ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ: କଣ୍ଟ ପୂରିଲା, କାମ ସରିଲାନି

ଆଉ ୬ ମାସ ସମୟ ମାଗିଛି ଠିକା ସଂସ୍ଥା, ମାସକ ପାଇଁ ସହର ଭିତରେ ଭାରୀଯାନ ଚଳାଚଳ କଟକଣା

ଅନୁଗୁଳ: ବର୍ଷା ପୂବର୍ରୁ ଅର୍ଥାତ ଜୁନ୍‌ ଶେଷ ସୁଦ୍ଧା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର। ଜୁନ୍‌ ଶେଷ ହୋଇଗଲା ପଛେ କାମ ସରିଲାନି। ଏବେ ବି କାମ ଅଧପନ୍ତରିଆ ହୋଇ ପଡ଼ିଥିଲା ବେଳେ ଆଉ ୬ ମାସ ସମୟ ମାଗିଲାଣି ଠିକା ସଂସ୍ଥା। ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ଶେ‌ଷ ହେବାର ନାଁ ଧରୁନି। ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ଏହି ଗୁରୁତ୍ବପୂର୍ଣ୍ଣ ରାଜପଥକୁ ୪ ଥାକିଆ କରାଯାଉଛି। ୨୦୨୦ ସୁଦ୍ଧା ପ୍ରଶସ୍ତୀକରଣ କାମ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କାମ ବିଳମ୍ବିତ ହେଉଛି। ବିଭିନ୍ନ ଦଫାରେ କଣ୍ଟ ବଢ଼ା ଯାଉଥିଲେ ମଧ୍ୟ କାମ ସରୁନି। ବର୍ଷ ଆରମ୍ଭରୁ ଜୁନ୍‌ ସୁଦ୍ଧା ଏହି କାମ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କାମ ବିଶେଷ ଆଗେଇ ପାରିନି। ସୂଚନା ଅନୁସାରେ, ଅନୁଗୁଳରୁ ସମ୍ବଲପୁରକୁ ସଂଯୋଗ କରୁଥିବା ରାସ୍ତା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ କିଛି ସ୍ଥାନରେ ଓଭରବ୍ରିଜ୍‌ ଓ ହାତୀ ଚଲାପଥ କାମ ବାକି ରହିଛି। ଏହାର ଆପ୍ରୋଚ୍‌ ରୋଡ୍‌ ଏବଂ କିଛି ସ୍ଥାନରେ ପୋଲ କାମ ଅଧପନ୍ତରିଆ ପଡ଼ିଛି।

ରାସ୍ତ‌ା ନିର୍ମାଣ ଆଉ ପ୍ରାୟ ନାହିଁ। ଏଣୁ ଏହି ରାସ୍ତା କାମ ସରିବାକୁ ଅଧିକ ଦିନ ଲାଗିବନି ବୋଲି ଅନୁମାନ କରାଯାଉଛି। କିନ୍ତୁ ଅସଲ ସମସ୍ୟା ହେଉଛି, ଅନୁଗୁଳରୁ କଟକ ପର୍ଯ୍ୟନ୍ତ ଯାଇଥିବା ରାସ୍ତା। ଏହି ରାସ୍ତାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇ କାମ ଚାଲିଛି। ଅନୁଗୁଳରୁ ଢେଙ୍କାନାଳ ଓ ଢେଙ୍କାନାଳରୁ କଟକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରାଯାଉଥିଲେ ମଧ୍ୟ କାମ ତ୍ବରାନ୍ବିତ ହୋଇପାରୁନି। ରାସ୍ତାର ଅବସ୍ଥା ଯାହା ଆଉ ୬ ମାସ ଭିତରେ ସରିବା ପରି ଲାଗୁନି। ରାସ୍ତାର ବିଭିନ୍ନ ସ୍ଥାନରେ ପୋଲ, ଓଭରବ୍ରିଜ୍‌, ହାତୀ ଚଲାପଥ କାମ ବାକି ପଡ଼ିଛି। ମୁଖ୍ୟ ରାସ୍ତା ନିର୍ମାଣ ବି ଶେଷ ହୋଇନି। ୮୦ ପ୍ରତିଶତରୁ ଅଧିକ କାମ ସରିଥିବା ଠିକା ସଂସ୍ଥା କହୁଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା।

ରାସ୍ତା ଅଧପନ୍ତରିଆ ପାଇଁ ଦୁର୍ଘଟଣା ବଢ଼ୁଛି। ଏପଟେ କାମ ଯେଉଁ ହାରରେ ଆଗେଇବା କଥା ଆଗେଇ ପାରୁନି। ପୁରୁଣା ଠିକା ସଂସ୍ଥା କରିଥିବା ତ୍ରୁଟି ପାଇଁ କାମ ବିଳମ୍ବିତ ହେଉଥିବା ନୂଆ ଠିକା ସଂସ୍ଥା କହୁଛି। ପୁଣି ବର୍ଷା ପାଇଁ କାମ ଧିମା ହେବା ଆଶଙ୍କା କରାଯାଉଛି। ତେଣୁ ଆଉ ୬ ମାସ ଭିତରେ କେମିତି କାମ ସରିବ ତା’କୁ ନେଇ ସ୍ବାଭାବିକ ଭାବେ ସନ୍ଦେହ ବଢ଼ିଛି। ଏପଟେ ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଭାରୀଯାନ ଚଳାଚଳ ଉପରେ ପୁଣି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ବାଇପାସ୍‌ ରାସ୍ତା କାମ ଶେଷ ହୋଇ ନ ଥିବାରୁ ଏବଂ ସହର ଭିତରେ ଟ୍ରାଫିକ୍‌ ସମସ୍ୟା ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଜିଠାରୁ ମାସକ ପର୍ଯ୍ୟନ୍ତ ସହର ଭିତରେ ଦିନରେ ୧୦ ଚକିଆ ଟ୍ରକ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି। ସକାଳ ସାଢ଼େ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ କୌଣସି ୧୦ ଚକିଆ ଟ୍ରକ୍‌ କିମ୍ବା ଏହାଠାରୁ ବଡ଼ ଭାରୀଯାନ ଏହି ରାସ୍ତାରେ ଚଳାଚଳ କରି ପାରିବ ନାହିଁ। ନାଲ୍‌କୋରୁ ଅନୁଗୁଳ ଆଡ଼କୁ ଆସୁଥିବା ଖାଲି କୋଇଲା ଟ୍ରକ୍‌ଗୁଡ଼ିକୁ ଆସିବା ପାଇଁ ଅନୁମତି ଦିଆଯାଇଛି। ଏ ଭିତରେ ଜାତୀୟ ରାଜପଥ କାମ କେତେ ଆଗେଇଲା ତା’ର ନିୟମିତ ରିପୋର୍ଟ ପ୍ରଶାସନ ପାଖରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର