୧୦ ଜିଲ୍ଲାରେ ଜାତୀୟ ରାଜପଥ, ରେଳବାଇ ଓ ଜଳସେଚନ ପ୍ରକଳ୍ପ ଜମି ଅଧିଗ୍ରହଣ ସମୀକ୍ଷା

ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଆର୍‌ଡିସିଙ୍କ ନିର୍ଦ୍ଦେଶ

କଟକ: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି)ଙ୍କ ଅଧୀନରେ ଥିବା ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ଆର୍‌ଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ। ଏହି ଅବସରରେ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ରାଜସ୍ବ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ଜାତୀୟ ରାଜପଥ – ୫୭ର ଜମି ଅଧିଗ୍ରହଣ ଓ କ୍ଷତିପୂରଣ କାର୍ଯ୍ୟ ଆଗାମୀ ୪ ଦିନ ମଧ୍ୟରେ ଶେଷ କରିବାକୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଓ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଭୁବନେଶ୍ଵର ( ରାସ୍ତା ଓ ଗୃହ ) ବିଭାଜନ- ୫ ଦ୍ବାରା ନାକାଗେଟ୍ ଓ କାଟେନୀ ରାସ୍ତା ଉନ୍ନତିକରଣ ନିମନ୍ତେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ନିକଟରେ ୨୧.୭୪ କୋଟି ଟଙ୍କା ଜମା କରାଯାଇଛି। ସେହିପରି ମଳିପଡା ଓ ଗୋଠପାଟଣା ମୌଜା ନିମନ୍ତେ ୪୪.୪୪ କୋଟି ଓ ଗୋଠପାଟଣା ଓ ଘଙ୍ଗାପାଟଣା ମୌଜା ନିମନ୍ତେ ୧୬.୮୦ କୋଟି ଟଙ୍କା ଜମା କରାଯାଇଛି।

କୋଣାର୍କ – ନୂଆଗାଁ- ପାରାଦୀପ- ରତନପୁର ଜାତୀୟ ରାଜପଥ ଭାରତମାଳା ପ୍ରକଳ୍ପ, ଜାତୀୟ ରାଜପଥ ୫୫, କଟକ-ପାରାଦୀପ ରେଳ ଲାଇନ୍, ହରିଦାସପୁର ପାରାଦୀପ ରେଳ ଲାଇନ୍, ହାଡ଼ୁଆ ଜଳସେଚନ ପ୍ରକଳ୍ପ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଏବଂ ଦେଓ ଜଳସେଚନ ପ୍ରକଳ୍ପଗୁଡ଼ିକର ସବିଶେଷ ସମୀକ୍ଷା କରାଯାଇଥିଲା।

ଦୟା ନଦୀ ଉପରେ ହାଇଲେବୁଲ ପୋଲ ନିର୍ମାଣ, ଦୟା ନଦୀ ଦକ୍ଷିଣ ନଦୀ ବନ୍ଧରେ ଦୁଇ ଟିକିଆ ରାସ୍ତା ନିର୍ମାଣ, ଗଙ୍ଗୁଆ ନଦୀର ବାମ ନଦୀ ବନ୍ଧରେ ଜାତୀୟ ରାଜପଥ ୩୧୬ ଠାରୁ କପିଳେଶ୍ଵର ପର୍ଯ୍ୟନ୍ତ ଦୁଇ ଟିକିଆ ରାସ୍ତା ନିର୍ମାଣ ପାଇଁ ଶୀଘ୍ର ଡିପିଆର୍‌ ପ୍ରସ୍ତୁତ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜାତୀୟ ରାଜପଥ ୩୧୬ ଅନ୍ତର୍ଗତ ପୁରୀ ସହର ମାଟିଆପଡ଼ା ରେଳବାଇ ଓଭରବ୍ରିଜ୍ ପାଇଁ କ୍ଷତିପୂରଣ ବାବଦରେ ୩୧ କୋଟି ଟଙ୍କା ବିତରଣ କରାଯାଇଛି। ବକେୟା କ୍ଷତିପୂରଣ ଜଗନ୍ନାଥ ମହାପ୍ରଭୁ ଓ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ବିବାଦ ଯୋଗୁ ପଡି ରହିଥିବା ପୁରୀ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କହିଥିଲେ।

ଖୋର୍ଦ୍ଧା ବାଇପାସ୍, ନୟାଗଡ ବାଇପାସ୍ ଜାତୀୟ ରାଜପଥ-୫୫ ଅନ୍ତର୍ଗତ କନ୍ଦରପୁର ଠାରୁ ବାଲିକୁଦା ଇତ୍ୟାଦି ପ୍ରକଳ୍ପ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପୁରୀ, କଟକ ଓ ଖୋର୍ଦ୍ଧାଙ୍କୁ କ୍ୟାପିଟାଲ୍ ରିଜନ୍ ରିଙ୍ଗ ରୋଡ୍ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ପ୍ରାଥମିକତା ଦେବାକୁ ଆର୍‌ଡିସି ପରାମର୍ଶ ଦେଇଥିଲେ। ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ଗୋଟିଏ ସପ୍ତାହ ମଧ୍ୟରେ ସର୍ଭିସ ରୋଡ, ଜମି ଅଧିଗ୍ରହଣ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଯଶୀପୁର ତହସିଲଦାର ବାକିଥିବା ୧୭ଟି ମଧ୍ୟସ୍ଥତା ମାମଲା ଶୀଘ୍ର ଫଇସଲା କରି ଜଣାଇବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାର ଟାଙ୍ଗୀ-ଚୌଦ୍ବାର ଯଥାଶୀଘ୍ର ବିବାଦୀୟ ରେଳବାଇ ଜମି ଅଧିଗ୍ରହଣ ମାମଲାର ଯୁଗ୍ମ ବୈଠକ ଆହୂତ କରି ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ଦର୍ପଣ ତହସିଲ ଅନ୍ତର୍ଗତ ବାଘୁଆ ଓ ମୂଳିଝର ଜମି ଅଧିଗ୍ରହଣ ମାମଲାର ଏକ ସପ୍ତାହ ମଧ୍ୟରେ ସମାଧାନ କରିବାକୁ ଆର୍‌ଡିସି ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ୧୮ଟି ମାମଲା ମେ ୧୫ ମଧ୍ୟରେ ଓ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ସଂପର୍କରେ ମେ ୩ ତାରିଖ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ୍, ଅତିରିକ୍ତ ସଚିବ ବିବେକାନନ୍ଦ ସାହୁ, ସମ୍ପୃକ୍ତ ଜିଲ୍ଲାର ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ତହସିଲଦାର, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ, ରେଳବାଇ ଉପ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର