ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ : ୯୮ ମାମଲା ଫଇସଲା, ୪ କୋଟି ୭୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା କାର୍ଯ୍ୟନିର୍ବାହୀ ଅଧୢକ୍ଷା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୯୮ଟି ମାମଲାର ଆପୋସ ବୁଝାମଣାରେ ଫଇସଲା କରାଯାଇଛି। ଜଷ୍ଟିସ୍ ଏସ୍.କେ.ମିଶ୍ର, ଜଷ୍ଟିସ ବିଶ୍ବନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ କେ.ଆର.ମହାପାତ୍ର, ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ଓ ଜଷ୍ଟିସ ବି.ପି.ରାଉତରାୟ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ମାମଲାଗୁଡିକର ଫଇସଲା କରିଥିଲେ। ଲୋକ ଅଦାଲତରେ ମୁଖ୍ୟତଃ ବ୍ୟାଙ୍କ ମାମଲା, କ୍ରିମିନାଲ କମ୍ପାଉ‌ଣ୍ଡେବେଲ୍ ମାମଲା, ବିଦ୍ୟୁତ ଓ ବୀମା କ୍ଷତିପୂରଣ ମାମଲାର ଶୁଣାଣି କରାଯାଇ ଫଇସଲା କରାଯାଇଥିଲା। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧୢରୁ ନ୍ୟୁ ଇଣ୍ତିଆ ଅସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ ଘରୋଇ ବୀମା କମ୍ପାନି ଅ˚ଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୪ କୋଟି ୭୨ ଲକ୍ଷ ୩୪ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର