ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ନେଇ ମୁଖ୍ୟ ସଚିବଙ୍କୁ ଜାତୀୟ ମାନବାଧିକାର କମିସନ୍‌ଙ୍କ ରିପୋର୍ଟ ତଲବ

ସମ୍ବଲପୁର : ହୀରାକୁଦ ବିସ୍ଥାପିତଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଉପରେ ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିସନ୍‌ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହୀରାକୁଦ ବାସହରାଙ୍କ ପ୍ରତି ସରକାରୀ ସ୍ତରରେ ହୋଇଥିବା ଅନ୍ୟାୟ ସଂପର୍କରେ ଅଭିଯୋଗ କରି ଭିଟାମାଟି ହରାଇଥିବା ପ୍ରତ୍ୟେକ ବିଭାଜିତ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ସଭାପତି ଶୈଳବାଳା ପ୍ରଧାନ ଗତ ୧୭ ନଭେମ୍ବର ୨୦୨୦ରେ ଜାତୀୟ ମାନବାଧିକାର କମିସନ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ଜାନୁଆରି ୭ ତାରିଖରେ ଏହା କମିସନ୍‌ଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ଏହି ଅଭିଯୋଗ ଗୁଡ଼ିକ ଉପରେ ଉତ୍ତର ରଖି ୮ ସପ୍ତ‌ାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିସନ୍‌ଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ଅଭିଯୋଗରେ ଦର୍ଶା ଯାଇଛି ଯେ ହୀରାକୁଦ ବନ୍ଧ ପ୍ରତିଷ୍ଠାକୁ ୬୪ ବର୍ଷ ପୂରିଥିଲା ବେଳେ ଏଥି ପାଇଁ ଲୋକେ ବିସ୍ଥାପିତ ହେବା ପ୍ରାୟ ୭୦ ବର୍ଷ ହେଲାଣି। ସାତ ଦଶନ୍ଧି ପରେ ବି ହଜାରହଜାର ଉଦ୍‌ବାସ୍ତୁ ପରିବାର କ୍ଷତିପୂରଣ ପାଇ ନାହାନ୍ତି କିମ୍ବା ଘର ଡିହ ପଟ୍ଟା ମିଳି ନାହିଁ। ବିସ୍ଥାପିତ ୨୬,୫୦୧ ପରିବାର କିଏ କେଉଁଠି କିଭଳି ଅବସ୍ଥାରେ ଅଛନ୍ତି ସରକାରଙ୍କ ପାଖରେ ତା’ର ହିସାବ ନାହିଁ। ବିଳମ୍ବରେ ହେଲେ ବି ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ପତ୍ର ସଂଖ୍ୟା ୫୫୩୩, ତା. ୩୦.୧.୨୦୦୨ ଜରିଆରେ ବିସ୍ଥାପିତ ହୋଇଥିବା ପ୍ରତି ବିଭାଜିତ ପରିବାରକୁ ୧୦ ଡିସିମିଲ୍ ଲେଖାଏଁ ଘର ଡିହ ଯୋଗାଇ ଦେବାକୁ ତହସିଲଦାର ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ ନିର୍ଦ୍ଦେଶ ଜାରି ହେବାର ୧୯ ବର୍ଷ ପରେ ବି ମାତ୍ର ୨ ହଜାର ପରିବାରଙ୍କୁ ଘର ଡିହ ମିଳିଥିବା ସରକାରୀ ସୂତ୍ରରୁ ପ୍ରକାଶ। ପ୍ରାୟ ୨୫ ହଜାର ଆବେଦନ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ତହସିଲରେ ପଡ଼ି ରହିଛି। ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହାର ନିରାକରଣ ହୋଇପାରି ନାହିଁ ବୋଲି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର