ରାଷ୍ଟ୍ରୀୟ ଲୋକ ଅଦାଲତ: ରାଜ୍ୟରେ ରେକର୍ଡ ୧ ଲକ୍ଷ ୭୦ ହଜାର ୨୩୩ ମାମଲା ଫଏସଲା

କଟକ : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ରେକର୍ଡ ସଂଖ୍ୟକ ୧ ଲକ୍ଷ ୭୦ ହଜାର ୨୩୩ଟି ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧ ଲକ୍ଷ ୭୦ ହଜାର ୨୩୩ ମାମଲାର ଫଏସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୧୯ କୋଟି ୮୫ ଲକ୍ଷ ୪୩ ହଜାର ୭୩୩ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି।

ଫଏସଲା ହୋଇଥିବା ମାମଲା ଗୁଡିକ ମଧ୍ୟରେ ୨୫,୮୧୭ ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୧୨୩୬ଟି ଚେକ୍ ବାଉନ୍ସ, ୩୨୩୩ଟି ବ୍ୟାଙ୍କ ଋଣ, ୧୩୦୬ଟି ମୋଟରଯାନ ଦୁର୍ଘଟଣାଜନିତ, ୬୦୮ଟି ପାରିବାରିକ ଓ ବୈବାହିକ ବିବାଦ, ଗୋଟିଏ ଭୂମି ଅଧିଗ୍ରହଣ ବିବାଦ, ୨୫ଟି ବିଦ୍ୟୁତ, ଜଳ ଦେୟ ସଂପର୍କିତ, ୧୪ଟି ଚାକରି ସଂକ୍ରାନ୍ତୀୟ, ୩୦ଟି ଶ୍ରମ ଓ ନିୟୋଜନ ସଂପର୍କିତ, ୫୧୮୫୫ଟି ରାଜସ୍ବ ସଂପର୍କିତ, ୧୪୨୧ଟି ଅନ୍ୟାନ୍ୟ ଦେୱାନୀ ଓ ୮୪୬୭୧ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ। ଏଥି ସହିତ ବିଭିନ୍ନ ଟ୍ରିବୁନାଲରେ ୧୬ଟି ମାମଲାର ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ ହୋଇଛି। ଏହି ମାମଲା ଗୁଡିକର ଶୁଣାଣି କରାଯାଇ ଆପୋସ ସହମତି ଆଧାରରେ ଫଏସଲା କରାଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୧ ଲକ୍ଷ ୧୦ ହଜାର ୭୩୬ଟି ମାମଲା ମଧୢରୁ ୨୮ ହଜାର ୧୨୨ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଏସଲା କରାଯାଇଛି। ସେହିଭଳି ୨ ଲକ୍ଷ ୧୨୨ଟି ବିଚାରାଧୀନ ମାମଲା ମଧୢରୁ ୧ ଲକ୍ଷ ୪୨ ହଜାର ୧୧୧ଟି ମାମଲା ଆପୋସ ବୁଝାମଣାରେ ଫଏସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରଧିକରଣ ପକ୍ଷରୁ ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସର ଓ ବିଭିନ୍ନ ଟ୍ରିବୁନାଲରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର