ବରଗଡ: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉପଲକ୍ଷେ ସ୍ଥାନୀୟ ଲେଙ୍ଗୁମିଶ୍ର ମିନି ଷ୍ଟାଡିୟମ ଠାରେ ୫ମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ ହେଇଅଛି। ଏହି “ଜାତୀୟସ୍ତରୀୟ ହସ୍ତତନ୍ତ ମେଳା" ଡିସେମ୍ବର ୨୧ରେ ଉଦ୍‌ଘାଟିତ ହୋଇଥିଲା ବେଳେ ଆସନ୍ତା ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। ଏହାକୁ ବରଗଡ଼ ଜିଲାପାଳ ମୋନିସା ବାନାର୍ଜୀ ଉଦଘାଟନ କରିବା ସହ ମେଳା ପରିସର ବୁଲି ଦେଖିଥିଲେ। ଉଦଘାଟନୀ ସନ୍ଧ୍ୟାରେ ମେଳା ପରିସରରେ ହସ୍ତତନ୍ତରେ ଆଧୁନିକତା ଉପରେ ଏକ ଭବ୍ୟ ଫ୍ୟାଶନ୍‌ ସୋ’ର ଆୟୋଜନ କରାଯାଇଥିଲା।

Advertisment

ଏହି ମେଳାରେ ୮୦ ଗୋଟି ଷ୍ଟଲ ଖୋଲାଯାଇଛି। ଏଥି ମଧ୍ୟରୁ ୬୦ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ବାକି ୨୦ ଗୋଟି ଷ୍ଟଲ ଅନ୍ୟରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଅଛି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନକୁ ପ୍ରଦର୍ଶିତ କରାଇ ବିକ୍ରିକରିବେ। ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର କାମଦାନି ଓ ଟାଙ୍ଗାଇଲ, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ବିକେନକାରୀ, ଜାମ୍ମୁ କାଶ୍ମୀରର ପଦ୍ମିନା-ସାଲ, ତାମିଲନାଡୁର କାଞ୍ଜିବରମ ପାଟଶାଢୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍‌ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣାଟକର ଶିଳ୍ପ ଶାଢୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

ଦର୍ଶକ ଓ ଗ୍ରାହକମାନଙ୍କ ପାଇଁ ଏହି ମେଳା ପ୍ରତ୍ୟହ ଦିବା ୧୧,୩୦ ଘଟିକାଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲାଯାଉଛି। ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ଵତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି। ଏଠାରେ ଦେଶର ସମସ୍ତ ରାଜ୍ୟର ହସ୍ତତନ୍ତ ବସ୍ତ୍ର ସହି ପାରମ୍ପରିକ ଖାଦ୍ୟ, ଖେଳ କୁଦ ଓ ପ୍ରତ୍ୟକ ସଂଧ୍ୟାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଅଛି । ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ରହିଥିବା ସୂଚନା ମିଳିଛି ।