ମୂଲ ଲାଗୁଛନ୍ତି, ହଳ କରୁଛନ୍ତି ଜାତୀୟ କବାଡ଼ି ଖେଳାଳି

୫ ଥର ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ସୁଜିତ ସଏ

କୁତ୍ରା : ଦାରିଦ୍ର୍ୟ ଯାତନା ସହିନପାରି ମୂଲ ଲାଗୁଛନ୍ତି, ବିଲରେ ହଳ କରୁଛନ୍ତି ଜାତୀୟ କବାଡ଼ି ଖେଳାଳି ସୁଜିତ ସଏ(୨୦)। ନିଜର ପ୍ରତିଭା ପାଇଁ ଯିଏ ଦିନେ ପ୍ରଶଂସା ସାଉଁଟୁଥିଲେ, ସେ ଏବେ ପରିବାର ଭରଣପୋଷଣ ପାଇଁ ସଂଘର୍ଷ କରୁଛନ୍ତି। ସରକାରୀ ସହାୟତା ନମିଳିଲେ, ପୁଣି ଜଣେ ଉଦୀୟମାନ ଖେଳାଳି ମଉଳିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୁଜିତଙ୍କ ପରିବାର କହିଲେ, ବାପା ସୁଶୀଳ ସଏ(୭୫), ମା ପ୍ୟାରୀ ସଏ ଓ ଛୋଟ ଭଉଣୀ ସୁମନ୍ତୀ ସଏ। କୁତ୍ରା ବ୍ଲକ ଅନ୍ତର୍ଗତ ଡାହିଜିରା ବନ୍ଧପଡ଼ାର ସଏ ପରିବାର ଆରମ୍ଭରୁ ଦାରିଦ୍ର୍ୟ ଭିତରେ ଦିନ କାଟିଛି। ବାପା-ମା ଜୀବନ ବ୍ୟାପୀ ଦିନ ମଜୁରିଆଭାବେ କାମ କରିଛନ୍ତି। ତେବେ ଦି ପଇସା ଅଧିକ ରୋଜଗାର ଆଶାରେ ସୁଜିତଙ୍କ ମା ପ୍ରାୟ ଦଶ ବର୍ଷ ହେଲା ଦିଲ୍ଲୀରେ ବାସନ ସଫା କରୁଛନ୍ତି। ପିଲାଟି ବେଳରୁ କିନ୍ତୁ ସୁଜିତଙ୍କ କବାଡ଼ି ପ୍ରତି ଅହେତୁକ ଦୁର୍ବଳତା ଥିଲା। କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ରହି ଅଧ୍ୟୟନ କରୁଥିବା ବେଳେ ତାଙ୍କ କବାଡ଼ି ପ୍ରତିଭାକୁ ଚିହ୍ନଟ କରିଥିଲେ ଶିକ୍ଷକ ବିଭୀଷଣ ବାରିକ। ଶ୍ରୀ ବାରିକଙ୍କଠାରୁ ପ୍ରାରମ୍ଭିକ ପ୍ରଶିକ୍ଷଣ ପାଇଥିଲେ। ପ୍ରଥମଥର ପାଇଁ ସେ କୁତ୍ରା ବ୍ଲକକୁ ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଚାମ୍ପିଅନ କରିବାରେ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟ ଦଳରେ ସାମିଲ ହୋଇଥିଲେ। ଏହା ପରଠାରୁ ଆଉ ସେ ପଛକୁ ଫେରି ଚାହିଁନାହାନ୍ତି। କବାଡ଼ି କୋଚ୍‌ ଶୁକ୍ରୁ ତନ୍ତୀଙ୍କଠାରୁ ବିଧିବଦ୍ଧ ତାଲିମ ନେଇଥିଲେ। ସୁଜିତ ପ୍ରଥମଥର ପାଇଁ ୨୦୧୫ ମସିହାରେ ସ୍କୁଲସ୍ତରୀୟ ଜାତୀୟ ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ। ଏହାପରେ, ୨୦୧୬ରେ ପୁନର୍ବାର ସ୍କୁଲସ୍ତରୀୟ ଜାତୀୟ ପ୍ରତିଯୋଗିତା ଖେଳିଥିଲେ। ସେହିଭଳି ୨୦୧୯ ମସିହାରେ କଲିକତା ଓ ୨୦୨୦ରେ ରୋହତକରେ ଲଗାତାର ଭାବେ କନିଷ୍ଠ ବର୍ଗରେ ଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ପରବର୍ଷ, ଅର୍ଥାତ୍‌ ୨୦୨୧ରେ ବରିଷ୍ଠ ଦଳରେ ସାମିଲ ହୋଇଥିଲେ। ଉକ୍ତ ବର୍ଷ ସେ ବରିଷ୍ଠ ଦଳ ସହ ଅଯୋଧ୍ୟାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ।

ପାଞ୍ଚଟି ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଥିବା ସୁଜିତଙ୍କ କ୍ରୀଡ଼ା ଜୀବନ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଘର ଚଳାଇବାକୁ ଅର୍ଥ ନାହିଁ। ଫଳରେ କ୍ରୀଡ଼ାଭ୍ୟାସ ଛାଡ଼ି ପର ଜମିରେ ମୂଲ ଲାଗୁଛନ୍ତି। ଦିନ ମଜୁରିଆଭାବେ ଯାହା ରୋଜଗାର ‌କରୁଛନ୍ତି, ସେଥିରେ ପରିବାର ପୋଷୁଛନ୍ତି। ସୁଜିତଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କାଯିବାର ଆବଶ୍ୟକତା ରହିଛି। ଅନ୍ୟଥା ଦାରିଦ୍ର୍ୟର କୁଠାରାଘାତରେ ପୁଣି ଜଣେ ଉଦୀୟମାନ ଖେଳାଳି ମଉଳି ଯିବା ନିଃସନ୍ଦେହ।

ସମ୍ବନ୍ଧିତ ଖବର