ଜାତୀୟ ପେନ୍‌ସନ୍‌ ସ୍କିମ୍‌: ପୌର କର୍ମଚାରୀ ସାମିଲ ହେବେ

ଭୁବନେଶ୍ୱର : ଜାତୀୟ ପେନ୍‌ସନ୍‌ ସ୍କିମ୍‌ (ଏନ୍‌ପିଏସ୍‌)ରେ ରାଜ୍ୟର ପୌର କର୍ମଚାରୀମାନଙ୍କୁ ସାମିଲ କରିବା ପାଇଁ ପେନ୍‌ସନ୍‌ ପାଣ୍ଠି ନିୟାମକ ଓ ବିକାଶ କର୍ତୃପକ୍ଷ (ପିଏଫ୍‌ଆର୍‌ଡିଏ) ଉଦ୍ୟମ ଆରମ୍ଭ କରିଛି। ଏସଂକ୍ରାନ୍ତରେ ପିଏଫ୍‌ଆର୍‌ଡିଏର ପୂର୍ଣ୍ଣକାଳୀନ ସଦସ୍ୟ (ଅର୍ଥ) ସୁପ୍ରତିମ ବନ୍ଦୋପାଧ୍ୟାୟ ଆଜି ରାଜ୍ୟର ପୌର ସଂସ୍ଥା ଓ ସ୍ୱୟଂଶାସିତ ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ ମଧ୍ୟ ସେ ଏନେଇ ପ୍ରସ୍ତାବ ନେଇଥିବା ଜଣାପଡ଼ିଛି। ଓଡ଼ିଶାର ୧୦୮ରୁ ଅଧିକ ପୌର ସଂସ୍ଥାକୁ ଏନ୍‌ପିଏସ୍‌ରେ ସାମିଲ କରିବାକୁ ଯୋଜନା ରହିଛି। ସେମାନଙ୍କ ମଧ୍ୟରୁ ୨୧ଟି ସଂସ୍ଥା ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି।

ଏନ୍‌ପିଏସ୍‌ରେ ସାମିଲ ହେଲେ ଏହି କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷା ନିଶ୍ଚିତ ହୋଇପାରିବ ଓ ସେମାନେ ନିଜର ଅବଦାନ ଅନୁଯାୟୀ ନିର୍ଦିଷ୍ଟ ପରିମାଣର ପେନ୍‌ସନ୍‌ ମଧ୍ୟ ପାଇପାରିବେ ଯାହା ଅବସର ପରବର୍ତି ସମୟ ପାଇଁ ବହୁତ କାମରେ ଆସିବ ବୋଲି ଶ୍ରୀ ବନ୍ଦୋପାଧ୍ୟାୟ କହିଛନ୍ତି।

ଓଡ଼ିଶା ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ଓ ହରିଆନାର ପୌର କର୍ମଚାରୀଙ୍କୁ ଏନ୍‌ପିଏସ୍‌ରେ ସାମିଲ କରିବାକୁ ପିଏଫ୍‌ଆର୍‌ଡିଏ ଉଦ୍ୟମ କରୁଛି। ସାରା ଦେଶରେ ୧ କୋଟି ୧୦ ଲକ୍ଷ ଲୋକ ଏନ୍‌ପିଏସ୍‌ରେ ସାମିଲ ହୋଇଥିବା ବେଳେ ସେଥିରେ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଖ୍ୟା ହେଉଛି ୧ ଲକ୍ଷ ୪୫ ହଜାର।

ସମ୍ବନ୍ଧିତ ଖବର