ଅଧାପନ୍ତରିଆ ଜାତୀୟ ରାଜପଥ

ଯୋଡ଼ା: ୫୨୦ ନମ୍ବର ଜାତୀୟ  ରଜପଥର ରିମୁଳି – ରାଜାମୁଣ୍ଡା ରାସ୍ତା  ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଛି।  ଲହଣ୍ଡା ରେଲୱେ ଓଭର ବ୍ରିଜ ନିକଟ ରାସ୍ତା ନିର୍ମାଣ କାର୍ଯ୍ୟ ଅଟକି ରହିଥିବାବେଳେ ଯୋଡ଼ା ସହରର କଳାପାହାଡ଼ଠାରେ ସର୍ଭିସ ରୋଡ ଓ ବିଲେଇପଦାରେ ଫ୍ଲାଏ ଓଭର ନିର୍ମାଣ କରାଯାଇ ନ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ଯୋଡ଼ାରୁ ବିଲେଇପଦା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି।

ଯୋଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳକୁ ଏହି ଜାତୀୟ ରାଜପଥ ସଂଯୋଗ କରୁଛି। ସବୁଠାରୁ ବ୍ୟସ୍ତବହୁଳ ଜାତୀୟ ରାଜପଥ ଭାବେ ଏହା ପରିଚିତ। ଜାତୀୟ ରାଜପଥ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି ୫ ମାସ ହେଲା ଟୋଲ ଆଦାୟ କରୁଛି।

ଜାତୀୟ ରାଜପଥ  କଡ଼ରେ  ଯୋଡ଼ା ସହରର ବହୁ ବସ୍ତି, ହଟିଂ ଓ ସରକାରୀ ଅଫିସ ରହିଛି।  ଯୋଡ଼ା ସହରକୁ ଯିବାପାଇଁ  ଏହା ହିଁ ମୁଖ୍ୟ ରାସ୍ତା।  ତଲକ ହଟିଙ୍ଗ, ତାରିଣୀ ହଟିଙ୍ଗ, ଓସଇବି କଲୋନୀ, ପିଏଚଡି କଲୋନୀ, ନେପାଳୀ ହଟିଙ୍ଗ, ଖଣି ଉପନିର୍ଦ୍ଦେଶକ ଅଫିସ ଜାତୀୟ ରାଜପଥ କଡ଼ରେ ରହିଛି।   ଜନବସତି ଓ  ସରକାରୀ ଅଫିସକୁ ଯିବା ଆସିବା ପାଇଁ  ସର୍ଭିସ ରୋଡ ନାହିଁ। ବାରମ୍ଵାର ଦାବି କଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନାହିଁ। ଜାତୀୟ ରାଜପଥ ପ୍ରାଧକରଣର ଖାମଖିଆଲି ନୀତି ଯୋଗୁଁ ଲହଣ୍ଡା ରେଲୱେ ଓଭର ବ୍ରିଜ ରାସ୍ତାକୁ ସମ୍ପ୍ରସାରଣ କରାଯାଇପାରି ନାହିଁ। ଏଠାରେ ଜାତୀୟ ରାଜପଥକୁ ଚାରି ଲେନ୍  କରାଯାଇ ନାହିଁ। ସେଇ ପୁରୁଣା ରାସ୍ତା ରହିଛି। ଏ ପର୍ଯ୍ୟନ୍ତ କେଉଁ ଯୋଜନାରେ ରେଲୱେ ଓଭର ବ୍ରିଜ ତଳେ ଚାରି ଲେନ ରାସ୍ତା ନିର୍ମାଣ ହେବ ସେ ନେଇ ଜାତୀୟ ରାଜପଥ ବିଭାଗ ପାଖରେ କୌଣସି ସ୍ପଷ୍ଟ ଉତ୍ତର ବି ନାହିଁ । ବର୍ଷ ବର୍ଷ ଧରି କେବଳ ଜାତୀୟ ରାଜପଥ ବିଭାଗ ସର୍ଭେ କରି ଚାଲିଛି। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ କରି ନଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଯୋଡ଼ା ଖଣି ଅଞ୍ଚଳର ଅନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ବିଲେଇପଦା ପରିଚିତ।  ଦେଓଝର, ମୁର୍ଗା ଖଣି ଅଞ୍ଚଳରୁ ବିଲେଇପଦା ରାସ୍ତାରେ  ପ୍ରତିଦିନ ହଜାର ହଜାର ଖଣିଜ ବୋଝେଇ ଟ୍ରକ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛି। ଏଥିପାଇଁ ଏଠାରେ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ।  ବିଲେଇପଦା ଛକରୁ କରଣ ସାହି ଟୋଲ ଗେଟ୍‌ ପର୍ଯ୍ୟନ୍ତ ଖଣିଜ ବୋଝେଇ ଟ୍ରକଗୁଡ଼ିକ ପାର୍କିଂ  କରିଥାନ୍ତି।  ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଅଣାୟତ୍ତ ହେବା ସହିତ ପ୍ରତିଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ସୁରକ୍ଷିତ ଯାତାୟାତ ପାଇଁ  ଏଠାରେ  ଏକ ଫ୍ଲାଏ ଓଭର ନିର୍ମାଣ ପାଇଁ ଲୋକେ ଦାବି କରି ଆସୁଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ କର୍ଣ୍ଣପାତ କରୁନାହିଁ।  ଟୋଲ ଗେଟ ନିକଟରେ ଏକ ସର୍ଭିସ ରୋଡ଼ର ଆବଶ୍ୟକତା ଥିଲେ ମଧ୍ୟ ନିର୍ମାଣ କରାଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି।

ଲୋକଙ୍କ ଅଭିଯୋଗ ହେଲା, ଜାତୀୟ ରାଜପଥ ବିଭାଗ ଅନ୍ୟ ଛୋଟ ଛକ ସ୍ଥାନରେ ଫ୍ଲାଏ ଓଭର ନିର୍ମାଣ କରିଛି। ମାତ୍ର ବିଲେଇପଦା ପରି ଅଧିକ ଟ୍ରାଫିକ ହେଉଥିବା ସ୍ଥାନରେ କାହିଁକି ଫ୍ଲାଏ ଓଭର ନିର୍ମାଣ କରାଗଲା ନାହିଁ କି ରାସ୍ତା ଅତିକ୍ରମ କରିବା ପାଇଁ ଅଣ୍ଡର ପାସ୍‌  ନିର୍ମାଣ କରାଗଲା ନାହିଁ।  ନିର୍ମାଣାଧୀନ ଜାତୀୟ ରାଜପଥର ତ୍ରୁଟିପୂର୍ଣ୍ଣ ରାସ୍ତାରେ ଭୁଲ ପାର୍ଶ୍ଵରେ ଲୋକେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାରଣ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ଜାତୀୟ ରାଜପଥ ପକ୍ଷରୁ କୌଣସି ଅଣ୍ଡର ପାସ ନିର୍ମାଣ କରାଯାଇ ନାହିଁ। ଲୋକେ ଭୁଲ ରାସ୍ତାରେ ଅନ୍ୟ ପାର୍ଶ୍ଵକୁ ଯିବାପାଇଁ ବାଧ୍ୟ ହେଉଛନ୍ତି। ଯାହାଦ୍ବାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କିପରି ସମ୍ପୂର୍ଣ୍ଣ ହେବ ଏ ଦିଗରେ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ  ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର