ନର୍ଦ୍ଦମା ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ମାନ୍ୟତା

ଡିପ୍ ରୋ ଏନ୍‌ଟ୍ରେଚମେଣ୍ଟ କୌଶଳ ପାଇଁ ସଫଳତା ମିଳିଲା

ଭୁବ‌େନଶ୍ବର : ନର୍ଦ୍ଦମା ପରିଚାଳନା ଓ ଉପଚାର କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ମାନ୍ୟତା ସହ ଆନ୍ତର୍ଜାତିକ ପ୍ରଶଂସା ମିଳିଛି। ସହରାଞ୍ଚଳରେ ନର୍ଦ୍ଦମା ପରିଚାଳନା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପାଇଁ ଭାରତ ପରିମଳ ସଂଘ ଏବଂ ଫିକିଙ୍କ ଦ୍ବାରା ଓଡ଼ିଶାକୁ ୨୦୧୮ ମସିହା ପାଇଁ ସର୍ବୋତ୍ତମ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ସେହିପରି ମସୌରୀସ୍ଥିତ ସେଣ୍ଟର୍‌ ଅଫ୍ ଏକ୍ସଲେନ୍ସ ଦ୍ବାରା ଓଡ଼ିଶାକୁ ସହରାଞ୍ଚଳ ତରଳ ବର୍ଜ୍ୟ ପରିଚାଳନାରେ ଉତ୍ତମ ପ୍ରଶାସନ (ଗୁଡ୍‌ ଗଭର୍ଣ୍ଣାନ୍‌ସ) ପାଇଁ ମଧ୍ୟ ସମ୍ମାନିତ କରାଯାଇଛି ବୋଲି ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସୂଚନା ଦେଇଛନ୍ତି।

ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଏହି ସୂଚନା ଦେଇଛନ୍ତି। ନଗର ଉନ୍ନୟନ ବିଭାଗ ସଚିବ କହିଛନ୍ତି ଯେ, ରାଜ୍ୟରେ ସହର ନର୍ଦ୍ଦମା ପରିଚାଳନା ନିୟମର କାର୍ଯ୍ୟାନ୍ବୟନ ପନ୍ଥା ୨୦୧୮ ମସିହାରେ ଜାତୀୟ ମାନବିନ୍ଦୁ ନିର୍ଦ୍ଧାରକ ହୋଇଛି। ଏହାର ଅନୁକରଣ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ବିଭିନ୍ନ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଏବଂ ନିର୍ମାଣାଧୀନ ନର୍ଦ୍ଦମା ପରିଚାଳନା କେନ୍ଦ୍ର (ଏସ୍‌ଟିପି) ଅନୁଧ୍ୟାନ କରି ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶର ବିଶେଷଜ୍ଞମାନେ ଓଡ଼ିଶା ଗ୍ରହଣ କରିଥିବା ସ୍ବଳ୍ପ ଖର୍ଚ୍ଚ ଭିତ୍ତିକ ଅଭିନବ ଜଳଶୋଷଣ କୌଶଳର ଉଚ୍ଚ ପ୍ରଶଂସା କରିଛନ୍ତି।

ଓଡ଼ିଶାରେ ଏବେ ମାତ୍ର ୭ଟି ଏସ୍‌ଟିପି କାର୍ଯ୍ୟକ୍ଷମ ଥିବାବେଳେ ନର୍ଦ୍ଦମା ପରିଚାଳନା କ୍ଷେତ୍ରରେ ଏହି ସଫଳତା ମିଳିବା ନେଇ ମାଥିଭାଥନନ୍ କହିଥିଲେ ଯେ, ଏକ ଏସ୍‌ଟିପିର ନିର୍ମାଣ ପାଇଁ ୪ରୁ ୫ବର୍ଷ ସମୟ ଲାଗୁଥିବାରୁ ଏବଂ ଜଳ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ନର୍ଦ୍ଦମା ପରିଚାଳନା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ ଓଡ଼ିଶାରେ ‘ଡିପ୍ ରୋ ଏନ୍‌ଟ୍ରେଚ୍‌ମେଣ୍ଟ’ କୌଶଳ ଆପଣାଯାଇଛି। ଏଥିରେ ଲମ୍ବା ଓ ଗଭୀର ନାଳ ପରି ଗାତ ଖୋଳି ସଂଗୃହୀତ ନର୍ଦ୍ଦମାର ଉପଚାର କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୮୪ଟି ଏପରି ବ୍ୟବସ୍ଥା ମାଧ୍ୟମରେ ୮୩% ସହରବାସୀଙ୍କୁ ନର୍ଦ୍ଦମା ପରିଚାଳନା ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ସ୍ଥାୟୀ ଏସ୍‌ଟିପି ନିର୍ମାଣ ସରିଲେ ଏହି ପରିବାରଗୁଡ଼ିକୁ ନୂତନ ବ୍ୟବସ୍ଥା ଯୋଗାଇଦିଆଯିବ। ଓଡ଼ିଶାର ଏହି ‘ଡିପ୍ ରୋ ଏନ୍‌ଟ୍ରେଚ୍‌ମେଣ୍ଟ’ କୌଶଳକୁ ସମସ୍ତେ ପ୍ରଶଂସା କରିଛନ୍ତି।

ସେହିପରି ଏହି ‌େବୖଠକରୁ ଜଣାପଡ଼ିଛି ‌େଯ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସହରାଞ୍ଚଳକୁ ୨୦୦ଟି ସେସ୍‌ପୁଲ୍‌ ଗାଡ଼ି ଯୋଗାଇ ଦିଆଯାଇଛି। ଘରୋଇ ପାଇଖାନା ଟାଙ୍କି ଓ ପିଟ୍‌ରୁ ନର୍ଦ୍ଦମା ନିଷ୍କାସନା ନିମନ୍ତେ ଦେୟକୁ ମଧ୍ୟ ସୁଲଭ କରାଯାଇଛି। ପୂର୍ବରୁ ବିଭିନ୍ନ ବେସରକାରୀ ସଂସ୍ଥାଗୁଡ଼ିକ ଏଥିପା‌ଇଁ ୨ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ। କିନ୍ତୁ ବର୍ତ୍ତମାନ ସହରାଞ୍ଚଳ ପ୍ରଶାସନ ମାଧ୍ୟମରେ ଦେୟ ପରିବାର ପିଛା ୧ହଜାର ଟଙ୍କା ସୀମିତ ରଖାଯାଇଛି ବୋଲି କୁହାଯାଇଛି।

ଏହି ‌େ‌ବୖଠକରେ ପୌରାଞ୍ଚଳ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଥିଲେ ଯେ, ଗତ ୪ବର୍ଷରେ ରାଜ୍ୟ ସହରାଞ୍ଚଳ ନର୍ଦ୍ଦମା ପରିଚାଳନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଟି ଏସ୍‌ଟିପି କାର୍ଯ୍ୟକ୍ଷମ କରାଯାଇଛି। ଆଉ ୬୦ଟିର ନିର୍ମାଣ ଚାଲିଛି।

ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖସଚିବ ମୋନା ଶର୍ମା, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖସଚିବ ଦେଓ ରଂଜନ କୁମାର ସିଂହ, ଅର୍ଥ ବିଭାଗ ପ୍ରମୁଖସଚିବ ଅଶୋକ କୁମାର ମୀନା, ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପରିମଳ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର