ଆଇନ ଛାତ୍ରଛାତ୍ରୀ ନ୍ୟାୟଦୂତ: ପ୍ରଧାନ ବିଚାରପତି

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ

କଟକ : ‘ଆଇନ ଶିକ୍ଷାନବୀଶମାନେ ହେଉଛନ୍ତି ନ୍ୟାୟିକ ବିଚାର ବ୍ୟବସ୍ଥା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଂଯୋଗର ବଳ। ସେମାନେ ହେଉଛନ୍ତି ନ୍ୟାୟିକ ବିଶ୍ୱର ନ୍ୟାୟଦୂତ ଏବଂ ପଥ ପ୍ରଦର୍ଶକ। ଏଣୁ ମନରେ ଉଚ୍ଚ ଆଶା ଓ ବିଶ୍ୱାସ ରଖି ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ଜାରି ରଖନ୍ତୁ। ଗଭୀର ଆତ୍ମବିଶ୍ୱାସ ହିଁ ସଫଳତା ଦେବାରେ ସହାୟକ ହେବ।’-କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଆଇନ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର।

ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବକୁ ଉଦଘାଟନ କରି ଜଷ୍ଟିସ ମିଶ୍ର କହିିଲେ, ଆଇନ ଛାତ୍ରଛାତ୍ରୀମାନେ ହେଉଛନ୍ତି ଭବିଷ୍ୟତର ରକ୍ଷାକର୍ତ୍ତା। ସେମାନେ ଉଚ୍ଚ ଆଶା, ଅଧ୍ୟୟନ ଜାରି ରଖିବା ସହ ନିଜ ଦକ୍ଷତା ଉପରେ ବିଶ୍ୱାସ ରଖିବା ଉଚିତ। ବିଶ୍ୱାସ ହିଁ ଯେକୌଣସି ମଣିଷକୁ ସଫଳତା ଆଣି ଦିଏ ବୋଲି ଜଷ୍ଟିସ୍‌ ମିଶ୍ର କହିଥିଲେ। ସେ କହିଲେ ଯେ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଛାତ୍ରଛାତୀଙ୍କୁ ଭଲଭାବେ ଗଢି ତୋଳିବାରେ ସମର୍ଥ ହୋଇଛି। ୨୦୦୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ଉତ୍ତମ ଶିକ୍ଷା ପାଇଁ ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜନ କରିିଛି। ଦେଶରେ ଏବେ ୨୫ଟି ଆଇନ ସ୍କୁଲ ତଥା ବିଶ୍ୱବିଦ୍ୟାଳୟ ରହିଛି। ସରକାର ଏସବୁ ଶିକ୍ଷାନୁଷ୍ଠାନକୁ ଆର୍ଥିକ ତଥା ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଦେବାକୁ ଜଷ୍ଟିସ ମିଶ୍ର ପରାମର୍ଶ ଦେଇଥିଲେ ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଷ୍ଟ୍ରେଲିଆ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମାଇକେଲ କିରବି ଯୋଗ ଦେଇ କହିଥିଲେ, ପରିବର୍ତ୍ତିତ ବିଶ୍ୱ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଆର୍ନ୍ତଜାତୀୟ ଆଇନ ଦ୍ୱାରା ଏସବୁ ସମସ୍ୟାର ସମାଧାନ ହୋଇପାରିବ। ଏ କ୍ଷେତ୍ରରେ ଭାରତର ବହୁ ପ୍ରତିଷ୍ଠିତ ବିଚାରପତି ତଥା ଆଇନଜୀବୀଙ୍କୁ ଅନୁସରଣ କରି ଆମେ ସଫଳତା ପାଇଛୁ। ତେଣୁ ଆଇନ ଛାତ୍ରଛାତ୍ରୀମାନେ ବିଶ୍ୱର ଏ ପରିବର୍ତ୍ତିତ ସ୍ଥିତି ଉପରେ ଲକ୍ଷ୍ୟ ରଖି ନିଜକୁ ଗଢ଼ି ତୋଳିବା ଆବଶ୍ୟକ ବୋଲି ଜଷ୍ଟିସ୍‌ କିରବି କହିଥିଲେ। କଟକ ଅନୁଭୂତି ସମ୍ପର୍କରେ ମତ ରଖି ଜଷ୍ଟିସ କିରବି କହିଥିଲେ, ଏହା ତାଙ୍କର ପ୍ରଥମ କଟକ ଗସ୍ତ ନୁହେଁ। ୧୯୭୦ ମସିହାରେ ୩୦ ବର୍ଷ ବୟସରେ ଅଷ୍ଟ୍ରେଲିଆରୁ କୋମ୍ବି ଯାତ୍ରା ସମୟରେ କଟକରେ ରାତ୍ରିଯାପନ କରିଥିଲି ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାଠ୍ୟକ୍ରମ ଶେଷ ପରେ ଆଇନ ଛାତ୍ରଛାତ୍ରୀମାନେ ଗରିବଙ୍କ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀକୃଷ୍ଣ ଦେବରାୟ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅଷ୍ଟ୍ରେଲିଆ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମାଇକେଲ କିରବିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ‘ ଡକ୍ଟରେଟ୍‌ ଉପାଧି’ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୩-୧୮ଶିକ୍ଷାବର୍ଷରେ କୃତକାର୍ଯ୍ୟ ହୋଇଥିବା ୧୬୭ଜଣ ଏଲ୍‌ଏଲ୍‌ବି ଡିଗ୍ରିଧାରୀଙ୍କୁ ବିଚାରପତି ଜଷ୍ଟିସ୍‌ ମିଶ୍ର ସମ୍ମାନସୂଚକ ଡିଗ୍ରି ଉପାଧି ପ୍ରଦାନ କରିଥିଲେ। ଏହାସହିତ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ମେଘମାଳା ମୁଖାର୍ଜୀଙ୍କୁ ଛଅଟି ସ୍ୱର୍ଣ୍ଣ ପଦକ ଏବଂ ଅନ୍ୟ ଛଅ ମେଧା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ବହୁ ବିଚାରପତି, ବରିଷ୍ଠ ଆଇନଜୀବୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର