ଅନୁଗୁଳ : ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାମ ଚାଲିଛି ଯେ ଚାଲିଛି। ଏହି ସମ୍ବଲପୁର-କଟକ ରାସ୍ତା ସରିବାର ନାଁ ନେଉନି। ପ୍ରକଳ୍ପ ଶେଷ ହେବାର ତାରିଖ ବାରମ୍ବାର ବଦଳୁଛି। ଏପଟେ କଦର୍ଯ୍ୟ ରାସ୍ତା ପାଇଁ ଲୋକମାନେ ଘାଣ୍ଟି ସନ୍ତୁଳି ହେଉଛନ୍ତି। ନିତି ରାସ୍ତାରେ ଦୁର୍ଘଟଣା ହେବାସହ ଅକାଳରେ ଜୀବନ ଯାଉଛି। ଏଥିପାଇଁ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଥିଲାବେଳେ ଏବେ ଏକ ଆଶ୍ବସ୍ତିଜନକ ଖବର ଆସିଛି। ଆସନ୍ତା ଜୁନ୍ ସୁଦ୍ଧା ଏହି ରାସ୍ତାର ପ୍ରଶସ୍ତୀକରଣ କାମ ସରିବ ବୋଲି ସରକାର କହିଛନ୍ତି। ଖୋଦ୍ କେନ୍ଦ୍ର ରାସ୍ତା ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସଂସଦରେ ଏହି ସୂଚନା ଦେବାପରେ ଏହି ରାସ୍ତା ଯନ୍ତ୍ରଣା ଦୂର ହେବ ବୋଲି ଆଶା ବଢିଛି।

Advertisment

ଅନୁଗୁଳ ଦେଇ ଯାଇଛି ୫୫ ନମ୍ବର ଜାତୀୟ ରାଜପଥ। ଏହି ୨୬୫ କିମିର ରାଜପଥକୁ ୪ ଲାଇନ ବିଶିଷ୍ଟ କରିବା ପାଇଁ ଏହାର ପ୍ରଶସ୍ତୀକରଣ କରାଯାଉଛି। ୨୦୧୮ରେ ଏହି ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥିଲାବେଳେ ୨୦୨୦ ମସିହା ସେପ୍ଟେମ୍ବର ସୁଦ୍ଧା ଏହା ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। କଟକ-ସମ୍ବଲପୁର ଏହି ରାଜପଥକୁ ୩ଟି ଭାଗରେ ବିଭକ୍ତ କରି ପ୍ରାୟ ୩୫୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। କଟକରୁ ଅନୁଗୁଳ ମଧ୍ୟରେ ଥିବା ରାସ୍ତାକୁ ଦୁଇଟି ଭାଗରେ ବିଭକ୍ତ ହୋଇଥିଲାବେଳେ ଅନୁଗୁଳରୁ ସମ୍ବଲପୁରକୁ ଗୋଟିଏ ଭାଗ କରାଯାଇଥିଲା। କଟକ-ଅନୁଗୁଳ ରାସ୍ତା ପାଇଁ ୧୯୯୦ କୋଟି ଟଙ୍କା ବଜେଟ୍ ରହିଥିଲାବେଳେ ଅନୁଗୁଳ-ସମ୍ବଲପୁର ରାସ୍ତା ପାଇଁ ୨୪୯୧ କୋଟି ଟଙ୍କାର ବଜେଟ ରହିଥିଲା। ହେଲେ, ଆରମ୍ଭରୁ ଏହି କାମ ବିଳମ୍ବିତ ହୋଇ ଚାଲିଥିଲା। ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇ ନ ପାରିବାରୁ ସାଧାରଣ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ନିୟମିତ ଦୁର୍ଘଟଣା ହେବାର ଅକାଳରେ ଜୀବନ ଯାଉଛି। ତେଣୁ ତୁରନ୍ତ ଏହି ରାସ୍ତା ଶେଷ କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ଏଥିନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦରେ ପ୍ରଶ୍ନ ଉଠାଇଥିଲାବେଳେ ଏହା ଜୁନ୍ ସୁଦ୍ଧା ଶେଷ ସରିବ ବୋଲି ଉତ୍ତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ।

ସେ କହିଛନ୍ତି ଯେ, ଏହି ରାସ୍ତାର ପ୍ରଥମ ଭାଗର କାମ ୫୩ ପ୍ରତିଶତ, ଦ୍ବିତୀୟ ଭାଗର କାମ ୫୨ ପ୍ରତିଶତ ଓ ତୃତୀୟ ଭାଗର କାମ ୭୦ ପ୍ରତିଶତ ଶେଷ ହୋଇ ସାରିଛି। ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା କାରଣରୁ ରାସ୍ତା କାମ ଠିକ ସମୟରେ ଆରମ୍ଭ ହୋଇ ପାରି ନ ଥିଲା। ସେହିପରି ଜମି ଅଧିଗ୍ରହଣ ନେଇ ସମସ୍ୟା ରହିଥିଲା। କୋଭିଡ ପାଇଁ ନିର୍ମାଣ କାମ ଅଟକି ଯାଇଥିଲା। ଏହାସହିତ ଠିକା ସଂସ୍ଥାର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ମଧ୍ୟ ଏହି ପ୍ରକଳ୍ପ ବିଳମ୍ବ ବୋଲି ଦାୟୀ ବୋଲି ଗଡ଼କରୀ ସୂଚନା ଦେଇଛନ୍ତି। ଗଡ଼କରୀଙ୍କ ଏ ମନ୍ତବ୍ୟ ପରେ ଏହି ପ୍ରକଳ୍ପ ଶେଷ ହେବା ନେଇ ଆଶା ଉଜ୍ଜୀବୀତ ହୋଇଛି।