କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ: ୪ବର୍ଷ ହେଲା ଚାଲିଛି ନିର୍ମାଣ, ସରୁନି

ଖୁଣ୍ଟୁଣୀ : କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀରୁ ବାଳିବଉଳ ପର୍ଯ୍ୟନ୍ତ ରାସ୍ତା ନବୀକରଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥା‌ରେ ପଡ଼ିରହିଛି। ୨୦୧୯ରୁ ଏହି ରାଜପଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୪ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ଶେଷ ହେବାର ନାଁ ଧରୁନି। ଫଳରେ ରାଜପଥରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଅନ୍ୟପଟେ, ରାସ୍ତା ନିର୍ମାଣର କଚ୍ଛପ ଗତି ଯୋଗୁଁ ରାଜପଥ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବାସିନ୍ଦା ଧୂଳିରେ ଅତିଷ୍ଠ ହେଉଛନ୍ତି। ବାୟୁ ପ୍ରଦୂଷଣ ଯୋଗୁଁ ଅଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଅଞ୍ଚଳର ଛୋଟ ଉଠାଦୋକାନୀମାନେ ମଧ୍ୟ ବର୍ଷବର୍ଷ ଧରି ସେମାନଙ୍କ ଜୀବିକା ହରାଇଛନ୍ତି।

୫୫ନମ୍ବର ଜାତୀୟ ରାଜପଥକୁ ୪ ଥାକିଆ ରାସ୍ତାରେ ପରିଣତ କରିବା ପାଇଁ ଏନ୍‌ଏଚ୍‌ଏଆଇ (ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ) ପକ୍ଷରୁ ୨୦୧୮ରେ ଜମି ଅଧିଗ୍ରହଣ କରାଯାଇ ୨୦୧୯ରୁ ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଥମେ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ ପକ୍ଷରୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ସଂସ୍ଥାକୁ ଅପସାରଣ କରାଯାଇ ଦେଢ଼ବର୍ଷ ହେବ ଏମ୍‌ଏସ୍‌ଆଇପିଏଲ୍‌ ଠିକାସଂସ୍ଥା ରାଜପଥ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ହେଲେ ଖୁଣ୍ଟୁଣୀରୁ ବାଳିବଉଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ଏହି ଅଞ୍ଚଳ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଖୁଣ୍ଟୁଣୀ ଗୋଲେଇ ଛକରୁ ଖୁଣ୍ଟୁଣୀ ଥାନା ଛକ, ରାଧାକିଶୋରପୁର ଓଭର୍‌ ବ୍ରିଜ୍‌ରୁ ପାନିଆମା, ଓରନ୍ଦା ତାରିଣୀ ମନ୍ଦିରରୁ ଶମ୍ବେଶ୍ୱର ମନ୍ଦିର ଏବଂ ବାଳିରୁ ବଉଳ ପର୍ଯ୍ୟନ୍ତ କେତେକ ସ୍ଥାନରେ ରାସ୍ତା କାମ ଆଦୌ ହୋଇ ନ ଥିଲା ବେଳେ କେତେକ ସ୍ଥାନରେ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଯାତାୟାତ ଦୁର୍ବିସହ ହୋଇପଡ଼ୁଛି। ଠିକାଦାର ରାସ୍ତାରେ ପାଣି ସିଞ୍ଚନ କରୁ ନ ଥିବାରୁ ଅଧାପନ୍ତରିଆ ରାସ୍ତାରେ ପ୍ରବଳ ଧୂଳି ଉଡ଼ୁଥିବାରୁ ପଥଚାରୀ ଓ ରାଜପଥ ପାର୍ଶ୍ୱରେ ବସବାସ କରୁଥିବା ଜନସାଧାରଣ ଅଣନିଶ୍ୱାସୀ ହୋଇଯାଉଥିବା ଅଭିଯୋଗ ହେଉଛି। ରାଜପଥ ସମ୍ପ୍ରସାରଣ ଯୋଗୁଁ ରାସ୍ତା ପାର୍ଶ୍ବରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ବ୍ୟବସାୟୀମାନେ ୫ବର୍ଷ ହେଲା ଜୀବିକା ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଏହାକୁ ନେଇ ପୂର୍ବରୁ ବିକ୍ଷୋଭ ପ୍ରତିବାଦ ହୋଇ ଆସିଥିବା ବେଳେ ସାଧାରଣରେ ପ୍ରତିକ୍ରିୟା ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର