ପୁରୀ: ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବାରମ୍ବାର ଅବହେଳା କରୁଥିବା ଅଭିଯୋଗ ହେଉଛି। କେତେବେଳେ ରାସ୍ତା ମରାମତିକୁ ନେଇ ତ କେତେବେଳେ ଡିଭାଇଡର୍ ମରାମତି, ସୌନ୍ଦର୍ଯ୍ୟୀକରଣ ଓ ସଫେଇ ସବୁଥିରେ ବାଟମାରଣା ଚାଲିଛି। ଏହାର ଉଦାହରଣ ପାଲଟିଛି ତୁଳସୀଚଉରାରୁ ମାଳତୀପାଟରପୁର ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥର ଅଂଶ। ନିକଟରେ ଏହି ରାସ୍ତାରେ ପିଚୁ ପକାଇଥିଲା ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଏଥିପାଇଁ ଚଳିତବର୍ଷ ରଥଯାତ୍ରା ସମୟରେ ପ୍ରାୟ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ, ୬ ମାସ ନ ପୂରୁଣୁ ଏହି ପିଚୁ ସବୁ ଉଠିବାରେ ଲାଗିଲାଣି। ପରିଣାମ ସ୍ବରୂପ ଜାତୀୟ ରାଜପଥରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତବର୍ଷ ୩୧୬ ନମ୍ବର ଜାତୀୟ ରାଜପଥର ତୁଳସୀଚଉରାଠାରୁ ମାଳତୀପାଟପୁର(କାଠପୋଲ ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ରାସ୍ତାକୁ ତାଡ଼ି ମରାମତି କରାଯାଇଥିଲା। ନୂଆ ପିଚୁ ପଡ଼ିଥିଲା।
ଏ ବାବଦକୁ ଲକ୍ଷାଧିକ ଟଙ୍କା ବି ଖର୍ଚ୍ଚ କରାଯାଇଥିଲା। କେଇ ମାସ ଭିତରେ ଏହି ରାସ୍ତାରୁ ପିଚୁ ସବୁ ଉଠି ଯାଇଥିଲା। ଫଳରେ ଲୋକେ ଦୁର୍ଘଟଣାର ଶିକାର ହେଲେ। ଗତ ରଥଯାତ୍ରା ସମୀକ୍ଷା ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ନେଇ ବିରୋଧର ସମ୍ମୁଖୀନ ହେବା ପରେ ତୁରନ୍ତ ତୁଳସୀଚଉରାରୁ କାଠପୋଲ ପର୍ଯ୍ୟନ୍ତ ଥିବା ରାସ୍ତାର ପୁନର୍ବାର ମରାମତି ସହ ନୂଆ ପିଚୁ ପଡ଼ିଥିଲା। କିନ୍ତୁ ଏବେ ଏହି ପିଚୁ ସବୁ ଉଠିବା ଆରମ୍ଭ କଲାଣି। ଏକାଧିକ ସ୍ଥାନରୁ ପିଚୁ ଉଠି ଖାଲ ହେଲାଣି।
ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ପ୍ରଦାନ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି, ୨୦୧୩ ଜାନୁଆରି ୧ରୁ ୨୦୨୩ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ତୁଳସୀଚଉରାରୁ ମାଳତୀପାଟପୁର ପିଚୁ ରାସ୍ତାର ଦୁଇଥର ମରାମତି କରାଯାଇଛି। ୨୦୧୩ ଜାନୁଆରି ୧ରୁ ୨୦୧୭ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନିର୍ମାଣ-ପରିଚାଳନା-ହସ୍ତାନ୍ତର (ବିଓଟି) ପ୍ରକ୍ରିୟାରେ ରାସ୍ତା ତିଆରି ଓ ରକ୍ଷଣାବେକ୍ଷଣ କରାଯାଉଥିଲା। ଭୁବନେଶ୍ବର ଏକ୍ସପ୍ରେସୱେ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ଏହି ଚାରିଲେନ୍ ରାସ୍ତା ଓ ଆବଶ୍ୟକ ମରାମତି କାମ କରୁଥିଲା। କିନ୍ତୁ ଏହି ଚୁକ୍ତି ଶେଷ ହୋଇଯିବା ପରେ ୨୦୧୭ ମାର୍ଚ୍ଚ ୨୦ ପରଠାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ଚୁକ୍ତି ବଳରେ ଏହି ଜାତୀୟ ରାଜପଥର ମରାମତି କରାଯାଉଛି। ଚଳିତବର୍ଷ ତୁଳସୀଚଉରାରୁ ମାଳତୀପାଟପୁର ପର୍ଯ୍ୟନ୍ତ ରାସ୍ତା ମରାମତି ବାବଦରେ ୨୧ଲକ୍ଷ ୨୫ହଜାର ୫୭୪ ଟଙ୍କା ଖର୍ଚ୍ଚ କରାଯାଇଛି। କାମ ପରେ ବି ଯଦି ରାସ୍ତା ନଷ୍ଟ ହୁଏ, ଏଥିପାଇଁ ସଂପୃକ୍ତ ଠିକାଦାର ଦାୟୀ ରହିବେ ବୋଲି ସ୍ପଷ୍ଟ କହିଛି। ଏତେ ଟଙ୍କା ଖର୍ଚ୍ଚ ପରେ ରାସ୍ତା ନଷ୍ଟ ହୋଇ ଖାଲ ହେବା ଆରମ୍ଭ କରିଥିବାବେଳେ ଜାତୀୟ ରାଜପଥ ବିଭାଗ ନିରବଦ୍ରଷ୍ଟା ସାଜିଛି। ନା ମରାମତି କରୁଛି, ନା ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି। ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।