ଜାତୀୟ ହେଲଥ୍ ମେଡିକନ୍-୨୦୨୧ : ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସା ପ୍ରଣାଳୀର ସଦ୍ୟତମ ଅଗ୍ରଗତି ଉପରେ ଆଲୋଚନା

ଭୁବନେଶ୍ୱର : ଇଣ୍ଡିଆନ୍‌ ପ୍ରୋକ୍ଟୋଲୋଜି ସୋସାଇଟି(ଆଇପିଏସ୍‌) ଦ୍ବାରା ଭୁବନେଶ୍ବରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଦିନିକିଆ ଜାତୀୟ ସମ୍ମିଳନୀ ‘ହେଲ୍ଥ ମେଡିକନ୍-୨୦୨୧’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିହାର ପୁସାସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନିତି ଆୟୋଗ ସ୍ଥାୟୀ କମିଟିର ସଦସ୍ୟ ତଥା ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସମ୍ବାଦ କଳିକାର ସମ୍ପାଦକ ଓ ଆଇପିଏସ୍ ଉପଦେଷ୍ଟା ଜୟାଶିଷ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଆଇପିଏସ୍‌ର ପ୍ରତିଷ୍ଠାତା ସଭାପତି ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ଡାକ୍ତର ଚତୁର୍ଭୁଜ ଭୂୟାଁ ସଭାପତିତ୍ୱ କରିଥିଲେ। ସମ୍ମିଳନୀର ସଂଗଠନ ସମ୍ପାଦକ ଡାକ୍ତର ପ୍ରସନ୍ନ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ସମ୍ମିଳନୀରେ ‘ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସା ପ୍ରଣାଳୀର ସଦ୍ୟତମ ଅଗ୍ରଗତି’ ସମ୍ପର୍କରେ ଚାରିଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଆୟୁର୍ବେଦ ବିଶେଷଜ୍ଞ, ବିଭିନ୍ନ ଆୟୁର୍ବେଦ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର, ବୈଜ୍ଞାନିକ, ଆୟୁର୍ବେଦରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ସମ୍ମିଳନୀର ଆୟୋଜନରେ ଅଖିଳ ଭାରତ ଆୟୁର୍ବେଦ ବିଶେଷଜ୍ଞ ସଂଘ, ଅଖିଳ ଭାରତ ଆୟୁର୍ବେଦ କଂଗ୍ରେସ, ଓଡ଼ିଶା ସରକାରୀ ଆୟୁର୍ବେଦ ଶିକ୍ଷକ ସଂଘ ଏବଂ ଓଡ଼ିଶା ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର