ରାୟଗଡା: ଭିଆଇପି ସଂସ୍କୃତିକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ସିଧାସଳଖ ଘୋଷଣା କଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀଙ୍କ ଗାଡିରୁ ନାଲିବତିକୁ ହଟାଇ ଦେଲେ। ଦଳୀୟ ସାଂସଦଙ୍କୁ ଲୋକଙ୍କ ସେବକ ଭାବେ କାର୍ଯ୍ୟ କରିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କଥାକୁ କିଭଳି ଗୁରୁତ୍ୱ ଦିଆଯାଉଛି ତାହାର ଗୋଟିଏ ଦୃଶ୍ୟ ଆଜି ରାୟଗଡ଼ାଠାରେ ବିଜେପିର କର୍ମୀ ସମ୍ମିଳନୀ ସ୍ଥଳରେ ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଜୋତାକୁ ତାଙ୍କ ବ୍ୟକ୍ତିଗତ ସହାୟକ ହାତରେ ଧରି ପ୍ରାୟ ଶହେ ମିଟର ଚାଲିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ଏହାକୁ ଏବେ ଏକ ପ୍ରସଙ୍ଗ କରିଥିବା ବେଳେ ମନ୍ତ୍ରୀ ଭିଆଇପି ସଂସ୍କୃତିକୁ ଭୁଲି ପାରି ନଥିବା ଅଭିଯୋଗ କରୁଛନ୍ତି।

Advertisment

ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାୟଗଡ଼ା ପହଞ୍ଚିଥିଲେ। ରାୟଗଡ଼ା ଶିବ ମନ୍ଦିର ପରିସର କଲ୍ୟାଣ ମଣ୍ଡପରେ ଆୟୋଜିତ ଦଳୀୟ କର୍ମୀ ସମାବେଶ ଆରମ୍ଭ ହେବା ପୂବରୁ କେନ୍ଦ୍ରମନ୍ତ୍ରୀ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ମନ୍ଦିର ବାହାରେ ନିଜ ଜୋତାକୁ ଖୋଲି ରଖିଥିଲେ। ମନ୍ଦିରରେ ଦର୍ଶନ କରି ଅଳ୍ପ ସମୟ ମଧ୍ୟରେ ବାହାରକୁ ବାହାରିଥିବା ବେଳେ ଆଉ ଜୋତା ପିନ୍ଧି ନଥିଲେ। ଖାଲି ପାଦରେ ମନ୍ଦିର ଠାରୁ ପ୍ରାୟ ଶହେ ମିଟର ଦୂରରେ ଆୟୋଜିତ ସଭାସ୍ଥଳକୁ ଯାଇଥିଲେ। ମନ୍ତ୍ରୀ ହଠାତ୍‌ ଖାଲିପାଦରେ ଯିବା ଦେଖି ତାଙ୍କ ବ୍ୟକ୍ତିଗତ ସହାୟକ ନରଂଜନ ବେହେରା ଆଉ ବିଳମ୍ବ କରି ନଥିଲେ। ମନ୍ଦିର ବାହାରେ ଥିବା ମନ୍ତ୍ରୀଙ୍କ ଜୋତା, ମୋଜାକୁ ହାତରେ ଧରି ପଛେ ପଛେ ଦୌଡିଥିଲେ। ସଭାସ୍ଥଳରେ ପହଞ୍ଚିବା ପରେ ନିରଂଜନ ମନ୍ତ୍ରୀଙ୍କ ଆଡକୁ ବଢାଇ ଦେଇଥିଲେ ଜୋତା। ମନ୍ତ୍ରୀ ଜୋତା ପିନ୍ଧିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଭିଆଇପି ସଂସ୍କୃତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।