ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ମଧ୍ୟପ୍ରଦେଶ ବିଜୟୀ ହୋଇଛି। ମଧ୍ୟପ୍ରଦେଶ କେବଳ ବିଜେତା ହୋଇନି ବରଂ ଏକାଧିକ ରେକର୍ଡର ଅଧିକାରୀ ବି ହୋଇଛି। ସର୍ବାଧିକ ‌ଦଳଗତ ଗୋଲ୍‌ ସ୍କୋର୍‌ ତାଲିକାରେ ମଧ୍ୟପ୍ରଦେଶ ଶୀର୍ଷରେ ରହିଛି। ସେହିଭଳି ବ୍ୟକ୍ତିଗତ ସର୍ବାଧିକ ଗୋଲ୍‌ ସ୍କୋରର୍‌ ତାଲିକାରେ ମଧ୍ୟପ୍ରଦେଶର ଭୂମିକ୍ଷା ସାହୁ ଅଛନ୍ତି। ଜୁନ ୨୭ରୁ ଜୁଲାଇ ୭ ତାରିଖ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ମୋଟ୍‌ ୪୪ଟି ମ୍ୟାଚ୍‌ ଖେଳା ଯାଇଥିଲା। ମୋଟ ୪୨୦ଟି ଗୋଲ୍‌ ସ୍କୋର୍‌ ହୋଇଥିଲା। ଏଥି ମଧ୍ୟରୁ ୩୦୦ଟି ଫିଲ୍‌ଡ ଗୋଲ୍‌ ଥିବାବେଳେ ୧୧୩ଟି ପେନାଲ୍‌ଟି କର୍ଣ୍ଣର ଓ ୭ଟି ପେନାଲ୍‌ଟି ସୁଟ୍‌ଆଉଟ୍‌ରୁ ଆସିଥିଲା।

Advertisment

ପ୍ରତିଯୋଗିତାରେ ସର୍ବାଧିକ ଦଳଗତ ଗୋଲ୍‌ ସ୍କୋର୍‌ ତାଲିକାରେ ମଧ୍ୟପ୍ରଦେଶ ସବା ଉପରେ ରହିଛି। ମଧ୍ୟପ୍ରଦେଶ ସର୍ବାଧିକ ୬୫ଟି ଗୋଲ୍‌ ଦେଇଥିଲା। ସେହିଭଳି ୫୧ଟି ଗୋଲ୍‌ ଦେଇ ଛତିଶଗଡ଼ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ହରିୟାଣା(୫୦), ମିଜୋରାମ(୩୬), ଉତ୍ତରପ୍ରଦେଶ(୩୩), ପଞ୍ଜାବ(୨୫), ଓଡ଼ିଶା(୨୧), ପଶ୍ଚିମବଙ୍ଗ(୨୦), ଚଣ୍ଡିଗଡ଼ ଓ କର୍ଣ୍ଣାଟକ(୧୮ ଗୋଲ୍‌) ଏବଂ ଝାଡ଼ଖଣ୍ଡ(୧୬) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଛନ୍ତି। ସର୍ବାଧିକ ବ୍ୟକ୍ତିଗତ ଗୋଲ୍‌ ସ୍କୋର୍‌ର ତାଲିକାରେ ମଧ୍ୟପ୍ରଦେଶର ଭୂମିକ୍ଷା ପ୍ରଥମ ସ୍ଥାନରେ ରହିଛନ୍ତି। ଭୂମିକ୍ଷା ମୋଟ୍‌ ୬ଟି ମ୍ୟାଚ୍‌ରେ ୧୮ଟି ଗୋଲ୍‌ ଦେଇଥିଲେ। ସେ ପୁଲ୍‌ ପର୍ଯ୍ୟାୟରେ ଖେଳିଥିବା ୩ଟି ମ୍ୟାଚ୍‌ରେ ୧୫ଟି ଗୋଲ୍‌ ଦେଇଥିବାବେଳେ କ୍ବାର୍ଟର ଫାଇନାଲରେ ୨ଟି ଓ ସେମିଫାଇନାଲରେ ଗୋଟିଏ ଗୋଲ୍‌ ଦେଇଥିଲେ। ‌ସେହିଭଳି ୧୨ଟି ଲେଖାଏ ଗୋଲ୍‌ ଦେଇ ଗୀତା ୟାଦବ(ଛତିଶଗଡ଼) ଓ ସୋନମ(ମଧ୍ୟପ୍ରଦେଶ) ଦ୍ବିତୀୟ, ୧୧ଟି ଲେଖାଏ ଗୋଲ୍‌ ଦେଇ ଆଞ୍ଚଲ୍‌ ସାହୁ (ଛତିଶଗଡ଼) ଓ ସଞ୍ଜନା ହୋରୋ (ପଶ୍ଚିମବଙ୍ଗ) ତୃତୀୟ, ୯ଟି ଲେଖାଏ ଗୋଲ୍‌ ଦେଇ ଗୁରମେଲ୍‌ କୌର୍‌ (ମଧ୍ୟପ୍ରଦେଶ) ଓ ସାକ୍ଷୀ ରାଣା (ହରିୟାଣା) ଚତୁର୍ଥ ଏବଂ ୮ଟି ଗୋଲ୍‌ ଦେଇ ଅନୀଷା ସାହୁ (ଛତିଶଗଡ଼) ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି।

ସେହିଭଳି ପ୍ରତିଯୋଗିତାର ସର୍ବବୃହତ୍‌ ବିଜୟ ମଧ୍ୟ ମଧ୍ୟପ୍ରଦେଶ ନାଁରେ। ପୁଲ୍‌ ପର୍ଯ୍ୟାୟରେ ମଧ୍ୟପ୍ରଦେଶ ୨୫-୦ ଗୋଲ୍‌ରେ ପୁଦୁଚେରିକୁ ପରାସ୍ତକରି ଏହି ରେକର୍ଡ ହାସଲ କରିଥିଲା। ସେହିଭଳି ହରିୟାଣା ୨୪-୦ ଗୋଲରେ ତେଲେଙ୍ଗାନାକୁ ହରାଇ ଦ୍ବିତୀୟ ଓ ଛତିଶଗଡ଼ ୨୨-୧ ଗୋଲ୍‌ରେ ଦାଦ୍ରା ନଗରହବେଳି ଓ ଡାମନ ଡିଉକୁ ହରାଇ ତୃତୀୟ ବୃହତ ବିଜୟ ହାସଲ କରିଥିଲେ। ଏହା ତଳକୁ ବଡ଼ ବିଜୟରେ ମଧ୍ୟପ୍ରଦେଶ ଜମ୍ମୁ ଓ କଶ୍ମୀର ବିପକ୍ଷରେ ୨୧-୦ ଚତୁର୍ଥ ଓ ଛତିଶଗଡ଼ର ବିହାର ବିପକ୍ଷରେ ୧୯-୦ ଗୋଲ୍‌ ତାଲିକାର ପଞ୍ଚମ ସ୍ଥାନରେ ରହିଥିଲା। ଗୋଲ୍‌ ସ୍କୋର୍‌ କରିବା ତୁଳନାରେ ଗୋଲ୍‌ ବରଣ ତାଲିକାରେ ଦାଦ୍ରା ନଗରହବେଳି ଓ ଡାମନ ଡିଉ ସବା ଆଗରେ ରହିଛି। ଦାଦ୍ରା ନଗରହବେଳି ଓ ଡାମନ ଡିଉ ମୋଟ୍‌ ୪୫ଟି ଗୋଲ୍‌ ବରଣ କରିଥିବାବେଳେ ଗୋଟିଏ ବି ଗୋଲ୍‌ ଦେବାରେ ସକ୍ଷମ ହୋଇନଥିଲା। ସେହିପରି ଗୁଜୁରାଟ ୪୩ଟି ଗୋଲ୍‌ ବରଣ କରିଥିବାବେଳେ ଗୋଟିଏ ବି ଗୋଲ୍‌ ପରିଶୋଧ କରିପାରି ନଥିଲା। ତେଲେଙ୍ଗାନା ୪୦ଟି ଗୋଲ୍‌ ବରଣ କରିଥିବାବେଳେ ଗୋଟିଏ ବି ଗୋଲ୍‌ ଦେଇ ନଥିଲା। ଜମ୍ମୁ ଓ କଶ୍ମୀର ୪୦ଟି ଗୋଲ୍‌ ବରଣ କରିଥିବାବେଳେ ୨ଟି ଗୋଲ୍‌ ଦେଇଥିଲା।