ଭୁବନେଶ୍ବର: ବିଗତ ୧୦ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୭ହଜାରରୁ ଅଧିକ ଜୀବନ ଯାଇଛି। ଏହି ମୃତ୍ୟୁ ସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ ଲୋଡ଼ା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ଅବସରରେ ସମସ୍ତ ୪ ଚକିଆ ଯାନରେ ସ୍ମାର୍ଟ ଡିଭାଇସ୍‌ ଲଗାଇବା ପାଇଁ ଘୋଷଣା କରିଛନ୍ତି। ଏ ନେଇ ଆଇଆଇଟି ମାଡ୍ରାସ ଓ ଅନ୍ୟ ସଂସ୍ଥାମାନଙ୍କ ସହ ଚୁକ୍ତି ହୋଇଛି। ଏହି ଡିଭାଇସ୍‌ ଦ୍ବାରା ଚାଳକଙ୍କ ଆଖି ଲାଗିଗଲେ କିମ୍ବା ଅନ୍ୟମନସ୍କ ଭାବେ ଗାଡ଼ି ଚଲାଇଲେ ସାଇରନ୍‌‌ ବାଜିବ। ମଦ ପିଇ ଗାଡ଼ି ଚଲାଇଲେ ମଧ୍ୟ ଶବ୍ଦ କରି ଡ୍ରାଇଭରକୁ ସଚେତନ କରିବ। ‘ପଥ ସମ୍ମୋହନ’କୁ ମଧ୍ୟ ଏହି ଡିଭାଇସ ଏଡ଼ାଇ ପାରିବ। ସଡ଼କ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୨୦୦୦ ନୂତନ ଟ୍ରାଫିକ୍ ପୁଲିସ ପଦବି ସୃଷ୍ଟି କରାଯିବା ସହିତ ଚଳିତ ବର୍ଷ ୫୦୦ ପଦବି ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।     ‘ସଡ଼କ ସୁରକ୍ଷା ରଥ’କୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ। ଏଭଳି ସଚେତନତା ରଥ ମାସେ ବ୍ୟାପୀ ପ୍ରତି ଜିଲ୍ଲା ପରିକ୍ରମା କରିବ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଡ଼କ ସୁରକ୍ଷା ଶପଥ ପାଠ କରାଇବା ସହ ‘ଓଡ଼ିଶା ଯାତ୍ରୀ ଆପ୍‌’କୁ ଲୋକାର୍ପଣ କରିଛନ୍ତି। 

Advertisment

‘ଓଡ଼ିଶା ଯାତ୍ରୀ ଆପ୍‌’ ଉନ୍ମୋଚିତ
୨୦୦୦ ଟ୍ରାଫିକ୍ ପୁଲିସ ପଦବି ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ
୪ଚକିଆ ଯାନରେ ଲାଗିବ  ସ୍ମାର୍ଟ ଡିଭାଇସ୍‌

ସଭାସ୍ଥଳରୁ ଶ୍ରୀରାମ ମନ୍ଦିର ଯାଏଁ  ମୁଖ୍ୟମନ୍ତ୍ରୀ ଅନ୍ୟ ଅତିଥିମାନଙ୍କ ସହ ପଦଯାତ୍ରା କରିବା ଅବସରରେ ଗୁରୁଦ୍ୱାର ନିକଟରେ ଏକ ନିଃଶୁଳ୍କ ଅସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ଶ୍ରୀରାମ ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରୁଥିବା ଗୁଡ୍ ସମରିଟାନ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ବାବୁ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ମୁଖ୍ୟ ଶାସନସଚିବ ମନୋଜ ଆହୁଜା, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର୍ ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଓଏସ୍‌ଆର୍‌ଟିସି ସିଏମ୍‌ଡି ଦୀପ୍ତେଶ ପଟ୍ଟନାୟକ, କ୍ରୁଟ୍ ଏମ୍‌ଡି ଏନ୍ ତିରୁମାଲା ନାଏକ, ସିନେ ତାରକା ସବ୍ୟସାଚୀ ମିଶ୍ର, ପରିବହନ ଅଧିକାରୀ ବିକାଶ କୁମାର ଚୌଧୁରୀ, ସନତ କୁମାର ଜେନାଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।