ନୂଆପଡ଼ା : ତାଇକୋଣ୍ଡୋ (ମାର୍ସଲ ଆର୍ଟ) ବିଦ୍ୟାଳୟସ୍ତରୀୟ ଜାତୀୟ ଚାମ୍ପିଅନ୍ସିପରେ ରୌପ୍ୟ ପଦକ ହାସଲ କରିଥିଲେ। କିନ୍ତୁ ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମି ନଥିବାରୁ ବର୍ତ୍ତମାନ ଉକ୍ତ ଖେଳାଳି ଜଣକ ଗୋରୁ ଚରାଉଥିବା ଦେଖିବାକୁ ମିଳିଛି। ସେହି ଖେଳାଳି ଜଣକ ହେଲେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ମାଗୁରପାଣି ଗାଁର ଛବିଲାଲ ରାଉତଙ୍କ ଝିଅ ଧରିତ୍ରୀ ରାଉତ। ହାଇସ୍କୁଲ ପାଠପଢ଼ା ସମୟରେ ମାରୁଗୁପାଣି ହାଇସ୍କୁଲରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ କବାଡ଼ି ଖୋଖୋ ଆଥ୍ଲେଟିକ୍, ମାର୍ସଲ ଆର୍ଟରେ ଧରିତ୍ରୀ କୃତିତ୍ବ ହାସଲ କରିଥିଲେ। ୨୦୧୭-୧୮ ମସିହାରେ ପୁରୀ ଜିଲ୍ଲା ପିପିଲିରେ ରାଜ୍ୟସ୍ତରୀୟ ଚାମ୍ପିଅନ୍ସିପରେ ନୂଆପଡ଼ା ବାଳିକା କବାଡ଼ି (୧୭ ବର୍ଷରୁ କମ୍) ଦଳର ସଦସ୍ୟ ଥିଲେ। ମାର୍ସଲ ଆର୍ଟ ତାଇକୋଣ୍ଡୋରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୨୦୧୬ ମସିହାରେ ତାଇକୋଣ୍ଡୋ (ମାର୍ସଲ ଆର୍ଟ) ଖେଳିବାକୁ ଓଡ଼ିଶାରୁ ପଞ୍ଜାବର ରୂପନଗରକୁ ଯାଇଥିଲେ।
ନୂଆପଡ଼ା ଜିଲ୍ଲା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଖେଳଶିକ୍ଷକ ମହତାବ ଆଡ଼ଜୁଆଡ଼ଙ୍କ ନେତୃତ୍ବରେ ଓଡ଼ିଶାରୁ ୧୦ ଜଣିଆ ଟିମ୍ ୧୦୧୭ ମସିହାରେ ଜାତୀୟ ଚାମ୍ପିଅନ୍ସିପରେ ଖେଳିବା ପାଇଁ ଛତିଶଗଡ଼ର ବିଳାସପୁରକୁ ଯାଇଥିଲେ। ସେଠାରେ ଧରିତ୍ରୀ ତାଙ୍କର ଓଜନ ବର୍ଗରେ ଜାତୀୟସ୍ତରରେ ରୌପ୍ୟ ପଦକ ପାଇ ନୂଆପଡ଼ା ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ବିତ କରିଥିଲେ। ତାଙ୍କ କୃତିତ୍ବ ପାଇଁ ଜିଲ୍ଲାପାଳ ଓ ଏସ୍ପି ସମ୍ବର୍ଧିତ ବି କରିଛନ୍ତି। ହେଲେ ଦଶମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହେବା ପରେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ପାଠ ପଢ଼ିପାରିଲେ ନାହିଁ। ଘରେ ରହି ଗାଈ ଚରେଇବା ସହ ଅନ୍ୟାନ କୃଷି କାମରେ ଦିନ ବିତୁଛି। ବର୍ତ୍ତମାନ ସେ ହୋମ୍ଗାର୍ଡ କିଂବା କନେଷ୍ଟବଳ ଚାକିରିରେ ଯୋଗଦେବା ପାଇଁ ଆଶା କରିଛନ୍ତି। ଜଣେ ଖେଳାଳି କେବେ ବି ତାର ଖେଳକୁ ଛାଡ଼ିପାରେନି, ସବୁବେଳେ ମନ ଓ ଶରୀର ସେଇଆଡ଼େ ଟାଣି ହୋଇଥାଏ ବୋଲି କହିଛନ୍ତି। ୨୦୨୧ ଫେବ୍ରୁଆରି ସୋଟାକନ୍ କରାଟେରେ ଭାଗ ନେଇ ଧରିତ୍ରୀ ଛତିଶଗଡ଼ ରାୟପୁରରେ ଜାତୀୟ ଚାମ୍ପିଅନ୍ସିପରେ ରୌପ୍ୟ ପଦକ ପାଇଥିଲେ। ପରେ ଜାମୁକାଶ୍ମୀରରେ ହୋଇଥିବା ସୋଟାକନ୍ କରାଟେ ଚାମ୍ପିଅନ୍ସିପରେ ଭାଗ ନେଇଥିଲେ। ପଛୁଆ ଜିଲ୍ଲାରୁ ଯାଇ ଜାତୀୟସ୍ତରରେ ଖେଳ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଥିଲେ। ଆଜି ସେହି ଖେଳାଳି ଅର୍ଥ ଅଭାବରୁ ପାଠ ପଢାରୁ ବଞ୍ଚିତ ହେବା ଦୁର୍ଭାଗ୍ୟର ବିଷୟ ବୋଲି ଜିଲ୍ଲାର କ୍ରୀଡ଼ାପ୍ରେମୀ ମାନେ କହିଛନ୍ତି।