କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫ୍ ଲାଇନ୍ ଜୟପୁର-ବ୍ରହ୍ମପୁର ୩୨୬ନଂ ଜାତୀୟ ରାଜପଥ ୪ଲେନ୍ କରାଯିବାକୁ ତତ୍କାଳୀନ  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସଂପନ୍ନ ବୈଠକରେ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କ ପରିବହନ ବିଭାଗକୁ ଡିପିଆର ପଠାଇଥିଲେ। ତେବେ ଏହି ପ୍ରକଳ୍ପରେ ସାମାନ୍ୟ ପରିବର୍ତ୍ତନ କରିବା ସହ ଏହାକୁ ସବୁଜ ସଙ୍କେତ ମିଳିଛି। ତେବେ ୪ଲେନ୍ ବଦଳରେ ୨ଲେନକୁ ପ୍ରଶସ୍ତିକରଣ ପାଇଁ ଅନୁମୋଦନ ମିଳିଛି। ୩୩୬ କିମି ବିଶିଷ୍ଟ ୨ ଲେନ୍ ରାଜପଥ ପାଇଁ ୩୭୫୦ କୋଟି ବ୍ୟୟ ଅଟକଳ କରାଯାଇଥିବା ବେଳେ କେନ୍ଦ୍ର ସରକାର ଏଥିରୁ ୯୦କିଲୋ ମିଟର ରାସ୍ତାକୁ କାଟି ୨୪୬ କିଲୋମିଟର କରି ୨୫୦୦କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ରାସ୍ତାର ପ୍ରଶସ୍ତୀକରଣ ହେଲେ୧୬ନଂ ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍ ହାଇୱେ ସହ ୩୨୬ନଂ ଜାତୀୟ ରାଜପଥକୁ ଯୋଡ଼ି ଆଦିବାସୀ ଅଧ୍ୟୁଷିତ କୋରାପୁଟ, ରାୟଗଡ଼ା ଜିଲ୍ଲାର ଅର୍ଥନୈତିକ ବିକାଶ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ।

Advertisment

ପ୍ରକାଶଯୋଗ୍ୟ,  ୩୨୬ନଂ ଜାତୀୟ ରାଜପଥ ୨ ଲେନ୍ ହୋଇଥିବା ବେଳେ ଏହାକୁ ୪ ଲେନ୍ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ଡିପିଆର୍ ପ୍ରସ୍ତୁତ କରି ତତ୍କାଳୀନ ସରକାର ବ୍ରହ୍ମପୁର-ରାୟଗଡ଼ା ୨୦୫ କିମି ଓ ରାୟଗଡ଼ା-ଜୟପୁର ୧୩୧ କିମି ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଦେଇ ଜୟପୁରରେ ଶେଷ ହେବାକୁ ଥିବା ରାଜପଥ ମଧ୍ୟରେ ବହୁ ଗ୍ରାମାଞ୍ଚଳ ରହିଥିବାରୁ ଟ୍ରାଫିକ୍ ଓ ଦୁର୍ଘଟଣା ଏଡ଼ାଇବାକୁ ୮୦ରୁ ୧୦୦ କିମି ବାଇପାସ୍ ରାସ୍ତା ନିର୍ମାଣ ହେବ ଏଥି ସହିତ ବହୁ ପରିମାଣର ସଂରକ୍ଷିତ ଜଙ୍ଗଲ ରହିଥିବାରୁ ନିର୍ମାଣ ପୂର୍ବରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟରୁ ଅନୁମତି ଆଣିବାକୁ ସରକାର ଚିନ୍ତା କରୁଛନ୍ତି। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଖୁବ୍ ପର୍ଯ୍ୟାୟରେ ଜମି ଅଧିଗ୍ରହଣକୁ ମିଶାଇ ଏହି ପ୍ରକଳ୍ପ ପାଇଁ ୩୭୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ।

ତେବେ କେନ୍ଦ୍ର ସରକାର ଜୟପୁର ବଦଳରେ କୋରାପୁଟରୁ ପୋଡ଼ାମାରି ପର୍ଯ୍ୟନ୍ତ ୨୪୬କିଲୋମିଟର ରାସ୍ତାର ପ୍ରଶସ୍ତିକରଣ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।  ପ୍ରକଳ୍ପ ନିର୍ମାଣ ଶେଷ ହେଲେ ୩୨୬ନଂ ଜାତୀୟ ରାଜପଥ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁକୁ ସଂଯୋଗ କରିଥିବା ୧୬ନଂ ଜାତୀୟ ରାଜପଥ ସହ ଯୋଡ଼ିହେବ। ସେହିପରି କୋରାପୁଟ ଜିଲ୍ଲାର କୋଟପାଡ଼ରୁ ସୁନ୍ଦରଗଡ଼ ଓ ରାଉରକେଲାକୁ ସଂଯୋଗ ହୋଇଥିବା ବିଜୁ ଏକ୍ସପ୍ରେସ୍ ହାଇୱେ ସହ ମଧ୍ୟ ଏହି ୨ ଲେନ୍ ରାଜପଥ ଯୋଡ଼ିହେବା ଫଳରେ ଶିଳ୍ପ ସମୃଦ୍ଧ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଅର୍ଥନୈତିକ ପ୍ରଗତିରେ ଅଧିକ ସୁଧାର ଆସିବ।

ସେହିପରି କୋରାପୁଟ ଜିଲ୍ଲାରେ ହାଲ୍, ନାଲକୋ, ସେବା ପେପର୍ ମିଲ୍ ସହ ବହୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ଅନ୍ୟ ଶିଳ୍ପାନୁଷ୍ଠାନ  ରହିଛି। ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା, ଇମ୍ଫା, ବେଦାନ୍ତ, ଜେକେ କାଗଜ କଳ, କୋଡ଼ିଙ୍ଗାମାଳି ଖଣି ସମେତ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ଥିବା ବେଳେ ଖୁବ୍ ଶୀଘ୍ର ରାୟଗଡ଼ାରେ ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜୟପୁର- ବ୍ରହ୍ମପୁର ରାଜପଥ ୨ ଲେନ୍‌ ହେଲେ ମାଲ ପରିବହନ ବଢ଼ିବ।  ଯାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସୂଚନା ଥାଉକି, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜୟପୁରରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଓ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ବ୍ରହ୍ମପୁରକୁ ରାୟଗଡ଼ା ଦେଇ ୩୨୬ନଂ ଯୋଡ଼ି ହୋଇଛି। ଏହି ଜାତୀୟ ରାଜପଥର ଅବସ୍ଥା ପୂର୍ବରୁ ଅତି କଦର୍ଯ୍ୟ ଥିବାରୁ ସମସ୍ତ ମାଲବାହୀ ଓ ଯାତ୍ରୀବାହୀ ଯାନବାହନ ଓଡିଶା-ଆନ୍ଧ୍ର ଦେଇ ଚଳାଚଳ କରୁଥିଲେ। ଏବେ ରାଜପଥ ନିର୍ମାଣ ଶେଷ ହେବା ପରେ ସମସ୍ତ ଯାନବାହନ ରାୟଗଡ଼ା ଦେଇ ବ୍ରହ୍ମପୁର ଓ ଭୁବନେଶ୍ଵରକୁ ଚଳାଚଳ କରୁଛି।