ଜାତୀୟ କନିଷ୍ଠ ବାଳିକା ହକି: ଫାଇନାଲରେ ମଧ୍ୟପ୍ରଦେଶ-ଝାଡ଼ଖଣ୍ଡ ମୁକାବିଲା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ଦୁଇ ସେମିଫାଇନାଲ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଛି। ଏହାକୁ ଜିତିନେଇ ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ଫାଇନାଲ ପ୍ରବେଶ କରିଛି। ଶୁକ୍ରବାର ସନ୍ଧ୍ୟା ସାଢ଼େ ୮ଟାରେ ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।
ହରିୟାଣା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ସାରା ଉଭୟ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଘନଘନ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ତେବେ ଉଭୟ ଦଳର ଉତ୍କୃଷ୍ଟ ରକ୍ଷଣଭାଗ ଯୋଗୁଁ ପ୍ରଥମ ତିନି କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା। ତେବେ ମ୍ୟାଚ୍‌ ଶେଷ ହେବାର ଦୁଇ ମିନିଟ୍‌ ପୂର୍ବରୁ ମଧ୍ୟପ୍ରଦେଶ ଖେଳାଳି କରିସ୍ମା ଦେଖାଇଥିଲେ। ୫୮ତମ ମିନିଟ୍‌ରେ ମଧ୍ୟପ୍ରଦେଶ ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିନଥିଲା ଦଳ। ଜ୍ୟୋତି ସିଂହ ଏହାକୁ ସୁନ୍ଦର ଗୋଲରେ ପରିଣତକରି ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ଶେଷ ମିନିଟ୍‌ରେ ଦଳର ତାରକା ଖେଳାଳି ଭୂମୀକ୍ଷା ସାହୁ ଏକ ଫିଲ୍‌ଡ ଗୋଲ୍‌ ଦେଇ ସ୍କୋରକୁ ୨-୦କୁ ବୃଦ୍ଧି କରିଥିଲେ। ଶେଷ ମୂହୁର୍ତ୍ତରେ ହରିୟାଣା ପ୍ରୟାସ କରିଥିଲା; କିନ୍ତୁ ଗୋଟିଏ ବି ଗୋଲ୍‌ ପରିଶୋଧ କରିନପାରି ଦୁଃଖଦ ବିଦାୟ ନେଇଛି।
ସେହିଭଳି ଝାଡ଼ଖଣ୍ଡ ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୯ମ ମିନିଟ୍‌ରେ ଝାଡ଼ଖଣ୍ଡ ପାଇଥିବା ଏକ ପେନାଲ୍‌ଟି କର୍ଣ୍ଣର୍‌କୁ ବାଲୋ ବାନୋ ଗୋଲ୍‌ରେ ପରିଣତକରି ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ଏହାପରେ ଗୋଲ୍‌ ପରିଶୋଧ ପାଇଁ ଛତିଶଗଡ଼ ପ୍ରୟାସ କରିଥିଲେ ମଧ୍ୟ ସବୁ ପ୍ରୟାସ ବିଫଳ ଯାଇଥିଲା। ମ୍ୟାଚ୍‌ର ତିନି କ୍ବାର୍ଟର ଶେଷ ହେବା ପର୍ଯ୍ୟନ୍ତ ସ୍କୋର୍‌ ୧-୦ରେ ସ୍ଥିର ରହିଥିଲା। ତେବେ ମ୍ୟାଚ୍‌ର ୫୪ତମ ମିନିଟ୍‌ରେ ବାଲୋ ଆଉ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ର ପରିଣତକରି ବ୍ୟବଧାନ ୨-୦ ଗୋଲ୍‌‌କୁ ବୃଦ୍ଧି କରିଥିଲେ। ୫୫ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ର ସଦୁପଯୋଗ କରି ନିରୂ କୁଲ୍ଲୁ ଗୋଲ୍‌ ଦେଇ ସ୍କୋର୍‌କୁ ୩-୦କୁ ପହଞ୍ଚାଇଥିଲେ; ଯାହାକି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।
ସମ୍ବନ୍ଧିତ ଖବର