ରାଜ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୯୦୦ ମାମଲା ଫଇସଲା, ୮୦ କୋଟି ୩୦ ଲକ୍ଷ ଟଙ୍କା ଆଦାୟ

ହାଇକୋର୍ଟରେ ୧୦୯ ମାମଲାର ବିଚାର

କଟକ : ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୬ ହଜାର ୯୦୯ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫଇସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୮୦ କୋଟି ୩୦ ଲକ୍ଷ ୭୨ ହଜାର ୧୭୩ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଚାର ମାମଲା ଗୁଡିକ ମଧ୍ୟରେ ୪୧୬ ଫୌଜଦାରୀ, ୯୩୧ ଚେକ୍ ବାଉନ୍ସ, ୪୯୬ଟି ବ୍ୟାଙ୍କ ଋଣ, ୯୭୫ଟି ମୋଟରଯାନ ଦୁର୍ଘଟଣାଜନିତ, ୭ଟି ଶ୍ରମ ଓ ନିଯୁକ୍ତି, ୩୩ଟି ବିଦ୍ୟୁତ୍‌ ଓ ଜଳ, ୩୯୯ଟି ପାରିବାରିକ ଓ ବୈବାହିକ ବିବାଦ, ୩୧ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୧୪୦ଟି ଦେୱାନି ଓ ୧୪୦୮ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ରହିଛି। ପ୍ରାକ୍‌ ମୋକଦ୍ଦମାସ୍ତରୀୟ ୨୮ ହଜାର ୬୯୧ଟି ମାମଲା ମଧୢରୁ ୧ ହଜାର ୭୩ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ସେହିଭଳି ୩୩ ହଜାର ୨୫ଟି ବିଚାରାଧୀନ ମାମଲା ମଧୢରୁ ୫ ହଜାର ୮୩୬ଟି ମାମଲା ଫଇସଲା ହୋଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଆଜି ଏହି ଲୋକ ଅଦାଲତ କୋଭିଡ-୧୯ ନିୟମାବଳୀ ପାଳନ କରି ଅନୁଷ୍ଠିତ ହୋଇଛି।

ହାଇକୋର୍ଟରେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷା ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ମାର୍ଗଦର୍ଶନରେ ୧୦୯ଟି ମାମଲାର ଫଇସଲା କରାଯାଇଛି। ଜଷ୍ଟିସ୍ ଏସ.କେ.ମିଶ୍ର, ଜଷ୍ଟିସ୍ ସି.ଆର.ଦାଶ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ କେ.ଆର.ମହାପାତ୍ର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫଇସଲା କରିଥିଲେ। କ୍ଷତିପୂରଣ ବାବଦରେ ୭ କୋଟି ୧୬ ଲକ୍ଷ ୭୪ ହଜାର ୭୪୩ ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ବିଚାର ହୋଇଥିଲା।

ସମ୍ବନ୍ଧିତ ଖବର