ନାଚୁଣୀ : ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଖୋର୍ଧା ଜିଲ୍ଲାର କୁହୁଡି, ଚଣ୍ଡେଶ୍ବର, ନାଚୁଣୀ, ସୁନାଖଳା, କହ୍ନେଇପୁର, ହରିକୁଣ୍ଡ ବରଡିହ ଅଞ୍ଚଳରେ ରାସ୍ତାର ଉଭୟ ପାର୍ଶ୍ବ ସଂପ୍ରସାରଣ ଉଦ୍ଦେଶ୍ୟରେ ଖୋଳି ଦିଆଯାଇଛି। କିନ୍ତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଖୋଳାଯାଇଥିବା ଅଂଶ ଲୋକଙ୍କ ପାଇଁ ଏବେ ବିପଜ୍ଜନକ ହୋଇଛି। ଚଣ୍ଡେଶ୍ବର ବଜାର ଅଧିକାଂଶ ସମୟ ଜନଗହଳିପୂର୍ଣ୍ଣ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କର୍ତୃପକ୍ଷ ସେଠାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିପରି କୁହୁଡ଼ି ବଜାର ଅଂଚଳ ରାସ୍ତାର ଉଭୟପାର୍ଶ୍ବ ସଂପ୍ରସାରିତ ହେବାକୁ ରହିଛି। ଏଥିପାଇଁ ଅଧିକୃତ ଜମିରେ ମାଟି ଓ ମୋରମ ବିଛାଇବା କାର୍ଯ୍ୟ ୮ ମାସ ହେଲା ଚାଲିଛି। ସବୁଠାରୁ ଅବ୍ୟବସ୍ଥାରେ ରହିଛି ସୁନାଖଳା ବଜାର ଅଂଚଳ। ଏଠାରେ ରାସ୍ତା ସଂପ୍ରସାରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବ ଖୋଳି ଦିଆଯାଇଛି। କିନ୍ତୁ କାର୍ଯ୍ୟ ଆଗଉ ନାହିଁ। ଏଭଳି ସ୍ଥିତିରେ ଏଠାରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବ ଖାଲଖମା ହୋଇ ପଡିଛି।

Advertisment

publive-image

ସୁନାଖଳା ବଜାର ଅଞ୍ଚଳ ମଧ୍ୟରେ ବସ ଷ୍ଟପ୍‌, ସ୍ଥାୟୀ ଦୋକାନ ଆଦି ଭାଙ୍ଗି ଦିଆଯାଇଛି। ଦୋକାନବଜାରଠାରୁ ଆରମ୍ଭ କରି ଫାଣ୍ଡି, ଡାକ୍ତରଖାନା, ମନ୍ଦିର ଆଦିକୁ ଗ୍ରାମବାସୀ ଜାତୀୟ ରାଜପଥ କଡ଼ରେ ଯିବା ଆସିବା କରିଥାନ୍ତି। କିନ୍ତୁ ଏବେ ସଂପ୍ରସାରଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିବାରୁ ଲୋକଙ୍କ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହେଉଛି। ଉଭୟପାର୍ଶ୍ବ ସଂଲଗ୍ନ ରାସ୍ତା ଖୋଳି ନିର୍ମାଣକାର୍ଯ୍ୟ ମାସମାସ ଧରି ଆଗେଇ ପାରୁନଥିବାରୁ ଏହି ଅଂଚଳ ଖାଲଖମା ସହ ଦୁର୍ଘଟଣା ପ୍ରବଣ ହୋଇ ରହୁଛି। ଏ ସଂପର୍କରେ ନାଚୁଣୀ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ଦାଶଙ୍କ କହିଛନ୍ତି ଯେ ୧୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ହରିକୁଣ୍ଡ ବରଡିହଠାରୁ ନାଚୁଣୀ ବାଇପାସ୍‌ ମଧ୍ୟରେ ମାତ୍ର ୫କିମି ବ୍ୟବଧାନ ମଧ୍ୟରେ ସବୁଦିନ ଏକାଧିକ ଛୋଟବଡ ଦୁର୍ଘଟଣା ଘଟିଚାଲିଛି। ସବୁ ଘଟଣା ପୁଲିସ ଦୃଷ୍ଟିକୁ ଆସୁନାହିଁ। ଜାତୀୟ ରାଜପଥ ସଂପ୍ରସାରଣ ମନ୍ଥର ଗତିରେ ଚାଲିଥିବାରୁ ଯାତାୟତ ଅବ୍ୟବସ୍ଥା ଉପୁଜୁଛି। ।

ଏ ବାବଦରେ ଚିଲିକା ବିଧାନସଭା ମଣ୍ଡଳିର ୩ ଥର ବିଧାୟକ ରହି ନିକଟରେ ଅବ୍ୟାହତି ନେଇଥିବା ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ନିଜ ମତ ରଖି ଏନ୍‌ଏଚ୍‌ଏଆଇ ତୁରନ୍ତ ଏହି ସଂପ୍ରସାରଣ କାର୍ଯ୍ୟକୁ ଶେଷ କରୁ ବୋଲି ଦାବି କରିଛନ୍ତି।