୨୦ ନଂ ଜାତୀୟ ରାଜପଥ: ଅଧାପନ୍ତରିଆ ରାସ୍ତାରେ ୪୦୦ କୋଟିର ଟୋଲ ଆଦାୟ

ଦୁଇଥର କାର୍ଯ୍ୟ ଅବଧି ବଢ଼ାଇଲାଣି ଏଆର୍‌ଏସ୍‌ଏସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ଅସୁରକ୍ଷିତ ହୋଇପଡ଼ିଛି। ପୂର୍ବରୁ ଦୁର୍ଘଟଣା ଯୋଗୁଁ ଲୋକେ ମୃତାହତ ହେଉଥିବା ବେଳେ ଆଜି ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ତିନିଜଣ ଗୁରୁତର ହୋଇଛନ୍ତି। ଜାତୀୟ ରାଜପଥ କାମ ଅଧାପନ୍ତରିଆ ହୋଇଥିବା ବେଳେ ଏନ୍‌ଏଚ୍‌ଏଆଇ ୨୦୧୭ରୁ ରାସ୍ତାର ବିଭିନ୍ନ ସ୍ଥାନରେ ଟୋଲ୍‌ପ୍ଲାଜା କରି ଟୋଲ୍‌ ଆଦାୟ କରିଚାଲିଛି। ଆଜି ପର୍ଯ୍ୟନ୍ତ ମୋଟ ୪୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଟୋଲ୍‌ ଆଦାୟ ହୋଇଥିଲେ ମଧ୍ୟ ଜାତୀୟ ରାଜପଥ କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯେଉଁଥିପାଇଁ ବାରମ୍ବାର ଦୁର୍ଘଟଣା ଘଟି ଲୋକେ ପ୍ରାଣ ହରାଉଛନ୍ତି।

ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ବିଲ୍ଡ-ଅପରେଟ-ଟ୍ରାନ୍ସଫର ବା ବିଓଟି ମୋଡରେ ୧୪୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ୨୦୧୧ ସେପ୍ଟେମ୍ବର ୨୮ରେ ଚୁକ୍ତିନାମା ହୋଇଥିଲା। ୨୦୧୩ ମେ ୨ରୁ କାମ ଆରମ୍ଭ ହୋଇଥିଲା। ୨୦୧୫ ଅକ୍ଟୋବର ୨୮ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଅବଧି ସରିବା ପରେ ମଧ୍ୟ ରାସ୍ତା କାମ ଶେଷ ନ ହେବାରୁ ପୁଣି ଅବଧି ବୃଦ୍ଧି କରାଯାଇଥିଲା। ଏହାପରେ ମଧ୍ୟ କାମ ନ ସରିବାରୁ ୨୦୨୦ ଅକ୍ଟୋବର ୨୮ରେ ଠିକାସଂସ୍ଥାକୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଅବଶିଷ୍ଟ କାମ କରିବାକୁ ଠିକାସଂସ୍ଥା ଏଆର୍‌ଏସ୍‌ଏସ୍‌କୁ ଦିଆଯାଇଥିଲା। ଏଥିପାଇଁ ୨୦୨୧ରେ ଟେଣ୍ଡର ହୋଇଥିଲା। ୧୪୬ କୋଟି ୪୩ ଲକ୍ଷ ଟଙ୍କାରେ ଏଆର୍‌ଏସ୍‌ଏସ୍‌ ଏହି କାମ ହାତକୁ ନେଇଥିଲା। ୨୦୨୨ ମାର୍ଚ୍ଚ ୧୧ ସୁଦ୍ଧା କାମ ସାରିବା ପାଇଁ ଠିକାସଂସ୍ଥା ସହ ଚୁକ୍ତି କରାଯାଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ନ ହେବାରୁ ପୁଣି ସମୟସୀମାକୁ ୨୦୨୨ ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଥିଲା। ୨୧ କିଲୋମିଟର ରାସ୍ତା ଓ ସର୍ଭିସି ରୋଡ ସହ ହାତୀଙ୍କ ଯାତାୟାତ ପାଇଁ ଗଳିପୋଲ ନିର୍ମାଣ, ଅସମ୍ପୂର୍ଣ୍ଣ ପୋଲ କାମ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତି ହୋଇଥିଲା। ବେଲବାହାଳି ମୁଖ୍ୟ ପୋଲର ୭୫ ପ୍ରତିଶତ କାମ ସରିଥିବା ବେଳେ ମାଇନର ପୋଲ କାମ ୫୦ ପ୍ରତିଶତ ସରିଛି। କାମ ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ଅକ୍ଟୋବର ୩୧ ସୁଦ୍ଧା କମ୍ପାନି ୮୨ ପ୍ରତିଶତ କାମ କରି ୧୨୦ କୋଟି ୪୫ ଲକ୍ଷ ଟଙ୍କା ନେଇଯାଇଛି।

ଅନ୍ୟପକ୍ଷରେ ଅଧାପନ୍ତରିଆ ରାସ୍ତାରେ କିନ୍ତୁ ଟୋଲ୍‌ ଆଦାୟ ଚାଲିଛି। ୨୦୧୭ ଅଗଷ୍ଟ ୮ରେ ଜାତୀୟ ରଜପଥର ଖଣ୍ଟଘର, ହସନପୁର ଏବଂ ବନାଯୋଡ଼ି ନିକଟରେ ଟୋଲପ୍ଲାଜା କରାଯାଇ ଟୋଲ୍‌ ଆଦାୟ ଚାଲିଛି। ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ଏସବୁ ଟୋଲ୍‌ପ୍ଲାଜା ୪୧୮ କୋଟି ୬୨ ଲକ୍ଷ ଟଙ୍କାର ଟୋଲ୍‌ ଆଦାୟ କରିଛନ୍ତି। ହସନପୁର ଟୋଲ୍‌ପ୍ଲାଜାରୁ ୧୨୫ କୋଟି ୬୧ ଲକ୍ଷ ଟଙ୍କା, ଖଣ୍ଟଘର ଟୋଲ୍‌ପ୍ଲାଜାରୁ ୭୮ କୋଟି ୨୫ ଲକ୍ଷ ଟଙ୍କା ଏବଂ ବନାଯୋଡ଼ି ଟୋଲ୍‌ପ୍ଲାଜାରୁ ସର୍ବାଧିକ ୨୧୪ କୋଟି ୭୬ ଲକ୍ଷ ଟଙ୍କାର ଟୋଲ୍‌ ଆଦାୟ ହୋଇଛି। ଏତେ ପରିମାଣର ଟୋଲ୍‌ ଆଦାୟ ସତ୍ତ୍ବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା କାମ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଛନ୍ତି। ଅଧାପନ୍ତରିଆ ରାସ୍ତା ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। ଗତ ୪ ତାରିଖରେ ବଡ଼ପଶି ଗ୍ରାମ ନିକଟରେ ହାଇୱା ସହ ଏକ ବ୍ରେଜା କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ରାସ୍ତା କାମ ଶେଷ ହୋଇନଥିବାରୁ ଗୋଟିଏ ଲେନ୍‌ରେ ଗାଡ଼ି ଚଳାଚଳ କରୁଥିଲା। ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଗୋଟିଏ ଲେନ୍‌ ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣଠାରୁ ଠିକାସଂସ୍ଥା କୌଣସି ଅନୁମତି ନେଇନଥିଲା। ସେହିପରି ଆଜି କୁଶେଇ ନଦୀର ପୋଲ ଭୁଶୁଡ଼ିବା ପରେ ଏନେଇ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ପୋଲ କାମର ଯେଭଳି ତଦାରଖ ହେବା କଥା ହେଉନଥିଲା। ନିମ୍ନମାନର କାମ ଯୋଗୁଁ ପୋଲ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଏଏସ୍‌ ରାଓଙ୍କୁ ପଚାରିବାରୁ, ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ। କାହିଁକି ନିର୍ମାଣାଧୀନ ପୋଲ ଭୁଶିଡ଼ିଲା ତାହାର ତଦନ୍ତ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର