ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ବିଏସଏଫ ଏବଂ ନେହରୁ ଯୁବ କେନ୍ଦ୍ର ତରଫରୁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଂଚଳରୁ ୫୦ ଆଦିବାସୀ ଯୁବକ ଯୁବତୀ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରେ ଆୟୋଜିତ ୧୩ତମ ଜାତୀୟସ୍ତରୀୟ ଯୁବ ଆଦିବାସୀ ଆମୋଦ ପ୍ରୋମଦ କାର୍ଯ୍ୟକ୍ରମରେ ଯୋଗ ଦେବେ।

Advertisment

ଏମାନଙ୍କ ମଧ୍ୟରେ ୨୦ ଯୁବତୀ ରହିଛନ୍ତି। ରବିବାର ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ଜିଲ୍ଲାର ସ୍ୱାଭିମାନ ଅଂଚଳର ଦୁର୍ଗମ ଅଂଚଳରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ତରଫରୁ ବଛା ବଛା ଆଦିବାସୀ ଯୁବକଯୁବତୀମାନଙ୍କୁ ଚିହ୍ନଟ କରାଯାଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ପରେ ଏକ ବିଏସଏଫ ଟିମ ସହ ଏହି ଆଦିବାସୀ ଯୁବକଯୁବତୀ ହାଇଦ୍ରାବାଦ ଗସ୍ତ କରିଥିଲେ। ଚଳିତ ମାସ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ଏହି ଆଦିବାସୀ ଯୁବକଯୁବତୀ ରାଜ୍ୟର ରାଜ୍ୟପାଳ ସମେତ ସମସ୍ତ ମନ୍ତ୍ରୀ, ଖେଳାଳି, ସିନେ ତାରକା ସମେତ ବିଭିନ୍ନ ସାଂସ୍କୃତିକ ସ୍ଥାନ ମଧ୍ୟ ବୁଲି ଦେଖିବେ। ଏମାନଙ୍କୁ ବିଭିନ୍ନ ଆତ୍ମନିର୍ଭରଶୀଳ ବ୍ୟବସାୟ ଉପରେ ମଧ୍ୟ ତାଲିମ ପ୍ରଦାନ କରାଯିବ।

ବାହାର ରାଜ୍ୟରୁ ଆସିଥିବା ଆଦିବାସୀ ଯୁବକଯୁବତୀମାନଙ୍କ ସହ ମିଶି ଭାବ ଆଦାନ ପ୍ରଦାନ ମଧ୍ୟ କରିବେ। ରାଜ୍ୟର ମୁଖ୍ୟ ମୁଖ୍ୟ ଲୋକଙ୍କ ସହ ମଧ୍ୟ ସାକ୍ଷାତ କରିବେ। ଏହି ସାତ ଦିନିଆ କାର୍ଯ୍ୟକ୍ରମରେ ଏମାନେ ବହୁ ବିଷୟରେ ଶିକ୍ଷା ଲାଭ କରିବେ ବୋଲି କୁହାଯାଇଛି। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ସଂଜୟ ସିଂ ଉପସ୍ଥିତ ରହି ସମସ୍ତ ଯୁବକଯୁବତୀଙ୍କୁ ଉତ୍ସାହିତ କରିବା ସହ ଗସ୍ତ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ ଏମାନଙ୍କୁ ନେଇ ଯାଉଥିବା ବସଟିକୁ ସବୁଜ ପତାକା ଦେଖାଇ ବିଦା କରିଥିଲେ।

ତେବେ ବିଏସଏଫ ଏବଂ ନେହରୁ ଯୁବ କେନ୍ଦ୍ରର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଓ ନକ୍ସଲ ପ୍ରବଣ ଜିଲ୍ଲାରେ ଆଦିବାସୀ ଯୁବକଯୁବତୀମାନେ ନକ୍ସଲଙ୍କ ପ୍ରଲୋଭନରେ ପଡି ବିପଥାଗାମୀ ହେଉଛନ୍ତି। ତେଣୁ ଏମାନଙ୍କୁ ଆଗକୁ ବଢିବା ପାଇଁ ଏହା ଗୋଟିଏ ପ୍ରୟାସ ବୋଲି କୁହାଯାଇଛି। ଏହି ଗସ୍ତ ସେମାନଙ୍କର ଜୀବନ ବଦଳାଇବାରେ ସହାୟକ ହେବ ବୋଲି ମଧ୍ୟ କୁହାଯାଇଛି।