ଭୁବନେଶ୍ବର, (ସୋମନାଥ ପରିଡ଼ା): ଓଡ଼ିଶା ସମେତ ପୂରା ଦେଶରେ ଦୁର୍ଘଟଣାର ହାର ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ରାଜ୍ୟ ପୁଲିସ୍ର ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ରାଜ୍ୟରେ ମୋଟ ୯୮୧୭ ଦୁର୍ଘଟଣାରେ ୪୭୩୮ଜଣ ପ୍ରାଣ ହରାଇଥିବା ବେଳେ ଆହତଙ୍କ ସଂଖ୍ୟା ଏହାଠାରୁ ଢେର୍ ଅଧିକ। କିନ୍ତୁ ୨୦୨୧ରେ ଏହା ୭.୨ ପ୍ରତିଶତ ବଢ଼ି ଯାଇଥିଲା। ସେ ବର୍ଷ ମୋଟ ୧୦ହଜାର ୯୮୪ ଦୁର୍ଘଟଣାରେ ୫୦୮୧ ଲୋକ ପ୍ରାଣ ହରାଇଥିଲେ। ତେବେ ଏଥିମଧ୍ୟରୁ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ଘଟୁଥିବା ତଥ୍ୟ କହୁଛି। ବେପରୁଆ ଗାଡ଼ି ଚାଳନା ବାଦ୍, ଦୁର୍ଘଟଣାର ଅନ୍ୟ ଏକ ପ୍ରମୁଖ କାରଣ ରାସ୍ତାଘାଟର ଦୁରବସ୍ଥା ବୋଲି ଅଭିଯୋଗ ହେଉଛି। କିନ୍ତୁ ଏହା ଉପରେ ଏନ୍ଏଚ୍ଏଆଇ ଅଧିକାରୀଙ୍କ ନଜର ପଡ଼ୁନାହିଁ।
/sambad/media/post_attachments/wp-content/uploads/2022/09/NH-4-750x430.jpg)
ରାଜ୍ୟ ଦେଇ ଯାଇଥିବା ଏନ୍ଏଚ୍-୧୬ର ଭୁବନେଶ୍ବରରୁ ଚଣ୍ଡୀଖୋଲ ପର୍ଯ୍ୟନ୍ତ ରାସ୍ତାକୁ ଉଦାହରଣ ସ୍ବରୂପ ନେଇ ତର୍ଜମା କଲେ ଜଣାଯାଇଛି ଯେ ଗତ ବର୍ଷକ ମଧ୍ୟରେ ଏହି ରାସ୍ତାରେ ୩୦୦ରୁ ଊର୍ଧ୍ବ ଦୁର୍ଘଟଣା ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୬୦୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି। ରାଜପଥର ଅବସ୍ଥା ଏବେ ଏତେ ଶୋଚନୀୟ ହୋଇଯାଇଛି ଯେ ଯାତାୟାତ କରିବାକୁ ଲୋକେ ଭୟ କରୁଛନ୍ତି। ୬୭ କିଲୋମିଟର ରାସ୍ତାରେ ହଜାର ହଜାର ଖାଲଖମା। ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇଛି। କେଉଁଠି ଏହା ରାସ୍ତା ଅଧପର୍ଯ୍ୟନ୍ତ ଚରିଯାଇଛି ତ କେଉଁଠି ଲେନ୍ ଲାଇନ୍ର ଚିହ୍ନବର୍ଣ୍ଣ ନାହିଁ। ସୁଗମ ରାଜପଥ ନିର୍ମାଣ ପାଇଁ ଏହି ରାସ୍ତାରେ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି ରାଜପଥ (ଭୁବନେଶ୍ବର-ଚଣ୍ଡିଖୋଲ)ର ଏ ଦୁରବସ୍ଥା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ରାସ୍ତା ଅଧ ପର୍ଯ୍ୟନ୍ତ ଚଢ଼ିଗଲାଣି ବାଲି, ଲିଭି ଗଲାଣି ଲେନ୍ ଲାଇନ୍
ରକ୍ଷଣାବେକ୍ଷଣ ହେଉ ନଥିବାରୁ ହୁ’ ହୁ’ ବଢ଼ୁଛି ଦୁର୍ଘଟଣା
ପୋକ, ମାଛି ଭଳି ରାଜରାସ୍ତାରେ ଯାଉଛି ଲୋକଙ୍କ ଜୀବନ
ଭୁବନେଶ୍ବର-ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ୱେ ପ୍ରାଇଭେଟ୍ ଲିମିଟେଡ୍(ଏସ୍ଜେଇପିଏଲ୍)କୁ ଦିଆଯାଇଥିଲା। ୧୧୦୪ କୋଟି ଟଙ୍କାର ଏହି ପ୍ରଳକ୍ପକୁ ଶେଷ କରିବାରେ ଠିକା ସଂସ୍ଥା ଅହେତୁକ ବିଳମ୍ବ କରିଥିଲା। ୨୦୧୭ରେ ସରିବାକୁ ଥିବା ଏହି ପ୍ରକଳ୍ପର ସମୟସୀମା ବାରମ୍ବାର ପରିବର୍ତ୍ତନ କରାଯାଇଥିଲା। ଯେଉଁଥିପାଇଁ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ଏବେ ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ ଏସ୍ଜେଇପିଏଲ୍ ହାତରେ ରହିଛି। କିନ୍ତୁ ଏହି ସଂସ୍ଥା ଠିକ୍ ଭାବେ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହେଉଛି। ବଡ଼ଚଣା, ଛତିଆ, ଟାଙ୍ଗୀ ଗୋବିନ୍ଦପୁର ଛକ, ଟାଙ୍ଗୀ ବସ୍ଷ୍ଟାଣ୍ଡ ଛକ, ବଇଁଚୁଆ, ମଙ୍ଗୁଳି ଛକ, ଜଗତପୁର ଓଭରବ୍ରିଜ୍, ନିର୍ଗୁଣ୍ଡି, ଟାଙ୍ଗିରୁ ମଙ୍ଗୁଳି, କଟକ, ଫୁଲନଖରା, ନହରକଣ୍ଟା, ହାଇଟେକ୍ ଛକ, ପଳାସୁଣୀ, ରସୁଲଗଡ଼ ପ୍ରମୁଖ ସ୍ଥାନରେ ରାସ୍ତା ଅଧିକ ଖରାପ ହୋଇଯାଇଛି। ଖରାପ ରାସ୍ତା ସାଙ୍ଗକୁ ଟାଙ୍ଗିରୁ ମଙ୍ଗୁଳି ପର୍ଯ୍ୟନ୍ତ ରାସ୍ତା କଡ଼ରେ ଶହ ଶହ ସଂଖ୍ୟାରେ ପାର୍କିଂ କରାଯାଉଛି। ଫଳରେ ଏହି ଅଚଂଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବ୍ୟସ୍ତବହୁଳ କଟକ ଭୁବନେଶ୍ବର ରାସ୍ତା ଶୋଚନୀୟ ଯୋଗୁଁ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।
/sambad/media/post_attachments/wp-content/uploads/2022/09/NH-2-750x430.jpg)
ଏନ୍ଏଚ୍-୧୬ରେ ପ୍ରତିଦିନ ଲକ୍ଷାଧିକ ଯାନବାହାନ ଯାତାୟାତ କରୁଛି। ହେଲେ ରାଜପଥରେ ହଜାର ହଜାର ଖାଲଖମା। କିଛି ସ୍ଥାନରେ ରାସ୍ତା ଦବି ଯାଇଛି। କିଛି ସ୍ଥାନରେ ଫୁଟେରୁ ଅଧିକ ଖାଲ ବି ହୋଇଛି। କଟକ ଭୁବନେଶ୍ବର ମଧ୍ୟରେ ଏବେବି କୁଆଖାଇ ନିକଟରେ ଫ୍ଲାଏ ଓଭର ବ୍ରିଜ୍ କାମ ଚାଲିଛି। ଏବେ ମାତ୍ର ୪୦ ପ୍ରତିଶତ କାମ ସରିଥିବା ବେଳେ କେବେ ଶେଷ ହେବ ତାର କୌଣସି ଠିକ୍ ଠିକଣା ନାହିଁ। ନିକଟରେ ଥିବା ନଦୀରୁ ପ୍ରତିଦିନ ଶହଶହ ଟ୍ରକ୍ ଓଦା ବାଲି ଉଠା ଯାଉଛି। ଫଳରେ ରାସ୍ତାରେ ପାଣି ଓ ବାଲି ପଡ଼ି ପଡ଼ି ଯାଉଛି। ବାଲି ସଫା କରିବାକୁ କେହି ନାହିଁ। ଫଳରେ ଅଧିକାଂଶ ସ୍ଥାନରେ ବାଲି ରାସ୍ତା ଅଧ ପର୍ଯ୍ୟନ୍ତ ମାଡ଼ି ହୋଇ ପଡ଼ିଛି। ମଙ୍ଗୁଳି ଅଚଂଳରେ ରାସ୍ତାରେ କୋଇଲା ଗୁଣ୍ଡ ବି ଗଦା ହୋଇରହୁଛି।
ରାଜପଥରେ ଲେନ୍କୁ ବିଭକ୍ତ କରିବା ପାଇଁ ରାଜପଥରେ ଥର୍ମୋପ୍ଲାଷ୍ଟିକ୍ ପେଣ୍ଟ (ଧଳା ଓ ହଳଦିଆ ରଙ୍ଗର ଗାର) ଦିଆଯାଇଥାଏ। ସେଗୁଡ଼ିକ କେଉଁଠି ଅଧା ଲିଭି ଗଲାଣି ତ କେଉଁଠି ସମ୍ପୂର୍ଣ୍ଣ ଲିଭି ଗଲାଣି। ରାସ୍ତାରେ ଚାଳକଙ୍କ ସୁବିଧା ପାଇଁ ଆର୍ପିଏମ୍ ଲଗା ଯାଇଥାଏ। ଯାହାଦ୍ବାରା ରାତି ସମୟରେ ଗାଡ଼ି ଲାଇଟ୍ ପଡ଼ିଲେ ରାସ୍ତାର ସୀମା ସହଜରେ ଜଣାପଡ଼ିଥାଏ। କିନ୍ତୁ ହାତ ଗଣତି କେତେକ ସ୍ଥାନକୁ ଛାଡ଼ି ଦେଲେ ଅଧିକାଂଶ ସ୍ଥାନରେ ଆର୍ପିଏମ୍ ଲଗାଯାଇନାହିଁ। ଯାହା ଦ୍ବାରା ଦୁର୍ଘଟଣା ହେଉଛି।
/sambad/media/post_attachments/wp-content/uploads/2022/09/NH-1-750x430.jpg)
ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ କିଛି ଅଧିକାରୀ ଲୋକଙ୍କୁ ମରଣମୁହଁକୁ ଠେଲି ଦିଆଯାଉଥିବା ଅଭିଯୋଗ ହେଉଛି। ତେବେ ତୁରନ୍ତ ଏନ୍ଏଚ୍ ୧୬ ସମେତ ରାଜ୍ୟରେ ଥିବା ସମସ୍ତ ଜାତୀୟ ରାଜପଥ ଗୁଡ଼ିକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଏନ୍ଏଚ୍ଏଆଇର ରାଜ୍ୟ ମୁଖ୍ୟ ଆର୍ପି ପଣ୍ଡାଙ୍କୁ ପଚାରିବାରୁ ବର୍ଷା ପରେ ମରାମତି କାମ କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/NH-3.jpg)