ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ସେମିଫାଇନାଲରୁ ବିଦାୟ ନେଇଥିଲା ଓଡ଼ିଶା। ଆଶା କରାଯାଉଥିଲା ଦଳ ହରିୟାଣାକୁ ପରାସ୍ତକରି ଅନ୍ତଃତ ତୃତୀୟ ସ୍ଥାନରେ ରହିବ; କିନ୍ତୁ ଫଳ ଓଲଟା ରହିଛି। ଓଡ଼ିଶା ଖେଳାଳି ପେନାଲ୍‌ଟି କର୍ଣ୍ଣର୍‌ର ସଦୁପଯୋଗ କରିନପାରିବା ଯୋଗୁଁ ଆଶାନୁରୂପ ଫଳାଫଳ ମିଳିପାରିନାହିଁ। ଫଳରେ ଓଡ଼ିଶା ଖେଳାଳିଙ୍କୁ ସମର୍ଥନ ପାଇଁ ଷ୍ଟାଡିୟମରେ ଥିବା  ଦର୍ଶକଙ୍କୁ ନିରାଶହେବାକୁ ପଡ଼ିଛି। ବୁଧବାର ଓଡ଼ିଶା ଖେଳିଥିବା ସେମିଫାଇନାଲ ମ୍ୟାଚ୍‌ରେ ପ୍ରାୟ ୩ ହଜାର ଦର୍ଶକ ଉପସ୍ଥିତ ରହିଥିଲେ। ତେବେ ଓଡ଼ିଶା ପରାଜୟ ବରଣ କରିବାରୁ ଗୁରୁବାର ତୃତୀୟସ୍ଥାନ ପାଇଁ ଲଢ଼େଇ କରିଥିଲା। ଯଦିଓ ପୂର୍ବଦିନ ଭଳି ଆଜି ଦର୍ଶକ ନ ଥିଲେ; କିନ୍ତୁ ପାଖାପାଖି ୨ ହଜାର ଦର୍ଶକ ଉପସ୍ଥିତ ରହି ଓଡ଼ିଆ ଖେଳାଳିଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଆଜି ମଧ୍ୟ ଫଳାଫଳ ଓଡ଼ିଶା ସପକ୍ଷରେ ନ ଆସିବାରୁ ଦର୍ଶକଙ୍କ ମୁହଁରେ ନିରାଶା ସ୍ପଷ୍ଟ ବାରି ହୋଇପଡ଼ିଥିଲା।
Advertisment
ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଗତ ତିନି ବର୍ଷ ହେଲା ତୃତୀୟ ସ୍ଥାନ ପାଇଁ ଓଡ଼ିଶା-ହରିୟାଣା ଲଢ଼େଇ ଦେଖିବାକୁ ମିଳୁଛି। ଉଭୟ ଦଳ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖି ସେମିଫାଇନାଲକୁ ଉନ୍ନୀତ ହେଉଛନ୍ତି; କିନ୍ତୁ ସେମିଫାଇନାଲରେ ପରାଜୟ ଭୋଗି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଲଢ଼େଇ କରୁଛନ୍ତି। ଗତ ୨୦୨୧ ମସିହାରେ ତାମିଲନାଡ଼ୁର କୋଭିଲପଟ୍ଟିରେ ୧୧ତମ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ପାଇଁ ଲଢ଼େଇ କରିଥିଲେ ଉଭୟ ଦଳ। ଏଥିରେ ଓଡ଼ିଶା ୩-୨ ଗୋଲରେ ହରିୟାଣାକୁ ପରାସ୍ତ କରିଥିଲା। ସେହିଭଳି ୨୦୨୨ରେ ତାମିଲନାଡ଼ୁର କୋଭିଲପଟ୍ଟିରେ ଅନୁଷ୍ଠିତ ୧୨ତମ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ମଧ୍ୟ ତୃତୀୟ ସ୍ଥାନ ପାଇଁ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ। ଏଥିରେ କିନ୍ତୁ ହରିୟାଣା ୩-୦ ଗୋଲ୍‌ରେ ଓଡ଼ିଶାକୁ ପରାସ୍ତକରି ତୃତୀୟ ସ୍ଥାନରେ ରହିଥିବାବେଳେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିଲା। ସେହିଭଳି ଗୁରୁବାର ଖେଳାଯାଇଥିବା ୧୩ତମ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଲଗାତାର ତୃତୀୟଥର ପାଇଁ ମୁହାଁମୁହିଁ ହୋଇଥିଲେ ଦୁଇ ଦଳ। ଏଥର କିନ୍ତୁ ପୂର୍ବବର୍ଷର ସଫଳତା ଦୋହରାଇଛି ହରିୟାଣା। ଓଡ଼ିଶାକୁ ୩-୧ ଗୋଲରେ ପରାସ୍ତକରି ତୃତୀୟ ସ୍ଥାନରେ ରହିଥିବାବେଳେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।
ଚଳିତ ଜାତୀୟ ପ୍ରତିଯୋଗିତାରେ ପୁଲ୍‌ ଡି’ରେ ଥିବା ଓଡ଼ିଶା ଆକର୍ଷଣୀୟ ପ୍ରଦର୍ଶନ କରିଥିଲା। ପୁଲ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଓ କ୍ବାର୍ଟର ଫାଇନାଲକୁ ଜିତି ସେମିଫାଇନାଲରେ ପହଞ୍ଚିଥିଲା। କିନ୍ତୁ ସେମିଫାଇନାଲରେ ମଧ୍ୟପ୍ରଦେଶ ବିପକ୍ଷରେ ଝୁଣ୍ଟିପଡ଼ିଥିଲା। ଓଡ଼ିଶା ପୁଲ୍‌ ପର୍ଯ୍ୟାୟରେ ଗୁଜୁରାଟକୁ ୧୮-୦ ଗୋଲ୍‌ରେ ପରାସ୍ତ କରିଥିବାବେଳେ ଜାମ୍ମୁ ଓ କାଶ୍ମୀରକୁ ୧୦-୦ ଗୋଲ, ମଣିପୁରକୁ ୩-୨ ଗୋଲ ଏବଂ କ୍ବାର୍ଟର ଫାଇନାଲ୍‌ରେ କର୍ଣ୍ଣାଟକୁ ୪-୨ ଗୋଲରେ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ଓଡ଼ିଶାର ଆକାଶ ସୋରେଙ୍ଗ ୯ ଗୋଲ୍‌ ଦେଇ ସର୍ବାଧିକ ଗୋଲ୍‌ ସ୍କୋରର୍‌ ହୋଇଛି। ଏତଦ୍‌ବ୍ୟତୀତ ରୋଶନ କୁଜୁର, ଅରବୀନ ଟପ୍ପୋ ଓ ଦୀପକ ମିଞ୍ଜ ୫ଟି ଲେଖାଏ ଗୋଲ୍‌ ଦେଇଥିବାବେଳେ ଅନମୋଲ ଏକ୍କା ଓ ରିତିକ କୁଜୁର ୨ଟି ଲେଖାଏ ଗୋଲ୍‌, ସଞ୍ଜିତ ତିର୍କୀ, ପ୍ରତାପ ଟପ୍ପୋ, ପୌଲୁସ ଲାକ୍ରା ଓ ସିଲ‌ହୈବା ଲିଶାମ ୨ଟି ଲେଖାଏ ଗୋଲ୍‌ ଏବଂ ଅଡ୍ରୋହିତ ଲାକ୍ରା ଓ ଅସିତ ଲାକ୍ରା ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ।