ରାଇରଙ୍ଗପୁର: ବର୍ତ୍ତମାନ ଗ୍ରୀଷ୍ମଋତୁ ଥିବାରୁ ମୟୂରଭଂଜ ଜିଲ୍ଲାରେ ୪୫ ଡିଗ୍ରିରୁ ଅଧିକ ଉତ୍ତାପ ରହୁଛି। ଫଳରେ ପାନୀୟ ଜଳ ମଧ୍ୟ ସଂକଟ ଦେଖାଦେଇଛି। ବୁଧବାର ବାମନଘାଟୀ ଉପଖଣ୍ଡ ହାଟବାଦଡା ପଂଚାୟତ ଗୋପାଳପୁର ଗ୍ରାମର ଗ୍ରାମବାସୀମାନେ ପାାନୀୟ ଜଳ ସଂକଟ ନେଇ ରାଂଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ଅନୁ୍ୟାୟୀ ଗୋପାଳପୁର ଗ୍ରାମରେ ଥିବା ନଳକୂପ ଅଚଳ ଥିବା ବେଳେ ବାକି ଅନ୍ୟ ନଲକୂପରୁ ସ୍ୱଳ୍ପ ପାଣି ବାହାରୁଛି। ଫଳରେ ପାନୀୟ ଜଳ ପାଇଁ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ସମସ୍ୟା ନଇ ସେମାନେ ବାରମ୍ବାର ପଂଚାୟତଠାରୁ ଆରମ୍ଭ କରି ବ୍ଲକ୍ ସମେତ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଆଜି ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଆରଡବ୍ଲୁଏସ୍‌ଏସ୍‌ କନିଷ୍ଠଯନ୍ତ୍ରୀ, ରାଇରଙ୍ଗପୁର ଏସଡିପିଓ, କୁସୁମୀ ତହସିଲଦାର, ବିଡିଓ ଓ ପୁଲିସ୍ ପ୍ରଶାସନ ପହଂଚି ୭ ଦିନ ମଧ୍ୟରେ ପାନୀୟ ଜଳ ଯୋଗାଇବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ଓହରିଥିଲେ। ତେବେ ୭ ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି। ରାସ୍ତା ଅବରୋଧ ସମୟରେ ଶତାଧିକ ଗ୍ରାମବାସୀ ସାମିଲ୍ ଥିଲେ। ଆମ୍ବୁଲାନ୍ସ ଏବଂ ଜରୁରୀ କାଳୀନ ଯାନ ବ୍ୟତୀତ ସମସ୍ତ ଯାନକୁ ଯିବା ଆସିବା ବନ୍ଦ କରିଥିଲେ ଫଳରେ ଘଣ୍ଟାଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା, ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।