ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ

୯୨ ମାମଲା ଫୈସଲା, ୨ କୋଟି ୮୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌, ପ୍ରଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୯୨ଟି ମାମଲାର ଆପୋସ ବୁଝାମଣାରେ ଫୈସଲା କରାଯାଇଛି। ଏଥିରେ ମୋଟ ୭୬୬ଟି ମାମଲାର ଶୁଣାଣି ହୋଇଥିଲା। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଡକ୍ଟର ଜଷ୍ଟିସ ଏ.କେ.ରଥ, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ୍‌ ବିଶ୍ୱନାଥ ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦ, ଜଷ୍ଟିସ୍‌ କେ.ଆର୍‌.ମହାପାତ୍ର ଓ ଡକ୍ଟର ଜଷ୍ଟିସ୍‌ ଡି.ପି.ଚୌଧୁରୀ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫୈସଲା କରିଥିଲେ। ଏଥି ମଧ୍ୟରେ ବ୍ୟାଙ୍କ ମାମଲା, ଭୂମି ଅଧିଗ୍ରହଣ ମାମଲା, କ୍ରିମିନାଲ କମ୍ପାଉଣ୍ଡେବଲ ମାମଲା, ଚାକିରି ସଂପର୍କିତ ମାମଲା, ଏନ୍‌.ଆଇ.ଆକ୍ଟର ଧାରା ୧୩୮ ସଂପର୍କିତ ମାମଲା ଓ ବୀମା କ୍ଷତିପୂରଣ ମାମଲା ରହିଛି। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧ୍ୟରୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି ଏବଂ ଘରୋଇ ବୀମା କମ୍ପାନି ମଧ୍ୟରୁ ଶ୍ରୀରାମ ଜେନେରାଲ ଇନସ୍ୟୁରାନ୍ସ, ରିଲାୟନ୍ସ ଜେନେରାଲ୍‌ ଇନସ୍ୟୁରାନ୍ସ ଅଂଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୨ କୋଟି ୮୫ ଲକ୍ଷ ୨ ହଜାର ୫୦୦ ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ରାଜ୍ୟରେ ୧୭ ହଜାର ମାମଲା ଫୈସଲା

କଟକ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୭ ହଜାର ୫୨ଟି ମାମଲାର ଆପୋଷ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୫୮ କୋଟି ୬୭ ଲକ୍ଷ ୮୦ ହଜାର ୨୦୫ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍‌-ମୋକଦ୍ଦମା ସ୍ତରୀୟ ସମାଧାନଯୋଗ୍ୟ ମାମଲାର ଫୈସଲା କରାଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୪୮ ହଜାର ୮୦୯ଟି ମାମଲା ମଧ୍ୟରୁ ୪ ହଜାର ୯୨ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ସେହିଭଳି ୭୯ ହଜାର ୨୯୭ଟି ବିଚାରାଧୀନ ମାମଲା ମଧ୍ୟରୁ ୧୨ ହଜାର ୯୬୦ଟି ମାମଲା ଆପୋଷ ବୁଝାମଣାରେ ଫୈସଲା କରାଯାଇଛି ବୋଲି ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ବାଳକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୯୨ଟି ମାମଲାର ଫୈସଲା କରାଯାଇ ୨ କୋଟି ୮୫ ଲକ୍ଷ ୨ ହଜାର ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ଉପସଚିବ ଦୀପକ ରଂଜନ ସାହୁ, ସହକାରୀ ସଚିବ ନିହାର ରଂଜନ ଲେଙ୍କା ଓ ଅଧୀକ୍ଷକ କମଳାକାନ୍ତ କର ପ୍ରମୁଖ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର