ଏନ୍‌ଆଇଆରଏଫ୍‌ ର‍୍ୟାଙ୍କିଙ୍ଗ୍‌ ପାଇଁ ୩୦ ସୁଦ୍ଧା ପଞ୍ଜୀକରଣ : ସରକାରୀ ଶିକ୍ଷାନୁଷ୍ଠାନ ଉପରେ ନଜର

ଭୁବନେଶ୍ୱର : ୨୦୧୯ ମସିହା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ‘ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ୍‌ ଫ୍ରେମଵାର୍କ’(ଏନ୍‌ଆଇଆରଏଫ୍‌) ପକ୍ଷରୁ ବାର୍ଷିକ ର‍୍ୟାଙ୍କିଙ୍ଗ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇଥିବା ପଞ୍ଜୀକରଣ ପ୍ରକ୍ରିୟା ୩୦ ତାରିଖ ଶେଷ ହେବ। ହାତରେ ଆଉ ମାତ୍ର ଦୁଇ ଦିନ ଥିବାରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଏହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ବି‌େଶଷକରି ଗତ ୩ ବର୍ଷ ହେଲା ଆବେଦନ କରିପାରି ନ ଥିବା ଶିକ୍ଷାନୁଷ୍ଠାନ ଏଥର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ଦୌଡ଼ରେ ସାମିଲ ହୋଇଥିବା ଜଣାପଡ଼ିଛି।

ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ୯ଟି ବିଭାଗରେ ତାଲିକା ପ୍ରସ୍ତୁତ ହେବ। ଡିପ୍ଲୋମା ଓ ପଲିଟେକ୍‌ନିକ୍‌ ପାଠ୍ୟକ୍ରମକୁ ବାଦ୍‌ ଦିଆଯାଇଛି। ସାମଗ୍ରିକ ସଫଳତାକୁ ନେଇ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ସମେତ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରି˚, ମ୍ୟାନେଜ୍‌ମେଣ୍ଟ୍‌, ମେଡିକାଲ, ସାଧାରଣ କଲେଜ, ଆର୍କିଟେକଚର, ଫାର୍ମାସି, ଆଇନ କଲେଜକୁ ନେଇ ର‍୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇବ। ଗତବର୍ଷ ପ୍ରକାଶିତ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ଥାନ ପାଇଥିଲା। ଆଉ କୌଣସି ସରକାରୀ ଶିକ୍ଷାନୁଷ୍ଠାନକୁ ସଫଳତା ମିଳି ନଥିଲା। ଏଥର ବିଶ୍ୱବିଦ୍ୟାଳୟଗୁଡ଼ିକ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଲଗାତାର ୩ ବର୍ଷ ହେଲା ନୈରାଶ୍ୟ ପ୍ରଦର୍ଶନ କରୁଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏଥରକ ଶ୍ରେଷ୍ଠ ଶହେ ମଧ୍ୟକୁ ଆସିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଆଇଟି ଭୁବନେଶ୍ବର ଓ ଏନ୍‌ଆଇଟି ରାଉରକେଲା ଉପରେ ମଧ୍ୟ ଏଥର ନଜର ରହିଛି। ଦୁଇଦିନ ତଳେ ପ୍ରକାଶିତ ଟାଇମ୍ସ ବିଶ୍ୱ ବିଶ୍ୱବିଦ୍ୟାଳୟ ରୢାଙ୍କିଙ୍ଗ୍‌ରେ ଓଡ଼ିଶାରୁ ଏହି ଦୁଇ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ତାଲିକାରେ ଥିବା ଦେଶର ୪୯ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଆଇଟି ‌ଶ୍ରେଷ୍ଠ ୧୦ରେ ରହିଥିଲା। ଗତବର୍ଷ ଏନ୍‌ଆଇଆରଏଫ୍‌ର ଇଞ୍ଜିନିୟରି˚ ବିଭାଗର ଶ୍ରେଷ୍ଠ ଶହେ ତାଲିକାରେ ଓଡ଼ିଶାରୁ ଚାରିଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲେ। ଏନ୍‌ଆଇଟି ରାଉରକେଲା ୧୫ତମ ସ୍ଥାନରେ ଥିବାବେଳେ ଆଇଆଇଟି ଭୁବନେଶ୍ୱର ୧୮, କିଟ୍‌ ୫୧ ଓ ସିଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରି˚ ୮୯ତମ ସ୍ଥାନରେ ଥିଲେ। ଗତବର୍ଷ କୌଣସି ସରକାରୀ ମେଡିକାଲ କଲେଜ ତାଲିକାରେ ସ୍ଥାନ ପାଇ ନଥିଲେ। ଏଥର ସେମାନଙ୍କ ଆବେଦନ କରୁଛନ୍ତି କି ନାହିଁ ତାହା ଉପରେ ନଜର ରହିଛି। ସାଧାରଣ କଲେଜ, ଫାର୍ମାସି, ଆର୍କିଟେକଚର, ଆଇନ ବିଭାଗରେ ଓଡ଼ିଶାରୁ କୌଣସି ଶିକ୍ଷାନୁଷ୍ଠାନ ତାଲିକାରେ ନଥିଲେ।

ଏନ୍‌ଆଇଆର‌୍‌ଏଫ୍‌ ପକ୍ଷରୁ ହେଉଥିବା ଏହି ସର୍ଭେରେ ଶିକ୍ଷାନୁଷ୍ଠାନଗୁଡ଼ିକର ‘ଟିଚି˚, ଲର୍ନି˚ ଆଣ୍ତ୍‌ ରିସୋର୍ସ’, ‘ରିସର୍ଚ ଆଣ୍ତ୍‌ ପ୍ରଫେସ୍‌ନାଲ୍‌ ପ୍ରାକ୍ଟିସେସ୍‌’, ‘ଗ୍ରାଜୁଏସନ୍‌ ଆଉଟ୍‌କମ୍‌’, ‘ଆଉଟ୍‌ରିଚ୍‌ ଆଣ୍ତ୍‌ ଇନ୍‌କ୍ଲୁସିଭିଟି’ ଏବ˚ ‘ପର‌୍‌ସେପ୍‌ସନ୍‌’ ଆଦିକୁ ନେଇ ମାର୍କି˚ କରାଯାଉଛି। ଯେଉଁ ବିଶ୍ବବିଦ୍ୟାଳୟ ବିଗତବର୍ଷଗୁଡ଼ିକରେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ଏଥର ଆଉ ନୂତନ ଭାବେ ପଞ୍ଜୀକରଣ କରିବାକୁ ପଡ଼ିବନି।‌ କେବଳ ପୁନଃପଞ୍ଜୀକରଣ କରିବାକୁ ହେବ। ନୂତନ ଭାବେ ପଞ୍ଜୀକରଣ କରିବାକୁ ଚାହୁଁଥିବା ଶିକ୍ଷାନୁଷ୍ଠାନ ‘www.nirfindia.org’ ମାଧ୍ୟମ‌େର ପଞ୍ଜୀକରଣ କରିପାରିବେ।

ସମ୍ବନ୍ଧିତ ଖବର