କଟକ: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୩ ଲକ୍ଷ ୬ ହଜାର ୬୯୫ଟି ମାମଲାର ଫଇସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୨୬୫ କୋଟି ୨୬ ଲକ୍ଷ ୯୫ ହଜାର ୭୩୯ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ୍ ମାନସରଞ୍ଜନ ପାଠକଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।
ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍-ମକଦ୍ଦମାସ୍ତରୀୟ ସମାଧାନଯୋଗ୍ୟ ମାମଲାର ଫଇସଲା କରାଯାଇଛି। ଫଇସଲା ହୋଇଥିବା ବିଚାରାଧୀନ ମାମଲା ଗୁଡ଼ିକ ମଧ୍ୟରେ ୩୭୦ଟି ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୨୨୦୦ଟି ଚେକ୍ ବାଉନ୍ସ (ଏନ୍ଆଇ ଆକ୍ଟର ଧାରା ୧୩୮), ୬୮୨ଟି ଅର୍ଥ ଆଦାୟ (ମନି ରିକଭରି) ମାମଲା, ୧୩୦୯ଟି ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ୩୯ଟି ଶ୍ରମ ବିବାଦ, ୩୫ଟି ବିଦ୍ୟୁତ୍, ଜଳ ସଂପର୍କିତ ଜନସେବା ମାମଲା, ୬୬୦ଟି ପାରିବାରିକ ଓ ବୈବାହିକ ବିବାଦ, ୨ଟି ଭୂମି ଅଧିଗ୍ରହଣ ମାମଲା, ୨୭୬୦୯୩ଟି ରାଜସ୍ବ ଓ ଏ ସଂକ୍ରାନ୍ତୀୟ ଅନ୍ୟ ମାମଲା, ୩୨ଟି ଆଇପିଆର୍/ଉପଭୋକ୍ତା ବିବାଦ, ୨୨୨୮ଟି ଅନ୍ୟାନ୍ୟ ଦେୱାନୀ, ୧୫୩୭୯ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା, ୮ଟି ଆରଡିବି ଆଇନ ଅଧୀନ ଡେବ୍ଟ ରିକଭରି ଟ୍ରିବୁନାଲ(ଡିଆରଟି) ମାମଲା, ୨ଟି ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ମାମଲା, ୮ଟି ରାଜ୍ୟ ଶିକ୍ଷା ଟ୍ରିବୁନାଲ୍ ମାମଲା, ୨ଟି ଭୁବନେଶ୍ବର ଶ୍ରମ ଅଦାଲତ ମାମଲା, ୨ଟି ଶିଳ୍ପ ଟ୍ରିବୁନାଲ୍ ମାମଲା ଅନ୍ତର୍ଭୁକ୍ତ। ପ୍ରାକ୍ ମକଦ୍ଦମାସ୍ତରୀୟ ୭ ହଜାର ୬୪୪ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍ ସର୍ଭିସେସ୍ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକାସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସର ସହିତ ଡିଆର୍ଟି, ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ, ଶିଳ୍ପ ଟ୍ରିବୁନାଲ, ରାଜ୍ୟ ଶିକ୍ଷା ଟ୍ରିବୁନାଲ୍, ଶ୍ରମ ଅଦାଲତରେ ଆଜି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।