ରେ ନିରୁତ୍ସାହିତ କରାଯାଇ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମବାୟ ସମିତି ସହ ସଂଶ୍ଳିଷ୍ଟ ବୁଣାକାର ବି କମ୍‌ ଛଟପଟ ହେଉନାହାନ୍ତି। ମା’ ତାରିଣୀ ବୁଣାକାର ସମବାୟ ସମିତିର ଅଶୋକ କୁମାର ଗୁଇଁ କହିଛନ୍ତି, ଗୋପାଳପୁରର ୧୭ଟା ସମବାୟ ସମିତି ଉପରେ ୨୫ ଶହ ବୁଣାକାର ନିର୍ଭରଶୀଳ। ମେ’ ମାସରେ ସୂତା ମିଳିବା ପ‌ରେ ସେମାନେ କାମ କରି ରଖିଛନ୍ତି। ମାତ୍ର ସେଠାରୁ ହସ୍ତତନ୍ତ ସାମଗ୍ରୀ ସଂଗ୍ରହ କରାଯାଉନାହିଁ। କଣ୍ଟେନମେଣ୍ଟ୍‌ ଜୋନ୍‌ରେ ଥିବା ଦର୍ଶାଇ ବୟନିକା ଓ ଉତ୍କଳିକା ପକ୍ଷରୁ ଆଉ ହସ୍ତତନ୍ତ ସଂଗ୍ରହ କରାଯାଉ ନାହିଁ। କେବଳ ଏହି ଅଞ୍ଚଳ ନୁହେଁ, ଅନେକ ସ୍ଥାନରେ ସେଇ ସମାନ ସମସ୍ୟା ଲାଗି ରହିଛି। ତେଣୁ ବୁଣାକାର ଦିବସ ପାଳନ କରିବା ବେଳେ ସରକାର ଅନ୍ତତଃ ଏହି ଦିଗଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ କର ଦାବି କରିଛନ୍ତି।