ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଦୁଇ ସେମିଫାଇନାଲ ବୁଧବାର ଖେଳାଯିବ। ପ୍ରଥମ ସେମିଫାଇନାଲ ଚଣ୍ଡିଗଡ଼ ଓ ହରିୟାଣା ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ସେମିଫାଇନାଲରେ ଓଡ଼ିଶା ଦଳ ମଧ୍ୟପ୍ରଦେଶକୁ ଭେଟିବ। ତେବେ ସେମିଫାଇନାଲ ମ୍ୟାଚ୍କୁ ଓହ୍ଲାଇବା ପୂର୍ବରୁ ଓଡ଼ିଶା ଖେଳାଳି ଆଜି ଝାଲବୁହା ଅଭ୍ୟାସ କରିଛନ୍ତି। ଓଡ଼ିଶା ଦଳ ଆଜଜି ଦୀର୍ଘ ସମୟରେ ଧରି ଷ୍ଟାଡିୟମରେ ଅଭ୍ୟାସ କରିଥିଲା।
ଓଡ଼ିଶା-ମଧ୍ୟପ୍ରଦେଶ ମଧ୍ୟରେ କଡ଼ା ଟକ୍କର ଆଶା କରାଯାଉଛି। ତେବେ ଚଳିତ ପ୍ରତିଯୋଗିତାରେ ଓଡ଼ିଶା ବେଶ୍ ଶକ୍ତିଶାଳୀ ଥିବା ପୂର୍ବରୁ ପ୍ରମାଣିତ କରିସାରିଛନ୍ତି। ପରିସଂଖ୍ୟାନ ମଧ୍ୟ ଓଡ଼ିଶା ସପକ୍ଷରେ। ଆକର୍ଷଣୀୟ ରକ୍ଷଣଭାଗ ଓ ପେନାଲ୍ଟି କର୍ଣ୍ଣର୍ର ସଦୁପଯୋଗ ଦଳକୁ ଆଗରେ ରଖିଛି। ଏଯାବତ୍ ମୋଟ୍ ୪ଟି ମ୍ୟାଚ୍ ଖେଳିଥିବା ଓଡ଼ିଶା ୩୫ଟି ଗୋଲ୍ ଦେଇଥିବାବେଳେ ୪ଟି ଗୋଲ୍ ବରଣ କରିଛି। ସେହିଭଳି ମଧ୍ୟପ୍ରଦେଶ ମୋଟ୍ ୩ଟି ମ୍ୟାଚ୍ରେ ୨୫ଟି ଗୋଲ୍ ଦେଇଥିବାବେଳେ ୪ଟି ବରଣ କରିଛି। ଏତଦ୍ବ୍ୟତୀତ ବ୍ୟକ୍ତିଗତ ସର୍ବାଧିକ ଗୋଲ୍ ସ୍କୋର୍ର ତାଲିକାରେ ଓଡ଼ିଶା ଖେଳାଳି ଆଗରେ ଅଛନ୍ତି। ଓଡ଼ିଶାର ଆକାଶ ସୋରେଙ୍ଗ ସର୍ବାଧିକ ୭ଟି ଗୋଲ୍ ଦେଇଥିବାବେଳେ ଅଧିନାୟକ ରୋଶନ କୁଜୁର ଓ ଅରବୀନ ଟପ୍ପୋ ୫ଟି ଲେଖାଏ ଗୋଲ୍ ଦେଇଛନ୍ତି।
ତୃତୀୟ ସର୍ବାଧିକ ଗୋଲ୍ ସ୍କୋର୍ର ଭାବେ ଦୀପକ ମିଞ୍ଜ(୪ ଗୋଲ୍), ଚତୁର୍ଥରେ ରିତିକ କୁଜୁର(୩ ଗୋଲ୍) ଓ ଅନମୋଲ ଏକ୍କା, ସଞ୍ଜିତ ଏକ୍କା, ପୌଲୁସ ଲାକ୍ରା ଓ ସିଲୈବା ଲିଶାମ ୨ଟି ଲେଖାଏ ଏବଂ ଅନ୍ୟ ୩ ଜଣ ଖେଲାଳି ଗୋଟିଏ ଲେଖାଏ ଗୋଲ୍ ଦେଇଛନ୍ତି। ଅପରପକ୍ଷରେ ମଧ୍ୟପ୍ରଦେଶ ପକ୍ଷରୁ ମହମ୍ମଦ କୌନେନ ଦାଦ୍ ସର୍ବାଧିକ ୫ ଗୋଲ୍ ଦେଇଥିବାବେଳେ ଅଲୀ ଅହମ୍ମଦ ଓ ମହମ୍ମ ଜୈଦ ଖାନ ୪ଟି ଲେଖାଏ, ମୋହିତ କର୍ମା ୩ଟି, ଶ୍ରେୟାସ ଧୁପେ ଓ ଜମୀର ମହମ୍ମଦ ୨ଟି ଏବଂ ଅନ୍ୟ ୫ ଜଣ ଖେଳାଳି ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି। ଓଡ଼ିଶା କ୍ବାର୍ଟର ଫାଇନାଲରେ କର୍ଣ୍ଣାଟକ ୪-୨ରେ ପରାସ୍ତ କରିଥିବାରୁ ମନୋବଳ ଶୀର୍ଷରେ। ସେହିଭଳି ମଧ୍ୟପ୍ରଦେଶ ମଧ୍ୟ କ୍ବାର୍ଟର ଫାଇନାଲରେ ୯-୨ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତକରି ମନୋବଳକୁ ସୁଦୃଢ଼ କରିଛି।