ଜାତୀୟ ପୋଲିଓ ଦିବସ : ଏବେ ବି ଶତ ପ୍ରତିଶତଠାରୁ ଦୂରରେ ପଲସ ପୋଲିଓ ଅଭିଯାନ

ସଚେତନତା ଅଭାବରୁ ଲକ୍ଷ୍ୟ ପୂରଣ ହେଉନି

ଯାଜପୁର(ଅନିଲ କୁମାର ପଣ୍ଡା): ଆଜି ଜାତୀୟ ଟୀକାକରଣ(ପୋଲିଓ)ଦିବସ। ଦିନ ଥିଲା ପୋଲିଓ ରୋଗ ଏକ ମହାମାରୀ ପରି ବ୍ୟାପି ଚାଲିଥିଲା। ଜୀବନ ନେଉନଥିବା କିନ୍ତୁ ବିକଳାଙ୍ଗ କରି ଦେଉଥିଲା ମଣିଷଙ୍କୁ। ପରେ କ‌ରୋନା ପରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଥିଲା ଟୀକା। ଯାହାକି ରୋଗ ନିୟନ୍ତ୍ରଣରେ ସକ୍ଷମ ହୋଇଛି। ତଥାପି ଆଜି ଲୋକେ ଏହାକୁ ନେଇ ସଂପୂର୍ଣ୍ଣ ସଚେତନ ହୋଇନାହାନ୍ତି। ଫଳରେ ଜିଲ୍ଲାର ସଫଳତା ଶତ ପ୍ରତିଶତ ଛୁଇଁପାରୁନଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ ପ୍ରାୟ ପ୍ରତି ଗାଁରେ ଗୋଟିଏ ଦିନ ପୋଲିଓ ବୁଥରେ ଟୀକାଦାନ ହୋଇଥିବା ବେଳେ ଅନ୍ୟ ଦୁଇ ଦିନ ଆଶା,ଅଙ୍ଗନୱାଡିକ କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଟୀକା ପ୍ରଦାନ କରୁଛନ୍ତି। ଏହି ଅଭିଯାନ ବର୍ଷକୁ ୩ ଦିନ ଧରି ଅନୁଷ୍ଠିତ ହେଉଥିଲେ ବି ଅନେକ ‌ଲୋକ ଟୀକା କର୍ମଚାରୀଙ୍କ ଘରକୁ ବାରଣ କରୁଥିବା ବେଳେ ପୋଲିଓ ବୁଥକୁ ଆସୁନାହାନ୍ତି। ଏପରିକି ପୋଲିଓ ଦ୍ବାରା ଶିଶୁ ଅସୁସ୍ଥ ହେବା ଭୟରେ ଅନେକ ଏଥିରୁ ନିବୃତ ରହୁଛନ୍ତି। ପରିସଂଖ୍ୟନକୁ ନଜର କଲେ ଯାଜପୁର ଜିଲ୍ଲା ପାଇଁ ୨୦୧୯-୨୦ ବର୍ଷରେ ମୋଟ ୧ଲକ୍ଷ ୮୩ ହଜାର ୦୭୧ଜଣଙ୍କୁ ପୋଲିଓ ଟୀକା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଅନେକ ପ୍ରଚାର ପ୍ରସାର ଓ ସଚେତନତା ପରେ ବି ଜିଲ୍ଲାରେ ଶତ ପ୍ରତିଶତ ଟୀକା ସମ୍ଭବ ହୋଇପାରିଲା ନାହିଁ। ଏହି ଟୀକା ଜନ୍ମିତ ଶିଶୁ ଠାରୁ ୫ ବର୍ଷ ବୟସ ‌ପର୍ଯ୍ୟନ୍ତ ପିଲା ନେବାର ବ୍ୟବସ୍ଥା ଥିବାରୁ ବିଭିନ୍ନ ସ୍ଥାନରେ ଶତ ପ୍ରତିଶତ ଟୀକା ଦାନ ସମ୍ଭବ ହୋଇଛି। ଯେଉଁ ସ୍ଥାନରେ ଟାର୍ଗେଟ ଠାରୁ ନବଜାତ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି ସେଠାରେ ଟୀକା ଅଭିଯାନ ଶତ ପ୍ରତିଶତ ପାସ କରିଛି । ଯାଜପୁର ଓ ବ୍ୟାସନଗର ପୌରପାଳିକା ଅଞ୍ଚଳରେ ଶିକ୍ଷତ ଅଭିଭାବକ ଥିବାରୁ ଏଠା‌ରେ ଟାର୍ଗେଟ ଶତ ପ୍ରତିଶତ ଅତିକ୍ରମ କରିଥିବା ବେଳେ ଅନ୍ୟ ୧୦ଟି ବ୍ଲକରେ ଶତପ୍ରତିଶତ ପ‌ୋଲିଓ ଟୀକାକରଣ ସମ୍ଭବ ହୋଇପାରିନାହିଁ।

ଗତବର୍ଷ ଜିଲ୍ଲାରେ ମୋଟ ୯୭ ପ୍ରତିଶତ ଟୀକାକରଣ ହୋଇଥିବା ବେଳେ ୧ଲକ୍ଷ ୭୬ ହଜାର ୮୩୮ ଜଣ ଟୀକା ଗ୍ରହଣକରିଥିଲେ। ଯାଜପୁର ପୌରପାଳିକାରେ ୧୦୩ ପ୍ରତିଶତ ଓ ବ୍ୟାସନଗର ପୌରପାଳିକାରେ ୧୦୧ ପ୍ରତିଶତ ଟୀକାକରଣ ହୋଇଥିଲା। ପାଖାପାଖି ଦେଢ଼ଲକ୍ଷରୁ ଉର୍ଦ୍ଧ ଶିଶୁ କେନ୍ଦ୍ରରେ ଟୀକା ନେଉଥିବା ବେଳେ ବିଭିନ୍ନ କାରଣରୁ ପିଲାଙ୍କୁ ନେଇ କେନ୍ଦ୍ରରେ ପହଞ୍ଚିପାରୁନଥିବା ଶିଶୁମାନଙ୍କୁ ଘରେ ଘରେ ବୁଲି ଟୀକା ପ୍ରଦାନ କରାଯାଉଛି। ତଥାପି ଶତ ପ୍ରତିଶତ ଟୀକାକରଣ ନହେବାର କାରଣ କଣ ତାହା ଜଣାପଡିନାହିଁ। ତେବେ ଗତବର୍ଷ ଠାରୁ ଚଳିତ ବର୍ଷର ଟୀକାକରଣ ଟାର୍ଗେଟ କମିଛି। ଚଳିତ ବର୍ଷର ପୋଲିଓ ଟୀକା ଅଭିଯାନ ପାଇଁ ୧ଲକ୍ଷ ୮୨ ହଜାର ୪୬୪ ଟାର୍ଗେଟ ରଖାଯାଇଛି। ସେଥିରୁ ଗ୍ରାମାଞ୍ଚଳ ପାଇଁ ୧୦ ବ୍ଲକରୁ ୧ଲକ୍ଷ୭୧ ହଜାର ୪୦୧ ରହିଥିବା ବେଳେ ଦୁଇ ସହରାଞ୍ଚଳରେ ୧୧୦୬୩ ଜଣଙ୍କୁ ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ରହିଛି। ବଡଚଣାରେ ୨୦୬୧୩,ବରୀରେ ୧୨୩୬୬,ବିଂଝାରପୁରରେ ୧୭୧୪୯,ଦାନଗଦିରେ ୧୪୪୪୨,ଧର୍ମଶାଳାରେ ୨୧୦୩୦,କୋରେଇରେ ୧୬୫୧୮,ମଧୁବନରେ ୧୫୩୫୭, ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ୨୧୧୭୩,ମାର୍କଣ୍ଡପୁର ଅଧିନରେ ୧୫୮୯୬ ଓ ସୁକିନ୍ଦା ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ୧୬୮୫୭ ଜଣ ୦ରୁ ୫ ବର୍ଷର ଶିଶୁ ରହିଥିବାରୁ ସେମାନଙ୍କୁ ପଲସ ପୋଲିଓ ଟାର୍ଗେଟରେ ସାମିଲ କରାଯାଇଛି।

ଜିଲ୍ଲାରେ ଏବେ ନୂତନ ପୋଲିଓ ରୋଗୀ ଚିହ୍ନଟ ହେଉଥିବା ବେଳେ ସକ୍ରୀୟ କେସ ମଧ୍ୟ କମିକମି ଚାଲିଛି। ତଥାପି ସମସ୍ତ ଶିଶୁଙ୍କ ଅଭିଭାବକ ନିଜକୁ ନିଜେ ସଚେତନ ହେଲେ ଏବଂ ପଲସ ପୋଲିଓକୁ କରୋନା ମହାମାରୀର ସଚେତନତା ପରି ଗୁରୁତ୍ବ ଦେଲେ ଜିଲ୍ଲାରେ ଶତ ପ୍ରତିଶତ ଟୀକାକରଣ ସମ୍ଭବ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶା ରଖିଛି। ତେବେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଟୀକାକରଣ ଚାଲିଥିବା ବେଳେ ତାହା ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଅବଧି ରହିଛି। କିନ୍ତୁ ପଲସ ପୋଲିଓର ୩ ଦିନିଆ କାର୍ଯ୍ୟକ୍ରମ ପାଇଁ ଉକ୍ତ ୩ ଦିନ କରୋନା ଟୀକା ପ୍ରଦାନକୁ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର