ଭୁବନେଶ୍ବର : ଭାଷା ନ ବଞ୍ଚିଲେ, ଭାବ ବଞ୍ଚେନା। ଅନୁଭବ ସଂକଟ ସାହିତ୍ୟ ପାଇଁ ଶୁଭଙ୍କର ନୁହେଁ। ସମ୍ପ୍ରତି ଲେଖକମାନେ ଅନୁଭବ କାଙ୍ଗାଳ ହୋଇପଡ଼ିବା ପରିଲକ୍ଷିତ ହେଉଛି। ସ୍ବର୍ଗତ ଗୋପୀନାଥ ମହାନ୍ତି କୋରାପୁଟରୁ ହିଁ ସୁନ୍ଦର ସାହିତ୍ୟ ସୃଷ୍ଟି କରିଥିଲେ। କିନ୍ତୁ ଏବେ ଅଧ୍ୟାପକମାନେ କଟକ, ଭୁବନେଶ୍ବର ଛାଡ଼ିଯିବାକୁ ନାରାଜ। ତେଣୁ ଓଡ଼ିଆ ଭାଷାକୁ ଭଲ ପାଇବା ସହ ତାହାକୁ ବଞ୍ଚାଇବାକୁ ହେଲେ ସମାଜ ଭିତରକୁ ଯାଇ ଅନୁଭବ ସାଉଁଟିବାକୁ ପଡ଼ିବ। ବୁଧବାର ଦିନ ‘ସାହିତ୍ୟ ସଂସ୍କୃତି ସମାରୋହ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଜାତୀୟ ସାହିତ୍ୟ ମହୋତ୍ସବ-୨୦୨୨’ର ଉଦ୍ଘାଟନୀ ଅଧିବେଶନରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଷ୍ଠାନର ଅଧ୍ୟକ୍ଷା ଡାକ୍ତର ଅନିତା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ କହିିଲେ ଜଣେ ସାହିତ୍ୟିକଙ୍କ ପାଖରେ ରାଷ୍ଟ୍ରଗୁରୁ ହେବାର କ୍ଷମତା ଥାଏ। ସାହିତ୍ୟ ହିଁ ସାମାଜିକ ପରିବର୍ତ୍ତନ ଆଣିଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସାହିତ୍ୟ ଏବଂ ରାଜନୀତିର ଲକ୍ଷ୍ୟ ଏକ ଓ ତାହା ହେଉଛି ସମାଜର ହିତ ସାଧନ। ମାତ୍ର ସମ୍ପ୍ରତି ସାହିତ୍ୟିକ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶାଳ ପ୍ରାଚୀର ଠିଆ ହେବା ଭଳି ଅବସ୍ଥା। ଏହା ଗଣତନ୍ତ୍ର ପାଇଁ ମୋଟେ ଶୁଭଙ୍କର ନୁହେଁ। ସେହିଭଳି ଗଣମାଧ୍ୟମ ମଧ୍ୟ ଏବେ ଭିନ୍ନ ପ୍ରକାର ସଂକଟ ଦେଇ ଗତି କରୁଛି ବୋଲି ସେ କହିଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ସାହିତ୍ୟିକ ଓ ଗଣମାଧ୍ୟମ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଅକାଦେମିର ଉପଦେଷ୍ଟା ବିଜୟାନନ୍ଦ ସିଂହ ଯୋଗ ଦେଇ ଭାବର ଏହି ସଂକଟରୁ ମଣିଷ ଜାତିକୁ କେବଳ ସାହିତ୍ୟ ହିଁ ବଞ୍ଚାଇ ପାରିବ ବୋଲି କହିଥିଲେ। ଅନ୍ୟତମ ଅତିଥି କବି ରକ୍ଷକ ନାୟକ କହିଲେ ଅନ୍ୟ ଭାଷାର ସାହିତ୍ୟକୁ ଅଧିକରୁ ଅଧିକ ଅନୁବାଦ ହୋଇପାରିଲେ, ସାହିତ୍ୟ କ୍ଷେତ୍ର ସମୃଦ୍ଧ ହୋଇପାରିବ। ଅନୁଷ୍ଠାନର ଉପଦେଷ୍ଟା ସାହିତ୍ୟିକ ଫନି ମହାନ୍ତି କହିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ସେତେବେଳେ ପ୍ରତି ଜିଲ୍ଲାରେ ସାହିତ୍ୟ ମହୋତ୍ସବ କରୁଥିଲେ। ମାତ୍ର ତାହା ଆଜି ନାହିଁ।
ଅନୁଷ୍ଠାନର ସମ୍ପାଦକ ପ୍ରଣବ ଛୋଟରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କବୟିତ୍ରୀ ବିଜୟଲକ୍ଷ୍ମୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟ ବାହାରୁ ନିମନ୍ତ୍ରିତ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ମାଧୁରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଦ୍ବିତୀୟ ଅଧିବେଶନରେ ‘ଭାରତୀୟ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା’ କବିତା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଭଗବାନ ଜୟସିଂହ, ହୀନା ହେମନ୍ତ ମଧୁ, ବିତସ୍ତା ଘୋଷାଲ୍ ପ୍ରମୁଖ କବିତା ପାଠ କରିଥିଲେ। ତୃତୀୟ ଅଧିବେଶନରେ ‘ଗଳ୍ପ ଆଜି ଓ କାଲିର’ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। ଗାଳ୍ପିକ ରବି ପଣ୍ଡା, ମୈଥାଳି ଲେଖକ ପ୍ରଦୀପ ବିହାରୀ ଓ ଗାଳ୍ପିକା ପାରମିତା ଷଡ଼ଙ୍ଗୀ ପ୍ରମୁଖ ଆଲୋଚନା କରିଥିଲେ। ଚତୁର୍ଥ ଅଧିବେଶନରେ ଅନୁଷ୍ଠାନର କବିମାନଙ୍କ ଦ୍ବାରା ‘ମୋ ସୃଷ୍ଟି କୃତୀ କବିତାଞ୍ଜଳି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଚମ ଅଧିବେଶନର ବହୁଭାଷୀ କବିତା ସମ୍ମିଳନୀରେ କବିମାନେ କବିତା ପାଠ କରିଥିଲେ।
ଷଷ୍ଠ ଅଧିବେଶନ ତଥା ଉଦ୍ଯାପନୀ ଉତ୍ସବରେ ଲୋକସେବା ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଞ୍ଜନ ରଥ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଅଧ୍ୟାପକ ବିଶ୍ବରଂଜନ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକା ଓ ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡାଙ୍କ ଏବଂ ହୃଜ୍ୟତା ଶ୍ରୀ’ଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଇଂଜିନିୟର ଗୌରଚନ୍ଦ୍ର ମହାପାତ୍ରଙ୍କୁ ସାହିତ୍ୟ ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଅନୁଷ୍ଠାନର ୮୦ଜଣ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା।