ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ମୁଣ୍ଡମରାଇ ଗ୍ରାମର ଅଧିକାଂଶ ସାହିକୁ ଦୀର୍ଘ ୧୫ ଦିନ ହେଲା ପିଇବା ପାଣି ଆସୁ ନଥିବାରୁ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଆଜି ଆନ୍ଦୋଳନର ରୂପ ନେଇଥିଲା। ସମାଧାନ ପାଇଁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରା ଯାଇଥିଲେ ହେଁ, କୌଣସି ସୁଫଳ ନମଳିବାରୁ ଶୁକ୍ରବାର ଦିନ ମୁଣ୍ଡମରାଇ ଗ୍ରାମବାସୀ ସକାଳୁ ୫୯ ନମ୍ବର ଜାତୀୟ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, କିଛିଦିନ ତଳେ ଗ୍ରାମର ପାଇପ୍ଲାଇନ୍ ଫାଟି ଯିବାରୁ ଜଳଯୋଗାଣ ବନ୍ଦ ହୋଇ ଯାଇଥିଲା। ବିଭାଗ ପକ୍ଷରୁ ଏହାର ମରାମତି ସତ୍ତ୍ବେ ଜଳସ୍ତର କମିବା ଯୋଗୁ ସମସ୍ୟା ଲାଗି ରହିଲା। ଅଧିକାଂଶ ସାହିକୁ ଜଳଯୋଗାଣ ବନ୍ଦ ହୋଇଯିବାରୁ ପ୍ରଚଣ୍ଡ ଖରାରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ, ସେମାନେ ଆଜି ଆନ୍ଦୋଳାନତ୍ମକ ପନ୍ଥା ଗ୍ରହଣ ସ୍ବରୂପ ଜାତୀୟ ରାଜପଥ ଅବରୋଧ କରିଥିଲେ।
ଧରାକୋଟ ବିଡିଓ ଡେନିସ ବେହେରା, ଥାନାଧିକାରୀ ମମତା ସାମନ୍ତରାୟ, ଗ୍ରାମ୍ୟଜଳଯୋଗାଣ ବିଭାଗ ଏସ୍ଡିଓ ସୁଜିତ କୁମାର ଲୁଗୁନ ଓ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଉପରସାହି ପାଇଁ ଦୁଇଦିନ ମଧ୍ୟରେ ବୋର୍ ଖୋଳାଯିବ। ଏହାମଧ୍ୟରେ ଦୁଇଦିନ ପର୍ଯ୍ୟନ୍ତ ଟ୍ୟାଙ୍କର୍ ଦ୍ବାରା ଜଳଯୋଗାଣ ହେବ। ସେହିପରି ଅନ୍ୟ ଦୁଇଟି ବୋର୍ରୁ ଜଳଯୋଗାଣକୁ ସ୍ବାଭାବିକ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ତିନିଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। କେବଳ ମୁଣ୍ଡମରାଇ ନୁହେଁ, ଧରାକୋଟ ବ୍ଲକ୍ ଅଧୀନ ଅଧିକାଂଶ ଗ୍ରାମରେ ପିଇବା ପାଣି ସଂକଟ ଉତ୍କଟ ରୂପ ନେଇଛି। ଗ୍ରୀଷ୍ମର ପ୍ରକୋପ ବଢ଼ିବାରୁ ଜଳସ୍ତର କମିବା ଚିନ୍ତାକୁ ଦ୍ବିଗୁଣିତ କରିଛି।