ପରିବର୍ଦ୍ଧିତ ମିସନ ଇନ୍ଦ୍ରଧନୁଷ ୨.୦ ଜାତୀୟ ଗଣମାଧ୍ୟମ କର୍ମଶାଳା : ସଫଳ ଟିକାକରଣ ଦିଗରେ ଗଣମାଧ୍ୟମ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର : ଆସନ୍ତା ମାସ ୨ତାରିଖରୁ ଦେଶବ୍ୟାପୀ ପରିବର୍ଦ୍ଧିତ ମିସନ ଇନ୍ଦ୍ରଧନୁଷ ୨.୦ ଆରମ୍ଭ ହେବାକୁ ଯାଉଛି। ୨୭ଟି ରାଜ୍ୟର ୨୭୨ଟି ଜିଲ୍ଲାରେ ଏହି ଟିକାକରଣ କରାଯିବ। ଏହି ଉପଲକ୍ଷେ ୟୁନିସେଫ୍ ସହାୟତାରେ ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏଥିରେ ଅତିଥିଭାବେ ଯୋଗଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ କମିସନର(ଟିକାକରଣ) ଡା.ଏସ୍‌.କେ ସିକଦାର କହିଲେ, ଏବେ ବି ଦେଶର ଅନେକ ସ୍ଥାନରେ ଶିଶୁମାନେ ସଂପୂର୍ଣ୍ଣ ଟିକାକରଣରେ ସାମିଲ ହୋଇପାରୁ ନାହାନ୍ତି। ଟିକାକରଣ ନେଇ ଅବହେଳା, ଗୁଜବ, ସାମାଜିକ କଟକଣା ଓ କିଛି ସ୍ଥାନରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପହଞ୍ଚି ନ ପାରିବା କାରଣରୁ ଶିଶୁମାନେ ଟିକାକରଣରୁ ବଞ୍ଚିତ ରହୁଛନ୍ତି। ୯୦ ପ୍ରତିଶତ ପର୍ଯ୍ୟନ୍ତ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ତେଣୁ ଏହି ଯୋଜନାରେ କିଭଳି ଅଧିକରୁ ଅଧିକ ଶିଶୁ ଓ ଗର୍ଭବୀତ ମହିଳାଙ୍କୁ ସାମିଲ ହୋଇପାରିବେ ଏଥିପାଇଁ ଗଣମାଧ୍ୟମର ବିଶେଷ ଭୂମିକା ରହିଛି। ତେବେ ଅନେକ ସମୟରେ ଟିକାକରଣକୁ ନେଇ ଉଠୁଥିବା ଗୁଜବକୁ ମଧ୍ୟ ଗଣମାଧ୍ୟମ ରିପୋର୍ଟ କରିବାକୁ ନେଇ ଅନେକ ସମସ୍ୟା ସମସ୍ୟା ଦେଖା ଦେଉଛି। ତେଣୁ ଟିକାକରଣ ସଂପର୍କିତ ଖବର ପ୍ରକାଶ କରିବା ସମୟରେ ଗଣମାଧ୍ୟମ ସତର୍କତା ଅବଲମ୍ବନ କରୁ ବୋଲି ଡା. ସିକଦାର କହିଥିଲେ। ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ହାଲଦାର, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡା. ଦାନିଶ ଅହମ୍ମଦ, ୟୁନିସେଫର ଟିକାକରଣ ବିଶେଷଜ୍ଞ ଭୃଗୁ କପୁରିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି କିଭଳି ମିଛ ଖବରକୁ ଚିହ୍ନଟ କରିବା ଓ ସାମାଜିକ ଗଣମାଧ୍ୟମରେ ଯେଉଁ ତଥ୍ୟ ଘୂରି ବୁଲୁଛି ତାହାର ସତ୍ୟତା ଯାଞ୍ଚ କରିବାର କୌଶଳ ଶିକ୍ଷା ଦିଆଯାଇଥିଲା। ଏହି ଜାତୀୟ କର୍ମଶାଳାରେ ଓଡ଼ିଶା ସମେତ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଞ୍ଜାବ, ହରିୟାନା, ହିମାଚଳ ପ୍ରଦେଶ ଓ ଉତ୍ତରଖଣ୍ଡର ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହାସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁନିସେଫର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର