ସମ୍ବଲପୁର-ଅନୁଗୁଳ-କଟକ ୫୫ ନମ୍ବର ଜାତୀୟ ରାଜପଥ: ଗାୟତ୍ରୀ ଗଲା, ଅଗ୍ରୱାଲ ବି ଆଗଉନି

ସମ୍ବଲପୁର : ବର୍ଷେ ଅଧେ ନୁହେଁ, ରାଜପଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବାକୁ ୬ ବର୍ଷ ବିତିଗଲାଣି। ତଥାପି, ପଶ୍ଚିମ ଓଡ଼ିଶାକୁ ପୂର୍ବ ଓଡ଼ିଶା ସହିତ ଯୋଡ଼ୁଥିବା ସମ୍ବଲପୁର-ଅନୁଗୁଳ-କଟକ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନାହିଁ। ଶୋଚନୀୟ ଅବସ୍ଥାରେ ଏହି ରାଜପଥରେ ଗତ ୨ ବର୍ଷ ମଧ୍ୟରେ ୩୯୯ଟି ଦୁର୍ଘଟଣା ଘଟିଥିବା ବେଳେ ୧୯୯ ଜଣଙ୍କ ମୂଲ୍ୟବାନ ଜୀବନ ଅସମୟରେ ଚାଲିଯାଇଛି। ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ୍ ଧୋକା ଦେଇ ଚାଲିଯିବା ପରେ ଅଗ୍ରୱାଲ ଇନ୍‌ଫ୍ରାକୋର୍‌ ଦାୟିତ୍ବ ନେବାକୁ ୮ ମାସ ବିତିଗଲାଣି। ତଥାପି, ନିର୍ମାଣ କାର୍ଯ୍ୟରେ ବିଶେଷ ଅଗ୍ରଗତି ଘଟି ନାହିଁ। ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ଅନ୍ତତଃ ଦୁଇ ଲେନ୍ ରାସ୍ତା ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ବି ସଂପୂର୍ଣ୍ଣ ହୋଇପାରି ନାହିଁ।

ଗତ ୨୦୧୬ ମସିହାରେ ଶୋଚନୀୟ ଅବସ୍ଥାରେ ଥିବା ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନ୍‌ଏଚ୍‌ଏଆଇ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର-ଅନୁଗୁଳ ରାଜପଥ ଓ ଦ୍ବିତୀୟ ପର୍ଯ୍ୟାୟରେ ଅନୁଗୁଳରୁ କଟକ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଡାକିଥିବା ବେଳେ ଉଭୟ ଠିକା କାମ ଗାୟତ୍ରୀ ପ୍ରୋଜେକ୍ଟସ୍‌ ହାତେଇ ଥିଲା। ସମ୍ବଲପୁର-ଅନୁଗୁଳ ୧୫୧ କିଲୋମିଟର ରାସ୍ତା ପାଇଁ ୧୨୫୫ କୋଟି ଟଙ୍କାରେ ଠିକା ନେଇ ଗାୟତ୍ରୀ ପ୍ରଜେକ୍ଟସ୍ କାର୍ଯ୍ୟାଦେଶ ମିଳିଥିବା ବେଳେ କାମ ଆରମ୍ଭ ବେଳକୁ ୨୦୧୭ ମସିହ ହୋଇଯାଇଥିଲା। ଇତିମଧ୍ୟରେ ୫ ବର୍ଷ ପରେ ବି କାମ ସଂପୂର୍ଣ୍ଣ କରିପାରି ନାହିଁ। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଅବଧି ସରିବା ପରେ ୩ ଥର ସଂପ୍ରସାରଣ କରାଯାଇଥିଲେହେଁ କାମ ସାରିପାରିନଥିଲା। ଦୀର୍ଘ ୯ ମାସ କାମ ବନ୍ଦ ପଡ଼ିବା ପରେ ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଗତ ୨୫ ଏପ୍ରିଲ ୨୦୨୨ରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଗାୟତ୍ରୀ ପ୍ରୋଜେକ୍ଟସ୍‌କୁ ନୋଟିସ୍ ଦେଇ ୧୫ ଦିନ ମଧ୍ୟରେ କାମ ଆରମ୍ଭ କରିବାକୁ ଚରମବାଣୀ ଶୁଣାଇ ଥିଲା। ଗାୟତ୍ରୀ ପ୍ରୋଜେକ୍ଟସ୍ ଆହୁରି ୧୫ ଦିନ ସମୟ ନେଇନଥିଲେ ବି କାମ ଆରମ୍ଭ କରିପାରିନଥିଲା। ରାଜପଥର ଶୋଚନୀୟ ଅବସ୍ଥା ଯୋଗୁ ଦୁର୍ଘଟଣା ନିତିଦିନିଆ ହୋଇଯିବା ପରେ ସମ୍ବଲପୁରରୁ ଅନୁଗୁଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ‌ ଲୋକେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଏଭଳି ସ୍ଥିତିରେ ଏନ୍‌ଏଚ୍‌ଏଆଇ ଆଉ ଗାୟତ୍ରୀ ପ୍ରୋଜେକ୍ଟସ୍‌କୁ ଛାଡ଼ି ଅନ୍ୟ ବିକଳ୍ପ ଚିନ୍ତା କରିଥିଲା। ପରିଶେଷରେ ଏନ୍‌ଏଚ୍‌ଏଆଇ ଆବଶ୍ୟକ ସରକାରୀ ପ୍ରକ୍ରିୟା ପରେ ଗତ ଜୁଲାଇ ୨୦୨୨ରେ ନୂଆ ଠିକାସଂସ୍ଥା ଅଗ୍ରୱାଲ ଇନ୍‌ଫ୍ରକୋର୍‌କୁ ରାଜପଥ ନିର୍ମାଣ ଦାୟିତ୍ବ ଦେଇଥିଲା।

ସମ୍ବଲପୁରରୁ ଅନୁଗୁଳ ୧୫୧ କିଲୋମିଟର ରାସ୍ତା(ଉଭୟ ପାର୍ଶ୍ବ ହିସାବକୁ ନେଲେ ସର୍ବମୋଟ ୩୦୨ କିଲୋମିଟର) ମଧ୍ୟରୁ ଅନ୍ତତଃ ୨ ଲେନ୍ ରାସ୍ତା ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଗତ ଜାନୁଆରି ପ୍ରଥମ ସପ୍ତାହରେ ସମୀକ୍ଷା ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏନ୍‌ଏଚ୍‌ଏଆଇକୁ ନିର୍ଦେଶ ଦେଇଥିଲେ। ହେଲେ, ଅଗ୍ରୱାଲ ଇନ୍‌ଫ୍ରା‌କୋର୍‌ ବି ଏ ଦିଗରେ ଫେଲ୍ ମାରିଛି। ହାତୀ ଚଳାଚଳ ଏବଂ ରେଳପଥ ନିମନ୍ତେ ନିର୍ମାଣ ହେବାକୁ ଅଣ୍ଡର ପାସ୍‌ ନିର୍ମାଣ ଆଗେଇ ପାରି ନାହିଁ। ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କୁ ପଚାରିବାରୁ ସେ କହିଲେ, ଡିସେମ୍ବର ୨୦୨୩ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଛି। ଏପର୍ଯ୍ୟନ୍ତ ୧୨୦ କିଲୋମିଟର ରାସ୍ତା କାମ ସଂପୂର୍ଣ୍ଣ ହୋଇଛି। ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରୁ ଅଣ୍ଡର ପାସ୍ କାମ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଚାଲିଛି ବୋଲି ବୋଲି ଶ୍ରୀ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର