ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା: ସାଢ଼େ ୩ ଘଣ୍ଟା ଅବରୋଧ ରହିଲା ଜାତୀୟ ରାଜପଥ

ଧଉଳି: ଗତ ୫ ଦିନ ତଳେ ନିଖୋଜ ହୋଇଯାଇଥିବା ସ୍ଥାନୀୟ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ମାଟିଆପଡ଼ା ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ସୋନୁ ଓରଫ ସୌମ୍ୟରଞ୍ଜନ ଜେନାଙ୍କ ମୃତ୍ୟୁ ଗଟଣା ଆଜି ଭିନ୍ନ ମୋଡ଼ ନେଇଛି। ଉଲ୍ଲେଖଯୋଗ୍ୟ ସୋନୁଙ୍କ ମୃତଦେହ ଗତକାଲି ଅପରାହ୍ନରେ ନୂଆପଡ଼ା ଜିଲ୍ଲା କଣ୍ଟାବାଞ୍ଜି ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଥିଲା। ସୋନୁଙ୍କ ମୃତ୍ୟୁକୁ ନେଇ  ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିଲା। ସୋନୁକୁ ଦୁର୍ବୃତ୍ତ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ରେଲ ଲାଇନରେ ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରାଯାଇଛି। ସୋନୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, କିଏ କାହିଁକି ସୋନୁକୁ ହତ୍ୟା କଲା, ଆଉ କିଭଳି ପରିସ୍ଥିତିରେ ସୋନୁଙ୍କ ମୃତ୍ୟୁ ଘଟିଲା ସେନେଇ ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି।

ଆଜି ସକାଳ ୯ଟା ସମୟରେ ସୋନୁଙ୍କ ମୃତଦେହ କଣ୍ଟାବାଞ୍ଜିରୁ ପହଞ୍ଚିବା ପରେ ଘଟଣା ଉଗ୍ର ରୂପ ନେଇଥିଲା। ଶତାଧିକ ସ୍ଥାନୀୟ ଲୋକ ଭୁବନେଶ୍ବର–ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ  ଟୋଲଗେଟ ନିକଟରେ ସୋନୁଙ୍କ ଶବ ରଖି ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦୀର୍ଘ ସାଢ଼େ ୩ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଏନେଇ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଡିଏସପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏଥିସହିତ ଅଭିଯୋଗ ଆଧାରରେ  ହତ୍ୟା ମାମଲା ରୁଜୁ କରି ସମଗ୍ର ଗଟଣାର ନିରପେକ୍ଷ ତଦନ୍ତ୍ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନା ଅନୁସାରେ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ମାଟିଆପଡ଼ା ଗ୍ରାମରେ ସୋନୁ ମାମୁଙ୍କ ଘରେ ରହି ନିକଟସ୍ଥ ହାଇସ୍କୁଲରେ ପାଠ ପଢ଼ୁଥିଲେ। ଗତ ୬ ତାରିଖରେ ଅପରାହ୍ନରେ ସେ ଟ୍ୟୁସନକୁ ଯାଇ ଆଉ ଘରକୁ ଫେରିନଥିଲେ। ସୋନୁର ଫେରିବାରେ ବିଳମ୍ବ ହେବାରୁ ପରିବାରେ ଲୋକ ଟ୍ୟୁସନ ଶିକ୍ଷକଙ୍କୁ ଯୋଗାଯୋଗ କରିବା ସହ ସହପାଠୀମାନଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ବିଭିନ୍ନ ସ୍ଥାନ ଏବଂ ସଂପର୍କୀୟ ଘର ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର ପତ୍ତା ମିଳିନଥିଲା। ଶେ‌ଷରେ ପୁଅ ନିଖୋଜ ନେଇ ତାଙ୍କ ମାଆ ସୁମିତ୍ରା ଜେନା କୌଶଳ୍ୟାଗଙ୍ଗ ଫାଣ୍ଡିରେ ନିଖୋଜ ନେଇ ଜଣାଇଥିଲେ।

ଗତକାଲି  କଣ୍ଟାବାଞ୍ଜି ରେଳଷ୍ଟେସନ ଅଧୀନ ଅଞ୍ଚଳ‌ରେ ତାଙ୍କ ମୃତଦେହ ଠାବ କରାଯାଇଥିଲା। ସୋନୁ ବେକରେ ଥିବା ସ୍କୁଲ ପରିଚୟ ପତ୍ରରୁ ତାକୁ ଚିହ୍ନଟ କରିବା ସହଜ ହୋଇଥିଲା। ରେଳବାଇ ପୁଲିସ ଏସଂପର୍କରେ ପୁରୀ ଜିଲ୍ଲା ପୁଲିସ ମୁଖ୍ର ଦପ୍ତରକୁ ଫୋନ କରି ଜଣାଇଥିଲେ। ଖବର ପାଇ ସୋନୁର ଅଜା ବେଣୁଧର ପ୍ରଧାନଙ୍କ ସମେତ ସଂପର୍କୀୟମାନେ ପହଞ୍ଚିବା ଶବ ଚିହ୍ନଟ କରିଥିଲେ। ଆଜି ସୋନୁର ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ସ୍ଥାନୀୟ ଲୋକ ରାଜପଥ ଆଡ଼କୁ ମାଡ଼ି ଆସିଥିଲେ। ସୋନୁର ମୃତଦେହ ରାଜପଥରେ ରଖି ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଜିଲ୍ଲା ଉଚ୍ଚ ପଦସ୍ଥ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଥମିଥିଲା। ଏବଂ ଜାତୀୟ ରାଜପଥରେ ଯାତାୟତ ସ୍ବାଭାଭିକ ହୋଇଥିଲା। ସୁମିତ୍ରାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ୧୦୧/୨୨ରେ ହତ୍ୟା ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ନାୟକ ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର