ହାଇକୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୬ କୋଟି ୧୦ ଲକ୍ଷ ୮୯ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଯଶୱନ୍ତ ସିଂହ ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍. ଦାଶଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୬୯ଟି ମାମଲାର ଆପୋସ ବୁଝାମଣାରେ ଫୈସଲା କରାଯାଇଛି।

ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ ବି.ପି. ରାଉତରାୟ, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ବି.ପି. ଶତପଥୀ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ମାମଲାଗୁଡ଼ିକର ଫୈସଲା କରିଥିଲେ। ଏଥି ମଧୢରେ ବୀମା କ୍ଷତିପୂରଣ ମାମଲା, ବ୍ୟାଙ୍କ ମାମଲା, ଭୂମି ଅଧିଗ୍ରହଣ ମାମଲା, ଏନ୍‌ଆଇ ଆକ୍ଟର ଧାରା ୧୩୮ ସଂପର୍କିତ ମାମଲା ଓ ଅନ୍ୟାନ୍ୟ ମାମଲା ରହିଛି। ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧୢରୁ ନାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ତିଆ ଆସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ କେତେକ ଘରୋଇ ବୀମା କମ୍ପାନି ଅ˚ଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୬ କୋଟି ୧୦ ଲକ୍ଷ ୮୯ ହଜାର ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।

୩୦ ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୨ କୋଟି ୬୮ ଲକ୍ଷ ୮୩ ହଜାର ୨୧୫ ଟଙ୍କା ଆଦାୟ
କଟକ : ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୨ ହଜାର ୮୫୭ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୧୧୨ କୋଟି ୬୮ ଲକ୍ଷ ୮୩ ହଜାର ୨୧୫ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର