୧୫ରେ ଦିଲ୍ଲୀରେ ଜାତୀୟ ସମ୍ମିଳନୀ

ମହାନଦୀ ଟ୍ରିବ୍ୟୁନାଲ ସଂପର୍କରେ ବିଚାରବିମର୍ଷ ସଭା

ଭୁବନେଶ୍ୱର: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ସଂପର୍କରେ ଏକ ବିଚାର ବିମର୍ଷ ସଭା ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ ଟ୍ରିବ୍ୟୁନାଲରେ ଓଡ଼ିଶା ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଉପରେ ଆଲୋଚନା ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ଚଳିତମାସ ୧୯ତାରିଖ ସୁଦ୍ଧା ମହାନଦୀ ଜଳବିବାଦ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ତାରିଖ ଦିଲ୍ଲୀରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ବିଭିନ୍ନ ନଦୀର ଜଳ ବଣ୍ଟନ ପାଇଁ ଯେତୋଟି ଟ୍ରିବ୍ୟୁନାଲ ଗଠନ କରାଯାଇଛି ତାହାର ଫଳାଫଳ ସନ୍ତୋଷଜନକ ନୁହେଁ। ଟ୍ରିବ୍ୟୁନାଲ ଏକ ସମୟ ସାପେକ୍ଷ ବ୍ୟବସ୍ଥା। ଟ୍ରିବ୍ୟୁନାଲ କେବଳ ନଦୀର ଜଳବଣ୍ଟନକୁ ନେଇ ତାଙ୍କର ରାୟ ଦେଇଥାନ୍ତି। ତେବେ ଅନେକ ସମୟରେ ରାୟ ଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥାଏ। ନଦୀ ପରିବେଶର ଏକ ବିରାଟ ଅଂଶବିଶେଷ। ତେଣୁ ବିଚାର ବ୍ୟବସ୍ଥାରେ ନଦୀର ପ୍ରାକୃତିକ ପ୍ରବାହ ଓ ଜୈବ ବିବିଧତା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।

୧୯୪୫ରେ କଟକଠାରେ ବିଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ହୀରାକୁଦ ବନ୍ଧ ଉପରେ ଏକ ବୈଠକ ବସିଥିଲା। ୧୯୪୭ରେ ବନ୍ଧ ନିର୍ମାଣ ସମୟରେ ଯେଉଁ ପ୍ରକଳ୍ପ ରିପୋର୍ଟ ତିଆରି ହୋଇଥିଲା ଏଥିରେ ୨୦ମିଲିୟନ ଏକର ଫୁଟ ପାଣିରୁ ହୀରାକୁଦକୁ କେବଳ ୧୨ ମିଲିୟନ ଏକର ଫୁଟ ପାଣି ଆସିବାର ବ୍ୟବସ୍ଥା ଥିଲା। ବଳକା ୮ ମିଲିୟନ ଏକର ଫୁଟ ପାଣକୁ ତତ୍କାଳୀନ ମଧ୍ୟପ୍ରଦେଶ ସରକାର ବ୍ୟବହାର କରିବେ ବୋଲି ଏଥିରେ ଉଲ୍ଲେଖ ରହିଛି। ସେ ସମୟରେ ନଦୀର ପ୍ରବାହିତ ଜଳକୁ ମାପିବାର ଆଧୁନିକ ପଦ୍ଧତି ନ ଥିଲା ତେଣୁ ଆଜିର ସମୟରେ ଏହାକୁ ଠିକ ଭାବେ ଆକଳନ କରାଯିବାର ଆବଶ୍ୟକତା ରହିଛି। ନଦୀର ପ୍ରବାହିତ ଜଳ ଉପରେ ଜୀବଜନ୍ତୁ, ପରିବେଶ, ଅବବାହିକାର ସ୍ଥାନୀୟ ବାସିନ୍ଦା ଓ ସମୁଦ୍ରର ମଧ୍ୟ ଅଧିକାର ରହିଛି। ତେଣୁ ପ୍ରସ୍ତାବିତ ଟ୍ରିବ୍ୟୁନାଲରେ ଓଡ଼ିଶାର ସ୍ୱାର୍ଥକୁ ଠିକ୍‌ ଭାବେ ବିଚାରକୁ ନିଆଯିବ କି ନାହିଁ ତାହାକୁ ନେଇ ଆଲୋଚନାରେ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥିଲେ।

କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରଣାଳୟକୁ ଟ୍ରିବ୍ୟୁନାଲର ରୂପରେଖ ସଂପର୍କରେ ସ୍ମାରକପତ୍ର ଦେବା ପାଇଁ ସଭାର ନିଷ୍କର୍ସକୁ ସନ୍ଦର୍ଭ ଜରିଆରେ ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ତପନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟିରେ ରମେଶ ତ୍ରିପାଠୀ, ଶିଶିର ବେହେରା, ଶରତ ମହାନ୍ତି, ସୁଧାକର ପତ୍ରୀ, ଲଳିତ ମୋହନ ପଟ୍ଟନାୟକ ଓ ସୁଦର୍ଶନ ଦାସ ରହିଛନ୍ତି। ଏହି କମିଟିର ସନ୍ଦର୍ଭ କେନ୍ଦ୍ର ଜଳସଂପଦ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସଭାରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଅବସର ବେଉରିଆ ପ୍ରମୁଖ ଯୋଗ ଦେଇଥିଲେ। ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ବିଜୟ ପ୍ରଧାନ, ତୁଷାରକାନ୍ତ ଶତପଥୀ, ରୀନା ରାଉତରାୟ, ମନୋଜ ଜେନା, ଅଶୋକ ପାଇକରାୟ, ପରେଶ ଜାଲି ଓ ଦେବୀ ମହାରଣା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର