ପୁରୀ: ବିପର୍ଯ୍ୟୟ ମୁକାବିଲା ହେଉ କି ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ ଯୋଜନା ହେଉ, ସାରା ବିଶ୍ବରେ ଓଡ଼ିଶାକୁ ପ୍ରଶଂସା କରାଯାଉଥିବା ବେଳେ ଏବେ ଓଡ଼ିଶା ସରକାରଙ୍କ ସଫଳତାକୁ ଜାତୀୟ ଗଣମାଧ୍ୟମ‌‌ରେ ମଧ୍ୟ ସ୍ବୀକୃତି ମିଳିଛି। ଆଜି ଇଂରାଜୀ ସମ୍ବାଦପତ୍ର ‘ ଦି ଇକୋନମିକ୍ ଟ‌ାଇମସ୍‌’ରେ ଶ୍ରୀମନ୍ଦିର ୭୫ ମିଟର ଐତିହ୍ୟ କରିଡର୍‌ ପାଇଁ ଜମି ଅଧିଗ୍ରହଣ ଓ ଏଥିପାଇଁ ଥିବା ଥଇଥାନ ଓ ପୁନର୍ବ‌ାସ ଯୋଜନାକୁ ପ୍ରଶଂସା କରାଯାଇଛି। ମାତ୍ର ଚାରି ମାସରୁ କମ ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କୁ ଏଭଳି ରେକର୍ଡ ସଫଳତା ମିଳିଥିବା ଏଥିରେ ଦର୍ଶାଯାଇଛି। ଜାତୀୟ ଗଣମାଧ୍ୟମର ଏହି ଖବରଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ ସେୟାର କରିଛନ୍ତି।

Advertisment


ଓଡ଼ିଶା କ୍ୟାବିନେଟ୍‌ ନିଷ୍ପତ୍ତି ଓ ଗେଜେଟ୍‌ ବିଜ୍ଞପ୍ତିର ୪ ମାସରୁ କମ୍‌ ସମୟ ମଧ୍ୟରେ ଓଡ଼ିଶା ସରକାରଙ୍କୁ ଏଭଳି ଏକ ବଡ ସଫଳତା ମିଳିଛି। ଦି ଇକୋନମିକ୍ ଟ‌ାଇମସ୍‌’ରେ ସରକାରଙ୍କ ଆକର୍ଷଣୀୟ ଆର୍‌ ଆଣ୍ଡ୍‌ ଆର୍‌ (ଥଇଥାନ ଓ ପୁନର୍ବାସ) ନୀତିକୁ ପ୍ରଶଂସା କରାଯାଇଛି। ଏଥିରେ ସୂଚନା ରହିଛି କି, ଅଗଷ୍ଟ ୧୬ ତାରିଖରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ କ୍ୟାବିନେଟ ନିଷ୍ପତ୍ତି ପରେ ସର୍ଭେ ଓ ସୀମା ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିଷ୍ପତ୍ତି ମୁତାବକ, ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ କୋଠାକୁ ଉଚ୍ଛେଦ ପାଇଁ ଘୋଷଣା କରାଯାଇଥିଲା। ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ଥଇଥାନ ପ୍ୟାକେଜ‌୍‌ ଘୋଷଣା କରିଥିଲେ। ଏଥିସହିତ ଯେଉଁମାନେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଜମି ହସ୍ତାନ୍ତର କରିବେ, ସେମାନଙ୍କୁ ମୂଳ ରାଶି ସହିତ ଅଧିକ ୧୦ ପ୍ରତିଶତ ସହାୟତା ରାଶି ମିଳିବ ବୋଲି ଘୋଷଣା କରାଯାଇଥିଲା। ଅକ୍ଟୋବର ୨୧ ତାରିଖରେ ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବାର ପ୍ରଥମ ଦିନରେ ୫ ଜଣ ମାଲିକ ଜମି ହସ୍ତାନ୍ତର କରିଥିଲେ। ସେହିଦିନ ହିଁ ସେମାନଙ୍କୁ ଏ ବାବଦ କ୍ଷତିପୂରଣ ଚେକ୍ ପ୍ରଦାନ କରାଯାଇଥିଲା।

ଡିସେମ୍ବର ୯ ତାରିଖ ସୁଦ୍ଧ‌‌ା ୧୦୪ ଜଣ( ବ୍ୟକ୍ତି ଓ ଅନୁଷ୍ଠାନ) ସିଧାସଳଖ ଜମି ହସ୍ତାନ୍ତର କରିଥଲେ। ଡିସେମ୍ବର ୩୦ ତାରିଖ ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟିର ଐତିହ୍ୟ କରିଡର୍‌ର ନକ୍ସା ଉନ୍ମୋଚନ କରାଯାଇଥିଲା।। ଉଚ୍ଛେଦ ସହଜ ନଥିଲା। ମଠ ଭଙ୍ଗାକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ‌ଟେନ୍‌ ଅମରେନ୍ଦ୍ର ସିଂହ ଏ ନେଇ ମଧ୍ୟ ଆପତ୍ତି ଉଠାଇ‌ଥିଲେ। ସବୁ ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶା ସରକାର ଏହାକୁ ସଫଳତାର ସହିତ ଜମି ଅଧିଗ୍ରହଣ କରି ଏକ ନୂଆ ରେକର୍ଡ କରିଛନ୍ତି। ଏତେ କମ୍‌ ଦିନରେ ଏଭଳି ସଫଳତା ବିରଳ ବୋଲି ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି।