ଭୁବନେଶ୍ୱର : ସାଧାରଣ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସକାଶେ କାର୍ଯ୍ୟକାରୀ ହେଉଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ
ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇଛି । ରାଜ୍ୟବାସୀ ଏହି ଯୋଜନାର ସୁଫଳ ପାଉନଥିବାବେଳେ ରୋଗୀଙ୍କ କଲ୍ୟାଣ ନିମନ୍ତେ ଆସୁଥିବା
ବିପୁଳ ଅର୍ଥ ବାଟମାରଣା ହେଉଛି । ଅନ୍ୟପକ୍ଷରେ ଏହି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ ସମୀକ୍ଷା ନକରି
ସବୁକିଛି ରାଜ୍ୟ ସରକାରଙ୍କ ଉପରେ ଛାଡି ଦେଇଛନ୍ତି । ଫଳରେ ଯୋଜନାର ବିପୁଳ ଅର୍ଥ ହରିଲୁଟ ହେଉଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ
କମିଟି ସଭାପତି ନିରଂଜନ ପଟନାୟକ ଅଭିଯୋଗ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ବିବୃତିରେ ସେ କହିଛନ୍ତି ଯେ ଓଡ଼ିଶାରେ ୧୭୭୦ଟି ପଞ୍ଜିକୃତ ଏବଂ ୫୪ଟି ଅଣ ପଞ୍ଜିକୃତ ରୋଗୀକଲ୍ୟାଣ ସମିତି ରହିଛି । ଏହି
ରୋଗୀ କଲ୍ୟାଣ ସମିତିଗୁଡିକୁ ବାର୍ଷିକ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି । ଉକ୍ତ ଅର୍ଥ ଖର୍ଚ୍ଚ କିଭଳି ଖର୍ଚ୍ଚ କରାଯିବ ଏବଂ କେଉଁ
ଜିନିଷପତ୍ର କିଣାଯିବ, ସେ ସମ୍ପର୍କରେ ସରକାରୀ ନିର୍ଦ୍ଦେଶାବଳୀ ରହିଛି । ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଜିଲ୍ଲା ଶିଳ୍ପକେନ୍ଦ୍ରକୁ ପ୍ରାଥମିକତା
ପ୍ରଦାନ କରାଯିବା ସହିତ ସ୍ୱୟଂସହାୟକ ଗୋଷ୍ଠୀଗୁଡିକୁ ଅଗ୍ରାଧିକାର ଦେବାକୁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ)
ନିର୍ଦ୍ଦେଶାବଳୀରେ ଉଲ୍ଲେଖ ଅଛି । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଏ ସମ୍ପର୍କିତ କୌଣସି ତଥ୍ୟ ସ୍ୱାସ୍ଥ୍ୟ
ସଚିବ କିମ୍ବା ମିଶନ ଡାଇରେକ୍ଟରଙ୍କ ନିକଟରେ ନାହିଁ । ଆଶ୍ଚର୍ଯ୍ୟର କଥା ଯେ, ମିଶନ ଡାଇରେକ୍ଟର ୨୦୧୫ ଶେଷଭାଗରୁ ୨୦୧୭ ଆରମ୍ଭ
ମଧ୍ୟରେ କୌଣସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିନଥିଲେ କିମ୍ବା ରୋଗୀକଲ୍ୟାଣ ସମିତିଗୁଡିକ ସେମାନଙ୍କୁ ଦିଆଯାଉଥିବା ଅର୍ଥକୁ
କିଭଳି ଖର୍ଚ୍ଚ କରୁଛନ୍ତି ତାହା ସମୀକ୍ଷା କରିନଥିଲେ । କେବିକେ ଅଂଚଳ କଥା ତ ନକହିବା ଭଲ । ସେଠାକୁ ବିଭାଗୀୟ ଅଧିକାରୀମାନଙ୍କର
ପାଦ ପଡେନାହିଁ । ପ୍ରାପ୍ତ ଅଡିଟ ରିପୋର୍ଟ ଅନୁଯାୟୀ ରୋଗୀ କଲ୍ୟାଣ ସମିତି ଅର୍ଥକୁ ସରକାରୀସ୍ତରରେ ହରିଲୁଟ କରାଯାଇଛି । ରାଜ୍ୟ
ସରକାର ଏ ସମ୍ପର୍କରେ ଜାଣି ମଧ୍ୟ ନୀରବ ରହିଛନ୍ତି ।
ପିସିସି ସଭାପତି କହିଛନ୍ତି, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ମୟୁରଭଞ୍ଜ ଜିଲାରେ ପ୍ରାୟ ୩୪ ଲକ୍ଷ,
କେନ୍ଦ୍ରାପଡା ଜିଲାରେ ପ୍ରାୟ ୭୩ ଲକ୍ଷ, ଗଜପତି ଜିଲାରେ ଆଶାକର୍ମୀ ପ୍ରୋତ୍ସାହନ ପାଣ୍ଠିରୁ ପ୍ରାୟ ୮ ଲକ୍ଷ ଏବଂ ଅନ୍ୟ ଜିଲାଗୁଡିକରେ
ଅନୁରୂପ ଭାବେ ଅର୍ଥ ହରିଲୁଟ କରାଯାଇଥିବା ଜଣାଯାଇଛି । ଭୁବନେଶ୍ୱର ୪ ନମ୍ବର ଡାକ୍ତରଖାନାର ରୋଗୀକଲ୍ୟାଣ ସମିତି ଅର୍ଥ ମଧ୍ୟ
ସେଥିରୁ ବାଦ୍ ପଡିନାହିଁ । ଅଡିଟ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାନଯିବା ଦୁର୍ଭାଗ୍ୟଜନକ ବୋଲି ନିରଂଜନ କହିଛନ୍ତି ।