ଟାଙ୍ଗୀ: ଜାତୀୟ ରାଜପଥରେ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍ଏଚ୍ଏଆଇ)ର ସର୍ବଭାରତୀୟ ଟୋଲ୍ଫ୍ରି ହେଲ୍ପଲାଇନ୍ ନମ୍ବର ୧୦୩୩। ଏହି ନମ୍ବରେ ୨୪ ଘଣ୍ଟିଆ ସହାୟତା ପ୍ରଦାନ କରାଯାଇଥାଏ। କିନ୍ତୁ ଯେଉଁଠାରେ ମୋବାଇଲ୍ ନେଟ୍ୱାର୍କ କାମ କରେନାହିଁ, ସେଠାରେ ‘ଏସ୍ଓଏସ୍ କଲ୍ବକ୍ସ’ ସ୍ଥାପନ କରାଯାଇଛି। ଏହି ଜରୁରୀକାଳୀନ ସହାୟତା ବକ୍ସ ଅନେକଙ୍କ ଜୀବନ ବଞ୍ଚାଇଥାଏ ଓ ବିପଦରୁ ରକ୍ଷା କରିଥାଏ। କିନ୍ତୁ ୧୬ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଠାରୁ ବ୍ରହ୍ମପୁର ମଧ୍ୟରେ ଅନେକ ସ୍ଥାନର ଏହି କଲ୍ବକ୍ସକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏହି ସ୍ଥିତିରେ ଜାତୀୟ ସମ୍ପତ୍ତି ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏସଓଏସ ମାନେ(ସେଭ୍ ଆୱାର୍ ସୋଲ୍ସ) ଅର୍ଥ ‘ଆମ ଜୀବନ ବଞ୍ଚାଓ’। ୧୬ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ରୁ ବ୍ରହ୍ମପୁର ଗଲାବେଳେ ପ୍ରତି ୨ କିଲୋମିଟର ରାସ୍ତା ବ୍ୟବଧାନରେ ଜାତୀୟ ରାଜପଥ ପାର୍ଶ୍ବରେ ରେ ଏସଓଏସ ଲେଖା ଥିବା ନାମ ଫଳକ ନଜରକୁ ଆସିଥାଏ ପୁଣି କିଛି ବାଟ ଗଲା ପରେ ସୋଲାର ପାନେଲ୍ ସଂଯୋଗ ହୋଇଥିବା ଏକ ଖୁଣ୍ଟି ଦେଖିବାକୁ ମଧ୍ୟ ମିଳିଥାଏ । ସେହି ଖୁଣ୍ଟ ରେ ଗୋଟିଏ କମଳା ରଙ୍ଗର ବାକ୍ସ ଲାଗିଥିବାର ଦେଖିବାକୁ ମିଳେ ଯାହା ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ ସମସ୍ୟାରେ ଯାତ୍ରୀମାନଙ୍କୁ ସହାୟକ ହେବା ପାଇଁ ଲାଗିଥାଏ। ଏହି ବକ୍ସରେ ଥିବା ଗୋଟିଏ ସୁଇଚ୍ ଦବାଇଲେ ନିକଟସ୍ଥ ପୋଲିସ ଷ୍ଟେସନ, ଅଗ୍ନିଶମ କେନ୍ଦ୍ର ଓ ଆମ୍ବୁଲାନ୍ସ ସହିତ ସଂଯୁକ୍ତ ଏସ୍ଓଏସ୍ କଲ୍ ପାଇବା ପରେ ତୁରନ୍ତ ଲୋକେସନ ଟ୍ରାକ୍ କରି ସାହାଯ୍ୟକାରି ଦଳ ପହଞ୍ଚିଥାନ୍ତି।
ଏହି ବକ୍ସଗୁଡ଼ିକ ଜିପିଏସ୍ ସକ୍ଷମ ଓ ଏକ ଭଏସ୍ ଯୋଗାଯୋଗ ପ୍ରଣାଳୀରେ କାମ କରେ। କିନ୍ତୁ ବିଡ଼ମ୍ବନାର ବିଷୟ ରାଜପଥରେ ଯାତ୍ରି କିମ୍ବା ଡ୍ରାଇଭର ସୁବିଧା ପାଇଁ ଲାଗି ଥିବା ଏହି ଯନ୍ତ୍ରଗୁଡ଼ିକ ଏବେ ଦୟନୀୟ ଅବସ୍ଥାରେ ଜାତୀୟ ରାଜପଥ କଡ଼ରେ ଝୁଲି ରହିଛି। କେହି ଅସାମାଜିକ ବ୍ୟକ୍ତିମାନେ ଏହି ଏସଓଏସ ବାକ୍ସରୁ ବ୍ୟାଟେରୀ ଚୋରି କରିନେଇଯାଇଛନ୍ତି ତ କେଉଁଠାରୁ ସମୁଦାୟ ସୋଲାର ସହିତ ବିଭିନ୍ନ ଯନ୍ତ୍ରପାତି ଉଠାଇନେଇଛନ୍ତି। ରାଜପଥରେ ପାଟ୍ରୋଲିଂ କାମ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ, ଏଭଳି ଚୋରି ସମ୍ପର୍କରେ ଏନ୍ଏଚ୍ଏଆଇ ପକ୍ଷରୁ ମଧ୍ୟ ଟାଙ୍ଗୀ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏଥିରୁ ଏକ ବଡ଼ଦୁର୍ନୀତିକୁ ଲୁଚାଇବାକୁ ଏଭଳି କରାଯାଇଛି ବୋଲି ଆଲୋଚନା ହେଉଛି। ସରକାରଙ୍କ ପକ୍ଷରୁ ଘଟଣାର ସମ୍ବେଦନଶୀଳତା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/21/sfhfshhfxbvbb-2025-10-21-02-07-12.jpg)